Below header

ରାହୁଲ ଗାନ୍ଧୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଟ୍ଵିଟରରେ ସେୟାର କରିଥିଲେ ଦୁଷ୍କର୍ମ ଏବଂ ହତ୍ୟା ପୀଡ଼ିତାଙ୍କ ପରିବାରର ଫଟୋ, କୋର୍ଟରେ ଶୁଣାଣି

ନିକଟରେ ଦିଲ୍ଲୀରେ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିବାର ଫଟୋ ଟ୍ଵିଟରରେ ସେୟାର କରିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ହେବ। ସୂଚନାଥାଉ କି, ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଏକ ପିଟିସନ ଦାଖଲ ହୋଇଥିଲା, ଯାହାକୁ କୋର୍ଟ ସ୍ୱୀକାର କରିଛନ୍ତି।

ପିଟିସନ ଦାଖଲ କରିଥିବା ମକରନ୍ଦ ସୁରେଶ ମଡଲେକର ଅଭିଯୋଗ ଆଣିଥିଲେ ଯେ ରାହୁଲ ଗାନ୍ଧୀ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ ଏବଂ ପୋକ୍‌ସୋ ଆକ୍ଟକୁ ଉଲ୍ଲଂଘନ କରିଛନ୍ତି। ତେବେ ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିଏନ୍‌ ପଟେଲଙ୍କୁ ନେଇ ଗଠିତ ଖଣ୍ଡପୀଠ କରିବେ।

ରାହୁଲ ଗାନ୍ଧୀ ବୁଧବାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଏହାପରେ ସେ କହିଥିଲେ କି, ଏହି ପରିବାର ନ୍ୟାୟ ଚାହୁଁଛି। ନ୍ୟାୟ ମିଳିବା ପର୍ଯ୍ୟନ୍ତ ସେ ସେମାନଙ୍କ ସହିତ ଛିଡ଼ା ରହିବେ। ସେପଟେ ଟ୍ଵିଟର ରାହୁଲଙ୍କର ଏହି ଟ୍ଵିଟ୍‌କୁ ହଟାଇ ଦେଇଛି, ଯେଉଁଥିରେ ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିବା ନାବାଳିକାଙ୍କ ପରିବାରର ପରିଚୟ ଜଣାପଡ଼ୁଥିଲା। ଏହି ଟ୍ଵିଟ୍‌ରେ ସେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଥିବାର ଫଟୋ ସେୟାର କରିଥିଲେ।

ରାଷ୍ଟ୍ରୀୟ ବାଲ ଅଧିକାର ସଂରକ୍ଷଣ ଆୟୋଗ ମଧ୍ୟ ରାହୁଲ ଗାନ୍ଧୀଙ୍କ ଟ୍ଵିଟ୍‌କୁ ନେଇ ଦିଲ୍ଲୀ ପୋଲିସ ଏବଂ ଟ୍ଵିଟର ନିକଟରେ ଅଭିଯୋଗ କରିଥିଲା। ଏ ନେଇ ଆୟୋଗ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.