ପଶ୍ଚିମବଙ୍ଗ ନିର୍ବାଚନ: ମହିଳା ବିଧାୟିକାଙ୍କ ଗାଲ ଚିପି ଦେଲେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ, ଭାଇରାଲ ଭିଡିଓକୁ ନେଇ ଭାଜପା ଓ ଟିଏମ୍‌ସି ମୁହାଁମୁହିଁ

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ପ୍ରତ୍ୟେକ ଦଳ ଭୋଟ ପାଇବା ଆଶାରେ କୌଣସି ବି ମଉକା ହାତଛଡ଼ା କରୁନାହାନ୍ତି। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ତେବେ ଏହାରି ଭିତରେ ହୁଗଳିର ଭାଜପା ସାଂସଦ ଲକେଟ ଚାଟାର୍ଜୀ ଏକ ଭିଡିଓ ଶେୟାର କରି ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି।

ଭିଡିଓରେ କଲ୍ୟାଣ ବାନାର୍ଜୀ ଜଣେ ମହିଳା ବିଧାୟିକାଙ୍କ ଗାଲ ଚିପି ଦେଉଥିବା ନଜର ଆସୁଛନ୍ତି। ଲକେଟ ଚାଟାର୍ଜୀ ଭିଡିଓ ଶେୟାର କରି ଲେଖିଛନ୍ତି ଯେ ‘ଏହା କ’ଣ ମହିଳା ସଶକ୍ତୀକରଣ’? ଯଦିଓ ଭିଡିଓ ଭାଇରାଲ ହେବା ପରେ ଖୋଦ୍‌ କଲ୍ୟାଣ ବାନାର୍ଜୀ ଏହାର କଡ଼ା ଜବାବ ଦେଇଛନ୍ତି। ସେ ମଧ୍ୟ ନିଜ ଟ୍ଵିଟର ହ୍ୟାଣ୍ଡେଲରୁ ଏକ ଭିଡିଓ ଶେୟାର କରି ମାମଲା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏଥିସହ ଚାଟାର୍ଜୀଙ୍କ ମାନସିକତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ବାନାର୍ଜୀ ଉକ୍ତ କାର୍ଯ୍ୟକ୍ରମର ଆଉ ଏକ ଭିଡିଓ ଶେୟାର କରି ଲେଖିଛନ୍ତି, ‘ଲକେଟ ଚାଟାର୍ଜୀଙ୍କ ଟ୍ଵିଟ୍‌ ତାଙ୍କ ମନ୍ଦ ଉଦ୍ଦେଶ୍ୟକୁ ଦର୍ଶାଉଛି। ତାଙ୍କୁ ଜଣାନାହିଁ କି, ଭାଇ ଓ ଭଉଣୀଙ୍କ ମଧ୍ୟରେ କ’ଣ ସମ୍ପର୍କ ଅଛି। ଆଲୋକା ମୋ ଭଉଣୀ ଭଳି ଏବଂ ମୁଁ ବାଙ୍କୁଡ଼ାର। ମନ୍ଦ ଭାବନା ରଖିଥିବା ଲକେଟ ଚାଟାର୍ଜୀ ଏହା ଜାଣିବା ଉଚିତ’।