Below header

ମହାନ ଅଷ୍ଟ୍ରେଲୀୟ କ୍ରିକେଟର ରୋଡ୍‌ ମାର୍ଶ କୋମାରେ, ଜୀବନ ଯୁଦ୍ଧରେ କରୁଛନ୍ତି ସଂଗ୍ରାମ

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ଭେଟେରାନ ଅଷ୍ଟ୍ରେଲୀୟ କ୍ରିକେଟର ରୋଡ ମାର୍ଶ ହୃଦଘାତରେ ପୀଡିତ ହେବା ପରେ କୋମାକୁ ଚାଲି ଯାଇଛନ୍ତି। ବର୍ତ୍ତମାନ ସେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି। ବିଶ୍ୱର କୋଣ ଅନୁକୋଣରୁ ତାଙ୍କ ପାଇଁ ପ୍ରେମ ଏବଂ ଆରୋଗ୍ୟ କାମନାର ବାର୍ତ୍ତା ଛୁଟୁଛି। ରିପୋର୍ଟ ମୁତାବକ, ଏକ ଚ୍ୟାରିଟି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବୁଣ୍ଡାବର୍ଗ ଯାଇଥିବା ମାର୍ଶଙ୍କର ହଠାତ୍‌ ହାର୍ଟ କାମ କରି ନ ଥିଲା। ଏହି ସମୟରେ ତାଙ୍କୁ ହୃଦଘାତ ଆସିଥିଲା। ଏହାପରେ ସେଠାରେ ବୁଲ୍ସ ମାଷ୍ଟର୍ସର ଆୟୋଜକ ଜନ୍ ଗ୍ଲେନଭିଲ୍‌ ଓ ଡେଭିଡ ହିଲିୟର୍ ତାଙ୍କୁ ତୁରନ୍ତ ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ। ବୁଲ୍ସ ମାଷ୍ଟର୍ସର ଜିମି ମାହେର କହିଥିଲେ ଯେ ଯଦି ସେମାନେ ଆମ୍ବୁଲାନ୍ସକୁ ଅପେକ୍ଷା କରି ଥାନ୍ତେ, ତା’ ହେଲେ ବୋଧହୁଏ ଏକ ବଡ଼ ଦୁର୍ଘଟଣା ଘଟିଯାଇ ଥାଆନ୍ତା।

୭୪ ବର୍ଷୀୟ ରୋଡ୍ ଅଷ୍ଟ୍ରେଲିଆ ପାଇଁ ୧୯୭୦ରୁ ୧୯୮୪ ମଧ୍ୟରେ ୯୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ହାରାହାରି ୨୬.୫୧ରେ ୩ ହଜାର ୬୩୩ ରନ୍ ସ୍କୋର କରିଥିଲେ। ତାଙ୍କ ନାମରେ ୩ଟି ଶତକ ଏବଂ ୧୬ଟି ଅର୍ଦ୍ଧଶତକ ରହିଛି। ସେପଟେ ମାର୍ଶ ୯୨ଟି ଦିନିକିଆ ମ୍ୟାଚ୍‌ରେ ନିଜ ଦେଶର ପ୍ରତିନିଧିତ୍ୱ କରିଥିଲେ, ଯେଉଁଥିରେ ସେ ୧୨୨୫ ରନ୍ କରିଥିଲେ। ତାଙ୍କ ନାମରେ ୪ଟି ଅର୍ଦ୍ଧଶତକ ରହିଛି। ରୋଡ୍ ମାର୍ଶ ୨୦୧୬ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ପୁରୁଷ ଟିମ୍‌ର ଚୟନକର୍ତ୍ତା ମଧ୍ୟ ରହିଛନ୍ତି।

ଅଷ୍ଟ୍ରେଲିଆ କ୍ରିକେଟ ସଂଘ ମାର୍ଶଙ୍କ ପରିବାର ପକ୍ଷରୁ ଏକ ବୟାନ ଜାରି କରିଛି। ଏଥିରେ କୁହାଯାଇଛି କି, ରୋଡ୍ ମାର୍ଶ ଜୀବନ ଯୁଦ୍ଧରେ ଲଢ଼ୁଛନ୍ତି। ସେ କୋମାରେ ଅଛନ୍ତି। ତାଙ୍କ ପୁଅ ପଲ୍‌ କହିଛନ୍ତି, ଆମେ ଜାଣୁ ଯେ ବାପାଙ୍କ ଅବସ୍ଥା ବିଷୟରେ ଅନେକ ଲୋକ ଜାଣିବାକୁ ଚାହାଁନ୍ତି। ଆମ ପରିବାର ସାରା ବିଶ୍ୱରୁ ମିଳିଥିବା ପ୍ରେମ ଏବଂ ସମର୍ଥନ ବାର୍ତ୍ତାରେ ଅଭିଭୂତ ହୋଇ ଯାଇଛି। ଆମେ ସମସ୍ତଙ୍କ ମେସେଜ ପଢ଼ିଲୁ ଏବଂ ଶୁଣିଲୁ। ଆମେ ସମସ୍ତଙ୍କୁ କୃତଜ୍ଞତା ଜଣାଉଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.