ଶେଷରେ ଇସ୍ତଫା ଦେଲେ ରାଷ୍ଟ୍ରମନ୍ତ୍ରୀ, ଆକବରଙ୍କୁ ଗାଦିଚ୍ୟୁତ କଲା #MeToo

ନୂଆଦିଲ୍ଲୀ: ନିଜ ଆ଼ଡୁ ପଦ ଛାଡିବେ ନା ମନ୍ତ୍ରିମଣ୍ଡଳରୁ ବିଦା ହେବେ। ଏମ୍‌.ଜେ.ଆକବରଙ୍କୁ ନେଇ ବହୁ ଦିନ ହେଲା ଚାଲିଥିଲା ଚର୍ଚ୍ଚା। ଏବେ ସେହି ଚର୍ଚ୍ଚାର ଅବସାନ। ନିଜ ଆଡୁ ପଦ ଛାଡିଦେଲେ ଏମ୍‌.ଜେ.ଆକବର । #MeToo ଅଭିଯାନରେ ୧୫ରୁ ଅଧିକ ମହିଳା, ତାଙ୍କ ବିରୋଧରେ ଆଣିଥିଲେ ଅସଦାଚରଣ ଅଭିଯୋଗ। ପ୍ରଥମେ ସାମ୍ବାଦିକା ପ୍ରିୟା ରମାନୀ ଟ୍ଵିଟ୍‌ କରି ଆକବରଙ୍କ କଥା କହିଥିଲେ। ଏ ପ୍ରସଙ୍ଗରେ ମାନହାନୀ ହୋଇଥିବା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆକବର। ଆଜି ଇସ୍ତଫା ଦେଇ ଆକବର କହିଛନ୍ତି, ମୁଁ ନିଜସ୍ୱ ଉଦ୍ୟମରେ କୋର୍ଟରୁ ନ୍ୟାୟ ପାଇବା ପାଇଁ ଉଦ୍ୟମ କରୁଛି। ନିଜସ୍ୱ ଉଦ୍ୟମରେ ମିଥ୍ୟା ଅଭିଯୋଗର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଚାହୁଁଥିବାରୁ ପଦ ଛାଡିବାକୁ ଉଚିତ ମଣିଲି ବୋଲି ଲେଖିଛନ୍ତି ଆକବର।

ବୈଦେଶିକ ମନ୍ତ୍ରୀ ଭାବେ ନାଇଜେରିଆ ଗସ୍ତରେ ଥିବା ବେଳେ, ଭାରତରେ ମିଠୁ ଅଭିଯାନରେ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ ପ୍ରିୟା ରମାନୀ। ଏହାପରେ ଜଣେ ଜଣେ କରି ମହିଳା ମୁହଁ ଖୋଲିଲେ। ପ୍ରାୟ ୧୦ରୁ ଅଧିକ ମହିଳା ଆଣିଥିଲେ ଅଭିଯୋଗ। ଗତ ରବିବାର ନାଇଜେରିଆ ଗସ୍ତରୁ ଫେରିଥିଲେ ଆକବର। କହିଥିଲେ ଅଭିଯୋଗ ମିଥ୍ୟା ଓ କପୋଳକଳ୍ପିତ। ଏପରି ଅଭିଯୋଗ ଯୋଗୁ ତାଙ୍କ ସମ୍ମାନ ହାନୀ ହୋଇଛି। ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଥିଲେ। ଏହାପରେ ସେ କୋର୍ଟରେ ଆଶ୍ରୟ ନେଇଥିଲେ, ମାନହାନୀ ମକଦ୍ଦମା କରିଥିଲେ। ଆକବରଙ୍କ ପାଇଁ ଲଢିବାକୁ ଥିବା ଓକିଲଙ୍କ ୱକାଲତନାମାରେ ୯୭ ଜଣ ଓକିଲଙ୍କ ନାଁ ଥିଲା। ଯାହାକୁ ବେଶ ଚର୍ଚ୍ଚା ହେଲା । କିନ୍ତୁ ଏହାରି ଭିତରେ ବିଭିନ୍ନ ମହଲରୁ ଆକବରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ବଢି ଚାଲିଥିଲା ଚାପ । ଶେଷରେ ଆକବର ଗାଦିଛାଡିବାକୁ ବାଧ୍ୟ ହେଲେ। ସେପଟେ ମନ୍ତ୍ରୀଙ୍କ ଇସ୍ତଫା ପରେ ପ୍ରିୟା ରମାନୀ କହିଛନ୍ତି ସେ ସଠିକ ପ୍ରମାଣିତ ହୋଇଛନ୍ତି। କୋର୍ଟରେ ମଧ୍ୟ ବିଜୟୀ ହେବେ।

ରାଜନୀତିରେ ପ୍ରବେଶ ପୂର୍ବରୁ ବରିଷ୍ଠ ସାମ୍ବାଦିକ ଥିଲେ ଏମ୍‌ଜେ ଆକବର। ପ୍ରତିଷ୍ଠିତ ଖବର କାଗଜରେ ଏଡିଟର ଥିଲେ। ଯେଉଁ ମହିଳା ଅଭିଯୋଗ ଆଣିଛନ୍ତି ସେମାନେ ସମସ୍ତେ ସାମ୍ବାଦିକ। ଆକବରଙ୍କ ସହ କାମ କରିଛନ୍ତି କିମ୍ବା କାମ ପାଇଁ ତାଙ୍କ ଇଣ୍ଟରଭ୍ୟୁର ସମ୍ମୁଖୀନ ହୋଇଛନ୍ତି। ଭାରତରେ ଆରମ୍ଭ ହୋଇଥିବା #MeToo ଅଭିଯାନରେ ପ୍ରଥର ଥର ପାଇଁ ଏକ ବଡ଼ ମୁଣ୍ଡ ଗଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.