ଗୁଜରାଟ ବିଶ୍ୱବିଦ୍ୟାଳୟରେ ହିଂସା; ବିଦେଶୀ ଛାତ୍ରଙ୍କୁ ଆକ୍ରମଣ, ହଷ୍ଟେଲରେ ପଢ଼ୁଥିଲେ ନମାଜ

ଗୁଜରାଟ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି । ବିଶ୍ୱବିଦ୍ୟାଳୟର ଏ-ବ୍ଲକ୍ କ୍ୟାମ୍ପସରେ ପଶି କିଛି ଯୁବକ ଆଫଗାନିସ୍ତାନ ଏବଂ ଉଜବେକିସ୍ତାନର ଛାତ୍ରଙ୍କୁ ଆକ୍ରମଣ କରିଛନ୍ତି ।

ଗୁଜରାଟ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି । ବିଶ୍ୱବିଦ୍ୟାଳୟର ଏ-ବ୍ଲକ୍ କ୍ୟାମ୍ପସରେ ପଶି କିଛି ଯୁବକ ଆଫଗାନିସ୍ତାନ ଏବଂ ଉଜବେକିସ୍ତାନର ଛାତ୍ରଙ୍କୁ ଆକ୍ରମଣ କରିଛନ୍ତି । ଏହି ବିଦେଶୀ ଛାତ୍ରମାନେ ହଷ୍ଟେଲରେ ନମାଜ ପାଠ କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିବା ଦାବି କରାଯାଉଛି ।

ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଛାତ୍ରମାନଙ୍କୁ ଠେଙ୍ଗା, ବାଡ଼ିରେ ଆକ୍ରମଣ କରାଯିବା ସହ ସେଠାରେ ଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି । ଏହି ପୂରା ଘଟଣା କ୍ୟାମ୍ପସରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା ।

ସୂଚନା ପାଇ ବିଧାୟକ ଇମ୍ରାନ ଖେଡାୱାଲା, ପୂର୍ବତନ ବିଧାୟକ ଗୟାସୁଦ୍ଦିନ ଶେଖଙ୍କ ସହ ଅନ୍ୟ ନେତାମାନେ ପହଞ୍ଚିଥିଲେ । ଆହତ ଛାତ୍ରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସଂଘଭି ମଧ୍ୟ ଏ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ବିଦେଶୀ ଛାତ୍ରମାନେ କଲେଜ ହଷ୍ଟେଲ ପରିସରରେ ନମାଜ ପଢ଼ୁଥିଲେ । ଏଥିରେ ରାଗିଯାଇ କିଛି ଯୁବକ ଏହାକୁ ବିରୋଧ କରିଥିଲେ, ଯାହା ପରେ କଥା ମାରପିଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ପୀଡ଼ିତ ଛାତ୍ରମାନେ ଦାବି କରିଛନ୍ତି ଯେ ବାହାରୁ କିଛି ଯୁବକ ହଠାତ୍ ସେମାନଙ୍କ ହଷ୍ଟେଲ ଭିତରକୁ ପଶି ଆସିଥିଲେ ଏବଂ ଯୁକ୍ତିତର୍କ ଆରମ୍ଭ କରିଥିଲେ । ସେମାନଙ୍କୁ କୁହାଯାଇଥିଲା ଯେ ହଷ୍ଟେଲରେ ନମାଜ ପାଠର ଅନୁମତି ନାହିଁ । ପରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା ଏବଂ ମାରପିଟ ଆରମ୍ଭ ହୋଇଥିଲା ।

ଛାତ୍ରମାନେ କହିଛନ୍ତି ଯେ ସେମାନଙ୍କ କୋଠରୀରେ ଭଙ୍ଗାରୁଜା କରାଯାଇଛି । ସେମାନଙ୍କ ଲାପଟପ୍, ମୋବାଇଲ୍ ଫୋନ୍ ଏବଂ ଦର୍ପଣ ଭାଙ୍ଗି ଦିଆଯାଇଛି । ସେପଟେ ଏହି ଘଟଣାକୁ ନେଇ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓବେସି ମଧ୍ୟ ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ୍ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.