ପିଓକେ ଏଲଓସିରେ ୨ ହଜାର ଯବାନଙ୍କୁ ମୁତୟନ କଲା ପାକିସ୍ତାନ, ଯୁଦ୍ଧ ସମ୍ଭାବନା ସନ୍ଦେହ

ସୀମାରେ ସେନା ଠୁଳ କରୁଛି ପାକିସ୍ତାନ। ପିଓକେରେ ଥିବା ଏଲଓସି ନିକଟରେ ପ୍ରାୟ ୨ ହଜାର ଯବାନଙ୍କୁ ମୁତୟନ କରିଛି ପାକିସ୍ତାନ। ଏଲଓସି ଠାରୁ ଏମାନେ ୩୦ କିଲୋମିଟର ପଛରେ ଅଛନ୍ତି। ଭାରତୀୟ ସେନାଙ୍କ ଜାରି କରାଯାଇଥି ବିଶେଷ ସୂତ୍ରରୁ  ଏହି ସୂଚନା ମିଳିଛି। ଏମାନଙ୍କ ଗତିବିଧି ଉପରେ ଭାରତୀୟ ସେନା ନଜର ରଖିଛି। ଏବେ ଭାରତ ବିରୋଧରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଗୁଡ଼ିକ ସକ୍ରିୟ ଅଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇ ହମ୍‌ଲା କରିବାକୁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରି ଏଥିରେ ସହାୟତା କରୁଛି ପାକ୍‌ ସେନା। ଏହି ଉଦ୍ୟମକୁ ଇନ୍ଧନ ଦେବାକୁ ଏଲଓସିରେ ପାକିସ୍ତାନ ଅଧିକ ସେନା ମୁତୟନ କରୁଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଆଫଗାନ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେଉଥିବା ସୂଚନା ମଧ୍ୟ ମିଳିଛି। ତେବେ ଧାରା ୩୭୦ ଉଛେଦ ପରେ ପାକ୍‌ ସେନା ବହୁବାର ଆତଙ୍କୀ ଅନୁପ୍ରବେଶ ଉଦ୍ୟମ କରିଥିଲେ ବି ଭାରତୀୟ ଯବାନ ଏହାକୁ ପଣ୍ଡ କରି ଦେଇଛି।