ନୁପୂର ଶର୍ମାଙ୍କୁ ସମର୍ଥନ କଲା ୮ ବର୍ଷର ପୁଅ, ଦିନ ଦ୍ୱିପ୍ରହରରେ ବାପାକୁ ଗଳା କାଟି ହତ୍ୟା କଲେ ୩ ଯୁବକ

ରାଜସ୍ଥାନର ଉଦୟପୁରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଦିନ ଦ୍ୱିପ୍ରହରରେ ୩ ଜଣ ଯୁବକ ଗଳା କାଟି ହତ୍ୟା କରିଛନ୍ତି। କୁହାଯାଉଛି ଯେ ମୃତ ବ୍ୟକ୍ତିଙ୍କ ୮ ବର୍ଷର ପୁଅ ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ୍‍ କରିଥିଲା। ଏଥିରେ ରାଗିଯାଇ ଯୁବକମାନେ ତାଙ୍କ ବାପାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏହାକୁ ହସ୍ପିଟାଲର ଶବଗୃହରେ ରଖିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ଏଠାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି।

ସୂଚନା ମୁତାବକ, ମୃତକଙ୍କ ନାଁ କହ୍ନେୟାଲାଲ। ତାଙ୍କ ୮ ବର୍ଷର ପୁଅ ମୋବାଇଲ ଫୋନରୁ ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଏହାକୁ ନେଇ କିଛି ଯୁବକ ରାଗି ଯାଇଥିଲେ ଏବଂ ୩ ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ନାବାଳକଙ୍କ ବାପାଙ୍କୁ ଗଳା କାଟି ହତ୍ୟା କରିଛନ୍ତି।

ଏହି ଘଟଣାକୁ ନେଇ ବିଭିନ୍ନ ହିନ୍ଦୁ ସଙ୍ଗଠନରେ ଆକ୍ରୋଶ ଦେଖାଦେଇଛି। ଘଟଣାରେ ୨ ମୁସଲମାନ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି। ସେମାନେ ଏକ ଭିଡିଓ ଜାରି କରି ନିଜକୁ ହତ୍ୟା ପାଇଁ ଦାୟୀ କରିଛନ୍ତି। ସେପଟେ ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଟ୍ଵିଟ୍‌ କରି କହିଛନ୍ତି କି, ଉଦୟପୁରରେ ଘଟିଥିବା ଜଘନ୍ୟ ହତ୍ୟାର ଭର୍ତ୍ସନା କରୁଛି। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.