କାଲିଫର୍ଣ୍ଣିଆରେ ଅବତରଣ ପୂର୍ବରୁ ବିମାନ ହେଲା କ୍ରାସ୍‌, ଦୁର୍ଘଟଣାରେ ୬ ଲୋକଙ୍କ ମୃତ୍ୟୁ

କାଲିଫର୍ଣ୍ଣିଆ ବିମାନବନ୍ଦର ନିକଟରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଯୋଗୁ ବିମାନରେ ନିଆଁ ଲାଗିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି।

କାଲିଫର୍ଣ୍ଣିଆ ବିମାନବନ୍ଦର ନିକଟରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଯୋଗୁ ବିମାନରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ମୁତାବକ, ଏହି ଦୁର୍ଘଟଣା ଲସ୍ ଏଞ୍ଜେଲ୍ସଠାରୁ ପ୍ରାୟ ୧୩୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ମୁରିଏଟାଠାରେ ଭୋର୍‌ ୪ଟା ୧୫ରେ ଘଟିଛି।

ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା କ୍ଷଣି ଅଗ୍ନିଶମ କର୍ମଚାରୀଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ବିମାନରେ ଲାଗିଥିବା ନିଆଁ ଲିଭାଇବା ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ମିଡିଆ ରିପୋର୍ଟ ମୁତାବକ, ଏହି ବିମାନ ଲସ୍ ଭେଗସ୍‌ରୁ କାଲିଫର୍ଣ୍ଣିଆ ଯାଉଥିଲା। ବିମାନଟି ଲସ୍ ଭେଗସ୍‌ ବିମାନବନ୍ଦରରୁ ଭୋର୍‌ ୩ଟା ୧୫ରେ ଉଡ଼ାଣ ଭରିଥିଲା। ଏହାପରେ ବିମାନ ମୁରିଏଟା ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଯାଞ୍ଚକାରୀଙ୍କ ମୁତାବକ, ପାଇଲଟ ବିମାନକୁ ଅବତରଣ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏହି ସମୟରେ ଚାରିଆଡେ କୁହୁଡି ଥିବାରୁ ପାଇଲଟଙ୍କୁ ଦେଖିବାରେ ଅସୁବିଧା ହେଉଥିଲା।

ପାଇଲଟ୍ ସଙ୍ଗେ ସଙ୍ଗେ ଏଟିସି ଅର୍ଥାତ୍‌ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ ସହିତ ଯୋଗାଯୋଗ କରି ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଏଟିସି ପାଇଲଟଙ୍କୁ ଅବତରଣ କରିବାକୁ ଅନୁମତି ଦେବା ପରେ ପାଇଲଟ୍ ବିମାନ ଅବତରଣ କରିବା ଆରମ୍ଭ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ବିମାନ ରନୱେରୁ ୫୦୦ ଫୁଟ୍‌ ପୂର୍ବରୁ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.