କେଦାରନାଥରେ ଭିନ୍ନ ବେଶରେ ପ୍ରଧାନମନ୍ତ୍ରୀ, ହେଲିପ୍ୟାଡ଼ରୁ ମନ୍ଦିରକୁ ଚାଲି ଚାଲି ଗଲେ ମୋଦି

ଉତ୍ତରାଖଣ୍ଡ : ଶନିବାର କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ପ୍ରଭୁ ଭୋଳାନାଥଙ୍କ ଆର୍ଶୀବାଦ ନେଇଛନ୍ତି । ମୋଦୀ କେଦାରନାଥ ଯାଇ ସେଠାରେ ଶିବଙ୍କ ଆରାଧନା କରିଛନ୍ତି । ହେଲିପ୍ୟାଡ଼୍ ନିକଟରୁ ପ୍ରଧାନମନ୍ତ୍ରୀ ଚାଲି ଚାଲି ମନ୍ଦିରରେ ପହଁଚିଛନ୍ତି । ସେଠାରେ ପ୍ରାୟ ଅଧା ଘଣ୍ଟା ଧରି ପୂଜାର୍ଚ୍ଚନା କରିଥିବା ସୂଚନା ମିଳିଛି ।

ଆଜି ଏକ ଭିନ୍ନ ରୂପରେ ମୋଦୀଙ୍କୁ ଦେଖିବାକୁ ମିଳିଛି । ଏକ ଲମ୍ବା କୁର୍ତ୍ତା ସହିତ ଅଣ୍ଟାରେ ବାନ୍ଧିଛନ୍ତି ଗେରୁଆ ରଙ୍ଗର ଗାମୁଛା ଏବଂ ମୁଣ୍ଡରେ ହିମାଚଳର ଟୋପି । ସକାଳ ପ୍ରାୟ ସାଢ଼େ ୯ଟାରେ ସେଠାରେ ତିଆରି ହୋଇଥିବା ସ୍ୱତନ୍ତ୍ର ହେଲିପ୍ୟାଡ଼ରେ ତାଙ୍କ ହେଲିକପ୍ଟର୍ ଓହ୍ଲାଇଥିଲା । ଏହା ପରେ ମୋଦୀ ସେଠାରେ ଚାଲି ଚାଲି ମନ୍ଦିର ଅଭିମୁଖେ ଯାଇଥିଲେ । କେଦାରନାଥଙ୍କ ନିକଟରେ ଦୀପଦାନ କରିବା ସହିତ ରୁଦ୍ରାଭିଷେକ ଓ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିଛନ୍ତି ।

କେଦାରନାଥଙ୍କୁ ଦର୍ଶନ କରିବା ପରେ ବନି ଗୁମ୍ଫାରେ ସେ ଧ୍ୟାନ କରିବେ। ସୂଚନା ଯୋଗ୍ୟ, ମୋଦୀ ଡ଼େରାଡ଼ୁନ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କେଦାରନାଥ ଯାଇଛନ୍ତି। ଗତ ୨ ବର୍ଷ ମଧ୍ୟରେ ମୋଦୀଙ୍କର ଏହା ହେଉଛି ଚତୁର୍ଥତମ କେଦାରନାଥ ଗସ୍ତ । ଆଜି ସେଠାରେ ତାଙ୍କର ରାତ୍ରି ଯାପନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ମୋଦୀ ଲଢ଼ୁଥିବା ବାରଣାସୀ ଆସନରେ ମତଦାନ ହେବ । ସେଥିପାଇଁ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବଦ୍ରିନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.