ସ୍ୱାଭାବିକ ହେଉଛି ଘାଟିରେ ସ୍ଥିତି, ଧାରା ୩୭୦ ହଟିବା ପରେ ଘାଟିରେ ଗୋଟିଏ ବି ମୃତ୍ୟୁ ଘଟିନି
ଶ୍ରୀନଗର : ସ୍ୱାଭାବିକ ହେଉଛି ଘାଟିରେ ସ୍ଥିତି। ଜମ୍ମୁ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ହଟିବା ପରେ ଘାଟିରେ ଗୋଟିଏ ବି ମୃତ୍ୟୁ ଘଟିନି। ରାଜ୍ୟର ୨୨ଟି ଜିଲ୍ଲାରୁ ୧୨ଟିରେ ପରିସ୍ଥିତି ସ୍ୱାଭାବିକ ରହିଛି। ୫ଟି ଜିଲ୍ଲାରେ ସୀମିତ କଟକଣା ଜାରି କରାଯାଇଛି। ସୋମବାର ସୁଦ୍ଧା ସମସ୍ତ ସ୍କୁଲ, କଲେଜ ଖୋଲିବ ବୋଲି କହିଛନ୍ତି ଜମ୍ମୁ କଶ୍ମୀର ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମ। ଆଜି ଠାରୁ ସମସ୍ତ ସରକାରୀ କାର୍ୟ୍ୟାଳୟ ମଧ୍ୟ ସ୍ୱାଭାବିକ ହୋଇଛି। ଆସନ୍ତାକାଲି ଠାରୁ ଲ୍ୟାଣ୍ଡଲାଇନ ଫୋନ ସେବା ଯୋଗାଇ ଦିଆଯିବ। ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ଏହା ମଧ୍ୟରେ ୧୨ଦିନ ବିତିଛି। ଲୋକଙ୍କ ଚଳପ୍ରଚଳ ପାଇଁ ସୁରକ୍ଷାକୁ ସାମାନ୍ୟ କୋହଳ କରାଯାଇଛି। ତେବେ ରାଜ୍ୟରେ ସୁରକ୍ଷା କର୍ମୀଙ୍କ କଡ଼ା ପହରା ରହିଛି। ଶୁକ୍ରବାର ନମାଜ ପାଠ ପାଇଁ ବିଭିନ୍ନ ମସ୍ଜିଦରେ ମଧ୍ୟ ଆଜି ଭିଡ଼ ଜମିଥିବା ଦେଖାଯାଇଥିଲା।