ଛୁଟି ନ ମିଳିବାରୁ ନିଜ ଅପହରଣର ନାଟକ ରଚିଲା ଯୁବକ, କିନ୍ତୁ ତା’ପରେ ଯାହା ହେଲା…

ଅନେକ ଦିନ ଲଗାତାର କାମ କରିବା ପରେ ସମସ୍ତଙ୍କୁ ଛୁଟି ଦରକାର ପଡ଼େ। ଏଭଳି ସ୍ଥିତିରେ ଛୁଟି ନେବାକୁ ହେଲେ ଆମକୁ ଆମ ବସ୍‌ଙ୍କର ଅନୁମତି ନେବାକୁ ପଡ଼େ। କିନ୍ତୁ କେତେବେଳେ ଆମକୁ ସହଜରେ ଅନୁମତି ମିଳିଯାଏ ତ ଆଉ କେବେ ଏଥିପାଇଁ ବହୁ କଷ୍ଟ କରିବାକୁ ପଡ଼ିଥାଏ। କିନ୍ତୁ ଛୁଟି ନ ମିଳିବାରୁ ନିରାଶ ହୋଇ ବେଳେବେଳେ ଲୋକେ କିଛି ଏଭଳି କାମ କରିଥାନ୍ତି ଯାହା ପରେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରେ। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆମେରିକାରେ। ଆମେରିକାର ଏରିଜୋନାର ଜଣେ ୧୯ ବର୍ଷୀୟ ଯୁବକ ନିଜ ଅଫିସରୁ ଛୁଟି ନେବା ପାଇଁ ନିଜକୁ ଅପହରଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ଏହା ପରେ ପୋଲିସ ତାଙ୍କୁ ଗିରଫ କରି ନେଇଛି।

ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ମିଳିଛି। ଟ୍ଵିଟରରେ ବିକି ଟ୍ରଷ୍ଟେଡ୍‌ ନାମକ ଏକ ପେଜ୍‌ରେ ଏହି ପୋଷ୍ଟ ସେୟାର କରାଯାଛି। ଏଥିରେ ଦୁଇଟି ଫଟୋ ନଜର ଆସିଛି। ଏଥିରେ ଗୋଟିଏ ଫଟୋରେ ବ୍ୟକ୍ତିଙ୍କର ହାତ ବନ୍ଧାଯାଇଥିବା ଦେଖାଯାଇଛି। ସେହିପରି ଅନ୍ୟଟିରେ ବ୍ୟକ୍ତିଙ୍କ ଫଟୋ ରହିଛି।

ରିପୋର୍ଟ ମୁତାବକ, ଏହି ଯୁବକଙ୍କ ନାମ ବ୍ରେଡନ୍‌ ସୁଲ୍ସ। ସେ ଫ୍ୟାକ୍ଟ୍ରିରୁ ଛୁଟି ନେବା ପାଇଁ ନିଜ ଅପହରଣ ନାଟକ ରଚିଥିଲେ। ଉଦ୍ଧାର ପରେ ସେ ପୋଲିସକୁ ମଧ୍ୟ କହିଥିଲେ ଯେ ତାଙ୍କୁ କେହି ଅପହରଣ କରି କାରରେ ନେଇଯାଇଥିଲା ଓ ଏକ ଅଜଣା ସ୍ଥାନରେ ଫିଙ୍ଗି ଦେଇଥିଲା। ସେ ପାଣି ଟାଙ୍କି ପାଖରେ ପଡ଼ିଥିବା ନେଇ ରାସ୍ତରରେ ଜଣେ ବ୍ୟକ୍ତି ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରିବା ବେଳେ ବେଲ୍ଟରେ ହାତ ବନ୍ଧା ଯାଇଥିଲା ଓ ମୁହଁରେ କନା ପଶିଥିଲା।

ମାତ୍ର ଉଦ୍ଧାର ହେବା ପରେ ସେ ପୋଲିସକୁ ଯାହା କହିଥିଲେ ତାହା ବିଶ୍ୱାସଯୋଗ୍ୟ ଲାଗିନଥିଲା। ଏଣୁ ପୋଲିସ ମାମଲାର ଅଧିକ ତଦନ୍ତ କରି ଶେଷରେ ଜାଣିବାକୁ ପାଇଥିଲା ଯେ ଯୁବକ ମିଛ କହୁଛନ୍ତି। ଅଧିକ ଚାପ ପକାଇବାରୁ ଯୁବକ ସବୁ ସତ ମାନିଥିଲେ ଓ କମ୍ପାନୀରୁ ଛୁଟି ପାଇବାକୁ ସେ ଏଭଳି ନାଟକ ରଚିଥିବା କହିଥିଲେ। ତେବେ ଯୁବକଙ୍କ ବୟାନ ନେବା ପରେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏଥିସହ କମ୍ପାନୀ ମଧ୍ୟ ତାଙ୍କୁ ଚାକିରିରୁ ବାହାର କରିଦେଇଛି।