ଡେଲ୍‌ଟା ତୁଳନାରେ ଓମିକ୍ରନ୍‌ରେ ଯାଉଛି ଅଧିକ ଆମେରିକାବାସୀଙ୍କ ଜୀବନ, ଦିନକରେ ୩୪ ଲକ୍ଷ ନୂଆ ପଜିଟିଭ୍‌ ଚିହ୍ନଟ

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌କୁ ଡେଲ୍ଟା ଭାଇରସ୍‌ ତୁଳନାରେ କମ୍‌ ଘାତକ କୁହାଯାଉଛି। ଓମିକ୍ରନ୍‌ ଯୋଗୁ ମୃତ୍ୟୁ ହାର ବି କମ୍‌ ଥିବା ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ଆମେରିକାରେ ଏହାର ଓଲ୍‌ଟା ପ୍ରଭାବ ଦେଖିବାକୁ ମିଳୁଛି। ଆମେରିକାରେ ଡେଲ୍ଟା ଭ୍ୟାରିଏଣ୍ଟ ତୁଳନାରେ ଓମିକ୍ରନ୍‌ ଅଧିକ ଭୟଙ୍କର ସାବ୍ୟସ୍ତ ହୋଇଛି। ଏଠାରେ ଡେଲ୍ଟା ତୁଳନାରେ ଓମିକ୍ରନ୍‌ ଭ୍ୟାରିଏଣ୍ଟରେ ପ୍ରତିଦିନ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି।

ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୬୭ ଜଣଙ୍କ ମୃତ୍ୟୁ ଘଟିଛି। ସାରା ବିଶ୍ୱରେ ଇତି ମଧ୍ୟରେ ୩୪.୧୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦,୩୩୦ ଜଣଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ଏହି ମୃତ୍ୟୁ ହାର ନଭେମ୍ବରରୁ ବଢ଼ୁଥିବା ଦେଖାଯାଇଛି।

କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଜନ ସ୍ୱାସ୍ଥ୍ୟ ପ୍ରଫେସର ଆଣ୍ଡ୍ର୍ୟୁ ନୋୟମର କହିଛନ୍ତି, ଓମିକ୍ରନ୍‌ ଯୋଗୁ ଆମେ ଲକ୍ଷ ଲକ୍ଷ ଲୋକଙ୍କ ହରାଇଛୁ। ଏଣୁ ଏବେ କିଛି ଭିନ୍ନ କରିବାର ସମୟ ଆସିଛି, ଯାହା ଫଳରେ ଆମେ ଲୋକଙ୍କ ଜୀବନ ବଞ୍ଚାଇ ପାରିବୁ।

ସୂଚନାଯୋଗ୍ୟ ଯେ ଆମେରିକା ଏବେ ନୂଆ ସଂକ୍ରମିତଙ୍କୁ ନେଇ ୫.୨୨ ଲକ୍ଷ ମାମଲା ସହ ସାରା ଦୁନିଆରେ ୧ ନମ୍ବର ସ୍ଥାନରେ ରହିଛି। ଏହା ପରେ ୩.୫୩ ଲକ୍ଷ ମାମଲା ସହ ଦ୍ୱିତୀୟରେ ରହିଛି ଫ୍ରାନ୍ସ। ସେହିପରି ୨.୫୭ ମାମଲା ସହ ତୃତୀୟରେ ବ୍ରାଜିଲ ରହିଛି।