ଜମ୍ମୁ ଷ୍ଟେସନ ବାହାରେ ଯାତ୍ରୀଙ୍କ ମନୋରଞ୍ଜନ କଲେ ପୋଲିସ ଯବାନ, ହାତରେ ଗୀଟାର ଧରି ଗାଇଲେ, ‘ଗୁଲାବି ଆଂଖେ…’, ଖୁବ ଭାଇରଲ ହେଉଛି ଏହି Video

ଜମ୍ମୁ ପୋଲିସ କପର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଭିଡ଼ିଓରେ ଦେଖାଯାଉଛି, ଜମ୍ମୁ ଷ୍ଟେସନ ବାହାରେ ଛିଡ଼ାହୋଇଥିବା ଯାତ୍ରୀମାନଙ୍କ ମନୋରଞ୍ଜନ କରିବା ପାଇଁ ନିଜେ ପୋଲିସ ସବଡିଭିଜନାଲ ଅଫିସର ହାତରେ ଗୀଟାର ଧରି ଗୀତ ଗାଉଛନ୍ତି। ସେ 1970 ମସିହାର ଫିଲ୍ମ ‘ଦ ଟ୍ରେନ’ର ପ୍ରସିଦ୍ଧ ଗୀତ ‘ଗୁଲାବି ଆଂଖେ ଜୋ ତେରୀ ଦେଖି’ ଗାଉଥିବାର ନଜର ଆସୁଛନ୍ତି।

ଭିଡ଼ିଓକୁ ଆଇପିଏସ ଅଫିସର ମୁକେଶ ସିଂ ନିଜ ଟୁଇଟର ହ୍ୟାଣ୍ଡେଲରୁ ସେୟାର କରିଛନ୍ତି। ଏହାସହିତ ସେ କ୍ୟାପସନ ଲେଖିଛନ୍ତି, ‘ଜମ୍ମୁ ଇଷ୍ଟର ସବଡିଭିଜନାଲ ପୋଲିସ ଅଫିସର ଜମ୍ମୁରୁ ଖୋଲିଥିବା ସ୍ପେଶାଲ ଟ୍ରେନର ଯାତ୍ରୀମାନଙ୍କ ପାଇଁ ଷ୍ଟେସନ ବାହାରେ ଗୀତ ଗାଉଛନ୍ତି। କରୋନା ମହାମାରୀ ଓ ଲକଡାଉନ ଭିତରେ ଏହି ପ୍ରଥମ ସ୍ପେଶାଲ ଟ୍ରେନ ଜମ୍ମୁରୁ ବାହାରିଛି’।

ତେବେ ଏହି ଭିଡ଼ିଓଟି ସେୟାର ହେଉ ହେଉ ଏତେ ମାତ୍ରାରେ ଭାଇରଲ ହୋଇଯାଇଥିଲା ଯେ ଏ ପର୍ଯ୍ୟନ୍ତ ଏହାକୁ 16 ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି। ଏପରିକି ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ‘କରୋନା ଭୟର ବାତାବରଣ ଭିତରେ ପୋଲିସ ଯବାନ ଏହିଭଳି ଭାବେ ଲୋକଙ୍କ ମନୋରଞ୍ଜନ କରିବା ବାସ୍ତବିକ ପ୍ରଶଂସାଯୋଗ୍ୟ’। ଆଉ ଜଣେ ଲେଖିଥିଲେ, ‘ଏଭଳି ପରିବେଶରେ ଏହି ପ୍ରକାର ଭିଡ଼ିଓ ମନରେ ଖୁସି ଦେଇଥାଏ’। ସେହିପରି ଅନ୍ୟ ଜଣେ ୟୁଜର କହିଥିଲେ, ‘ଏହି ଯବାନଙ୍କୁ ଯେତେ ପ୍ରଶଂସା କଲେ ବି ସେତେ କମ ପଡ଼ିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.