ଚୀନ୍‌ ସୀମା ଭିତରୁ ମିଳିଲା ଅରୁଣାଚଳ ପ୍ରଦେଶରୁ ହଜିଥିବା ଭାରତୀୟ ଯୁବକ, ଅପହରଣ କରାଯାଇଥିବା ନେଇ ସନ୍ଦେହ

ଚୀନ୍‌ ସୀମା ଭିତରୁ ମିଳିଲା ଅରୁଣାଚଳ ପ୍ରଦେଶରୁ ହଜିଥିବା ଭାରତୀୟ ଯୁବକ। ଚୀନ୍‌ ସେନା ପକ୍ଷରୁ ଭାରତୀୟ ଯବାନଙ୍କୁ ଏ ନେଇ ସୂଚନା ଦିଆଯାଇଛି। ଏହି ଯୁବକଙ୍କୁ ଭାରତକୁ ପଠାଇବା ପାଇଁ ଆବଶ୍ୟକୀୟ ଔପଚାରିକ ପ୍ରକିୟା ପୂରଣ ହେଉଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଅରୁଣାଚଳ ପ୍ରଦେଶର ସିୟୁଙ୍ଗଲାର ଲୁଙ୍ଗଟା ଜୋର ଅଞ୍ଚଳର ୧୭ ବର୍ଷୀୟ ଯୁବକ ମିରାମ ତାରନ୍‌ ମଙ୍ଗଳବାର (ଜାନୁଆରୀ ୧୮) ଦିନ ହଜିଯାଇଥିଲେ। ଘର ଲୋକ ବହୁ ଖୋଜାଖୋଜି କରିବାପ ରେ ମଧ୍ୟ ତାଙ୍କ ବିଷୟରେ କୌଣସି ଖବର ନ ପାଇବାରୁ ପୋଲିସରେ ଖବର ଦେଇଥିଲେ। ପୂର୍ବ ଅରୁଣାଚଳ ପ୍ରଦେଶର ସାଂସଦ ତାପିର ଗାଓ ଏହି କଥା ସମସ୍ତଙ୍କ ସାମ୍ନାକୁ ଆଣିଥିଲେ । ଏଥିସହ ସେ ଦାବି କରିଥିଲେ ଯେ ଚୀନ୍‌ ସୈନିକ ଏହି ଯୁବକଙ୍କୁ ବନ୍ଦୀ କରି ନେଇ ଯାଇଛନ୍ତି।

ଏହା ପରେ ଭାରତୀୟ ସେନା ଏହି ଯୁବକଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ। ଏଥିସହ ଚୀନ ସୈନିକଙ୍କ ଠାରୁ ଏ ନେଇ ସୂଚନା ମାଗିଥିଲେ। ପ୍ରଥମେ ତ ଚୀନ୍‌ ସେନା ଏନେଇ କିଛି ଜାଣି ନଥିବା କହିଥିଲା। କିନ୍ତୁ ଆଜି ଚୀନ୍‌ ସେନା ଭାରତୀୟ ସେନାକୁ କହିଛି ଯେ ତାଙ୍କ ଅଞ୍ଚଳରୁ ଜଣେ ଯୁବକ ମିଳିଛନ୍ତି।

ଆସାମର ତେଜପୁରରେ ରକ୍ଷା ପ୍ରବକ୍ତା ଲେଫ୍ଟନାଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେୟ କହିଛନ୍ତି, ଚୀନ୍‌ ସେନା ଆମକୁ ସୂଚନା ଦେଇଛନ୍ତି ଯେ ତାଙ୍କୁ ଅରୁଣାଚଳ ପ୍ରଦେଶରୁ ଜଣେ ଯୁବକ ମିଳିଛି। ଏହି ଯୁବକଙ୍କୁ ଭାରତକୁ ହସ୍ତାନ୍ତର କରିବା ଲାଗି ପ୍ରକ୍ରିୟା ଜାରି ରହିଛି। ଖୁବ୍‌ ଶୀଘ୍ର ଉକ୍ତ ଯୁବକ ଭାରତକୁ ଫେରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.