ବ୍ଲାକ୍‌ ବେଲ୍ଟ ପୁଟିନ୍‌ଙ୍କୁ ବଡ଼ ଝଟ୍‌କା, ଅଧ୍ୟକ୍ଷ ଓ ଆମ୍ବାସାଡ଼ର ପଦରୁ ସସ୍‌ପେଣ୍ଡ୍‌ କଲା ଜୁଡୋ ଫେଡେରେସନ୍‌

ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ ହେବା ପରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବେ ଖେଳ ଜଗତର ଟାର୍ଗେଟ୍‌ରେ। ତାଙ୍କୁ ଓ ତାଙ୍କ ଦେଶକୁ ଲଗାତାର ଗୋଟିଏ ପରେ ଗୋଟେ ଝଟ୍‌କା ମିଳୁଛି। ପ୍ରଥମେ ଚାମ୍ପିୟନ୍‌ସ ଲିଗ୍‌ର ଫାଇନାଲର ହୋଷ୍ଟିଂ ରୁଷ ହାତରୁ ଛଡ଼ାଇ ନିଆଯାଇଥିବା ବେଳେ ଏବେ ଇଣ୍ଟର ନ୍ୟାସନାଲ ଜୁଡୋ ଫେଡେରେସନ୍‌ ଆଉ ଏକ ବଡ଼ ଝଟ୍‌କା ଦେଇଛି।

ଇଣ୍ଟରନ୍ୟାସନାଲ ଜୁଡୋ ଫେଡେରେସନ୍‌ ଏବେ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ସସ୍‌ପେଣ୍ଡ କରିଛି। ଏଥିସହ ପୁଟିନ୍‌ ଏହି ସଂସ୍ଥାର ଆମ୍ବାସାଡ଼ର ମଧ୍ୟ ଥିଲେ। ତାଙ୍କୁ ଉଭୟ ପଦରୁ ସଂସ୍ଥା ସସ୍‌ପେଣ୍ଡ୍‌ କରିଛି। ୟୁକେନ୍‌ ବିରୋଧରେ ରୁଷ ଯୁଦ୍ଧ ଘୋଷଣା ପରେ ଫେଡେରେସନ୍‌ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଭ୍ଲାଦିମିର ପୁଟିନ୍‌ ରାଜନୀତି ବ୍ୟତୀତ ଖେଳ ଜଗତରେ ବି ବେଶ୍‌ ରୁଚି ରଖନ୍ତି। ଏହି କାରଣରୁ ୬୯ ବର୍ଷ ବୟସରେ ବି ସେ ପୂରା ଫିଟ୍‌ ଅଛନ୍ତି। ପୁଟିନ୍‌ଙ୍କର ଜୁଡ଼ୋ, ବକ୍ସିଂ, ଫୁଟବଲ୍‌, ଘୋଡ଼ା ଦୌଡ଼, ଡାଇଭିଂ, ହକି ଓ ବ୍ୟାଡମିଣ୍ଟନ୍‌ ଖେଳ ପ୍ରତି ପ୍ରବଳ ଆଗ୍ରହ ରହିଛି। ସେ ଜଣେ ବ୍ଲାକ୍‌ ବେଲ୍ଟ ମଧ୍ୟ। ସେ ଅନେକ ଥର ବଡ଼ ବଡ଼ ଯୋଦ୍ଧାଙ୍କୁ ବି ଧୂଳି ଚଟାଇଛନ୍ତି। କିନ୍ତୁ ୟୁକ୍ରେନ୍‌ ସହ ଯୁଦ୍ଧ ପରେ ଏବେ ଖେଳ ଜଗତରୁ ତାଙ୍କୁ ଧୀରେ ଧୀରେ ସସ୍‌ପେଣ୍ଡ କରାଯାଉଛି ଓ ବାହାର କରି ଦିଆଯାଉଛି।