ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଅପରେସନ୍ ପ୍ରହାର-ଥ୍ରୀ ଆରମ୍ଭ… ମାଓବାଦୀଙ୍କ କବ୍ଜାରେ ନିଖୋଜ ଯବାନ

ଛତିଶଗଡ଼: ଛତିଶଗଡ଼ ବିଜାପୁର ଏନ୍କାଉଣ୍ଟର ଘଟଣାରେ ଯବାନ ରାକେଶ୍ୱର ସିଂହ ମାନ୍ହସ ନିଖୋଜ ଅଛନ୍ତି । ସେ ମାଓବାଦୀଙ୍କ କବଜାରେ ଥିବା ମାଓ ସଂଗଠନ ଦାବି କରିଛି । ବାପା ମାଓବାଦୀଙ୍କ କବ୍ଜାରେ ଥିବା ଜଣାପଡ଼ିବା ପରେ ରାକେଶ୍ୱରଙ୍କ ଝିଅ ଛାଡି ଦେବା ପାଇଁ ମାଓବାଦୀଙ୍କୁ ନିବେଦନ କରିଛନ୍ତି । ରାକେଶ୍ୱରଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ରାକେଶ୍ୱରଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି । ନିଖୋଜ ଯବାନଙ୍କ ଘର କଶ୍ମୀରରେ ବୋଲି ଜଣାପଡ଼ିଛି ।
ନକ୍ସଲ ଦମନ ପାଇଁ ଆରମ୍ଭ ହେଲା ଅପରେସନ୍ ପ୍ରହାର-ଥ୍ରୀ । ଛତିଶଗଡ଼ ସୁକ୍ମାରେ ନକ୍ସଲ ଏନ୍କାଉଣ୍ଟର ପରେ ଅପରେସନ୍ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁକ୍ମା ବିଜାପୁର ସୀମାରେ ଶହ ଶହ ସଂଖ୍ୟାରେ ନକ୍ସଲ ଡିଆରଜି ଓ ଏସ୍ଟିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ନକ୍ସଲ କମାଣ୍ଡର ହିଡମା ପୂରା ଘଟଣାର ମାଷ୍ଟରମାଇଣ୍ଡ ଥିଲା । ହିଡମାର ସଂପୃକ୍ତି ନେଇ ଅନେକ ପ୍ରମାଣ ଓ ସୁରାକ ପାଇଛି ପୋଲିସ । ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ହିଡିମାକୁ ଧରିବା ଓ ନକ୍ସଲଙ୍କୁ ଉପଯୁକ୍ତ ଜବାବ ଦେବାକୁ ଆରମ୍ଭ ହୋଇଛି ଅପରେସନ୍ ପ୍ରହାର-ଥ୍ରୀ ।
ସୂଚନା ଅନୁସାରେ ହ୍ୟୁମାନ ଇଣ୍ଟେଲିଜେନ୍ସ ଓ ଟେକ୍ନିକାଲ ଇଣ୍ଟେଲିଜେନ୍ସର ସାହାରା ନିଆଯିବ । ଏହା ସହ ବସ୍ତରଠାରେ ଥିବା ସୁରକ୍ଷାକର୍ମୀ ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ତାଲିକାରେ ଟପ୍ କ୍ୟାଡର ନକ୍ସଲଙ୍କ ନାଁ ରହିଛି । ତାଲିକାର ପ୍ରଥମରେ ହିଡମାର ନାଁ ରହିଛି । ପ୍ରଥମେ ହିଡମାଙ୍କୁ ନିପାତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସୁରକ୍ଷାକର୍ମୀ । ମୋଷ୍ଟ ୱାଣ୍ଟେଡ ହିଡମା ମୁଣ୍ଡରେ ରହିଛି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି । ୪୦ବର୍ଷିୟ ହିଡମାର ପ୍ରକୃତ ନାଁ ହିଡମ୍ମାନା । ଘର ସୁକମା ଜିଲ୍ଲା ପୂରର୍ତୀ ଗାଁରେ । ୯୦ଦଶକରେ ମାଓ ସଂଗଠନରେ ଯୋଗଦେଇଥିଲା । ଏବେ ପିପୁଲ୍ସ ଲିବରେସନ ଗରିଲା ଆର୍ମି-PLGAର ମୁଖ୍ୟ । ପ୍ରାୟ ୨୫୦ ମାଓ ସଦସ୍ୟଙ୍କ ନେତୃତ୍ୱ ନେଇ ଆସୁଛି ହିଡମା । ଏହା ସହ ନକ୍ସଲ ସଂଗଠନ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ରହିଛି ।