ସ୍ତ୍ରୀ ଓ ୩ ବର୍ଷର କୁନି ଝିଅକୁ ଧରି ୧୨ ମହଲାରୁ ଡେଇଁ ଆତ୍ମହତ୍ୟା କଲେ କନଷ୍ଟେବଳ; କାରଣ ଖୋଜୁଛି ପୋଲିସ…

ଗୁଜରାଟର ଅହମ୍ମଦାବାଦରେ ଜଣେ ପୋଲିସ କନଷ୍ଟେବଳ ନିଜ ସ୍ତ୍ରୀ ଓ ୩ ବର୍ଷର କୁନି ଝିଅ ସହିତ ବିଲ୍ଡିଂର ୧୨ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମାମଲା ବସ୍ତ୍ରାପୁର ଅଞ୍ଚଳର ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, କୁଲଦୀପ ସିଂ ଯାଦବ ନାମକ ବ୍ୟକ୍ତି ଏଠାରେ ଏକ ଥାନାରେ କନଷ୍ଟେବଳ ରୂପେ କାର୍ଯ୍ୟରତ ଥିଲେ ଏବଂ ଥାନା ନିକଟରେ ଏକ ଫ୍ଲାଟ୍‌ ନେଇ ପରିବାର ସହିତ ରହୁଥିଲେ। ଆତ୍ମହତ୍ୟା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ୩ ଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ପୋଲିସକୁ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ ଏବଂ ଆତ୍ମହତ୍ୟାର କାରଣ ବିଷୟରେ ମଧ୍ୟ ଜଣାପଡ଼ି ନାହିଁ। ମୃତ କୁଲଦୀପ ଓ ତାଙ୍କ ସ୍ତ୍ରୀଙ୍କ ଫୋନ୍‌କୁ ଜବତ କରାଯାଇ ଯାଞ୍ଚ ପାଇଁ ପଠାଯାଇଛି।

ସେପଟେ ଏହି ସାମୂହିକ ଆତ୍ମହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ମାମଲାକୁ ପୋଲିସ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି କି, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିଲେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ।

କିଛି ଦିନ ତଳେ ଆତ୍ମହତ୍ୟା କରିଥିଲେ ୨୩ ବର୍ଷୀୟ ଯୁବକ!

ନିକଟରେ ଆଣନ୍ଦ ଜିଲ୍ଲାରେ ୨୩ ବର୍ଷୀୟ ଜଣେ ଯୁବକ ମହିସାଗର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସୂଚନା ମୁତାବକ, ଯୁବକ ଜଣକ ବିବାହିତ ଥିଲେ ଏବଂ ତାଙ୍କର ଦେଢ଼ ବର୍ଷର ଏକ କୁନି ଝିଅ ମଧ୍ୟ ଥିଲା। ଏହା ସତ୍ତ୍ୱେ ଯୁବକଙ୍କର ପରକୀୟା ପ୍ରୀତି ଚାଲିଥିଲା। ଅନ୍ୟ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। କୌଣସି ମତେ ସ୍ତ୍ରୀ ଏହି କଥା ଜାଣିପାରି ଥିଲେ। ତଥାପି ଏତେ ସବୁ ପରେ ଯୁବକ, ପ୍ରେମିକାଙ୍କ ସହିତ ମିଳାମିଶା କରିବା ଛାଡ଼ି ନ ଥିଲେ। ଦିନେ ଯେତେବେଳେ ଯୁବକଙ୍କ ଜନ୍ମଦିନରେ ପ୍ରେମିକା ତାଙ୍କୁ ଭେଟିବା ପାଇଁ ଆସି ନ ଥିଲେ, ତ ଯୁବକ ମହିସାଗର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ପରଦିନ ତାଙ୍କ ମୃତଦେହ ନଦୀରୁ ମିଳିଥିଲା।

ପୋଲିସ କହିଥିଲା ଯେ ମୃତକ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଥିଲେ। ତାଙ୍କ ନାଁ ଅଭିଷେକ ଥିଲା। କିଛି ମାସ ତଳେ ତାଙ୍କର ଜଣେ ଯୁବତୀଙ୍କ ସହିତ ଭେଟ ହୋଇଥିଲା ଏବଂ ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ହୋଇଥିଲା। ଅଭିଷେକ ସ୍ତ୍ରୀ ଓ ପରିବାର ଅପେକ୍ଷା ଅଧିକ ପ୍ରେମିକାଙ୍କ ସହିତ ସମୟ ବିତାଉଥିଲେ। ଏହି କଥା ସ୍ତ୍ରୀ ଜାଣି ପାରିଥିଲେ, ଯାହା ପରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଘରୋଇ ଚାପ କାରଣରୁ ଅଭିଷେକ ପ୍ରେମିକାଙ୍କ ସହିତ ଆହୁରି ଅଧିକ ସମୟ ବିତାଇବାକୁ ଲାଗିଲେ। ଦିନେ ସେ ପ୍ରେମିକାଙ୍କୁ ଭେଟିବାକୁ ଡାକିଥିଲେ, ହେଲେ ପ୍ରେମିକା ଆସି ନ ଥିଲେ। ଏହି କଥାକୁ ନେଇ ଯୁବକ ଜଣକ ଏତେ ରାଗିଯାଇ ଥିଲେ ଯେ ଶେଷରେ ନଦୀକୁ ଡେଇଁ ନିଜ ଜୀବନ ହାରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.