Below header

ଇମ୍ରାନ ଖାନଙ୍କ ସହିତ ଝଗଡା କରି ଘରୁ ପଳାଇଲେ ତୃତୀୟ ପତ୍ନୀ !

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ସମସ୍ୟାରେ ଝଟପଟ ହେଉଛନ୍ତି। ଏପଟେ ତାଙ୍କର ପତ୍ନୀମାନେ ତାଙ୍କୁ ଛାଡ଼ି ଚାଲି ଯାଉଥିବା ବେଳେ ଅନ୍ୟପଟେ ଦେଶର ସର୍ବୋଚ୍ଚ ପଦବୀ ମଧ୍ୟ ତାଙ୍କ ହାତରୁ ଚାଲିଯିବାକୁ ବସିଛି । ସୂଚନାନୁଯାୟୀ, ଇମ୍ରାନଙ୍କ ସହ ଝଗଡ଼ା ପରେ ତାଙ୍କର ତୃତୀୟ ପତ୍ନୀ ବୁସ୍ରା ବିବି ମାନେକା ତାଙ୍କୁ ଛାଡ଼ି ଲାହୋର ପଳାଇ ଯାଇଛନ୍ତି । ବୁସ୍ରା ଏବେ ଲାହୋରରେ ଥିବା ତାଙ୍କ ସାଙ୍ଗ ସହିତ ରହୁଛନ୍ତି। କିନ୍ତୁ ଇମ୍ରାନଙ୍କ ବିଶେଷ ସହାୟକ ଶାହବାଜ ଗିଲ ଏହାକୁ ସଂପୂର୍ଣ୍ଣ ଭାବେ ଖାରଜ କରିବା ସହିତ ଯିଏ ଏହି ଖବର ପ୍ରଚାର କରିଛି ତାଙ୍କ ବିରୋଧରେ କୋର୍ଟରେ ମାମଲା ଦାଏର କରିଛନ୍ତି।

ତେବେ ପାକିସ୍ତାନର ପ୍ରଥମ ମହିଳାଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପାକିସ୍ତାନର ନ୍ୟୁଜ ୱେବସାଇଟ୍ ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଶନିବାର ଦିନ ଜଣେ ସାମ୍ବାଦିକ ଦାବି କରିଛନ୍ତି ଯେ, ବୁସ୍ରା ବିବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଝଗଡା କରିଛନ୍ତି ଏବଂ ତାଙ୍କ ବନ୍ଧୁ ଫରାହ ଖାନଙ୍କ ଘରେ ରହିବାକୁ ବାନି ଗାଲା ରୁ ଲାହୋର ଯାଇଛନ୍ତି।

କିନ୍ତୁ ବୁସ୍ରା ବିବିଙ୍କ ବନ୍ଧୁ ଫରାହ ଖାନ ମଧ୍ୟ ଇମ୍ରାନ ଖାନ ଏବଂ ବୁସ୍ରାଙ୍କ ମଧ୍ୟରେ ଝଗଡା ହେବା ଖବରକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ବୁସ୍ରା ତାଙ୍କ ଘରେ ନୁହେଁ, ଇମ୍ରାନ ଖାନଙ୍କ ଘରେ ରହିଛନ୍ତି। ଫରାହ ଖାନ କହିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟ ହେଇଛି ଯେ ବୁସ୍ରା ବିବି ଦୀର୍ଘ ଦିନ ଧରି ଲାହୋରକୁ ଆସି ନ ଥିବାରୁ ଏହି ଖବର କିପରି କଲା?

ଖବର ମୁତାବକ, ବୁସ୍ରା ଇମ୍ରାନଙ୍କଠାରୁ ବୟସରେ ୨୫ ବର୍ଷ ସାନ ହୋଇଥିବା ବେଳେ ଦୁହେଁ ୨୦୧୮ରେ ବିବାହ କରିଥିଲେ । ସେହିପରି ୧୯୯୫ରେ ଇମ୍ରାନ ବ୍ରିଟିଶ ସୁନ୍ଦରୀ ଜେମିମା ଗୋଲ୍ଡସ୍ମିଥଙ୍କୁ ବିବାହ କରିଥିଲେ । ମାତ୍ର ୨୦୨୪ରେ ଦୁହିଁଙ୍କ ବିଚ୍ଛେଦ ଘଟିଥିଲା । ତା’ପରେ ଇମ୍ରାନ ସାମ୍ବାଦିକା ରେହମ୍ ଖାଁନଙ୍କୁ ବିବାହ କରିଥିଲେ ହେଁ ମାତ୍ର ୮ ମାସ ପରେ ସେମାନଙ୍କର ଡିଭୋର୍ସ ହୋଇଯାଇଥିଲା ।

ତେବେ ବ୍ୟକ୍ତିଗତ ଜୀବନକୁ ନେଇ ସଙ୍କଟରେ ଥିବା ଇମ୍ରାନଙ୍କୁ ପଦଚ୍ୟୁତ କରିବା ପାଇଁ ବିରୋଧୀ ଦଳ ଆଗକୁ ଆସିଛି । ୪ ଦିନ ପୂର୍ବେ ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ପାକିସ୍ତାନ ପିପୁଲ୍ସ ପାର୍ଟି, ପିଏମଏଲ-ଏନ, ପିଏମଏଲକ୍ୟୁ ସମସ୍ତେ ଅନ୍ୟ ବିରୋଧୀ ଦଳ ଏଥିନେଇ ସହମତି ପ୍ରକାଶ କରିଥିଲେ । ଇମ୍ରାନ ବିଭିନ୍ନ ସମୟରେ ଦେଶ ବିଦେଶରେ ନିଜର ପିଲାଳିଆମି ଆଚରଣ ପାଇଁ ଲଜ୍ଜିତ ହୋଇଛନ୍ତି । ତାଙ୍କ ସମୟରେ ପାକିସ୍ତାନର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ପରିସ୍ଥିତି ଏପରି ଯେ ପାକସ୍ତାନରେ ବର୍ତ୍ତମାନ ପଟ୍ରୋଲ ଲିଟର ୧୫୦ ଟଙ୍କା, ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୯୮୪୭ ଟଙ୍କାରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.