ଜୀବନର ଶେଷ ସମୟ ମା’ କୋଳରେ ଶୋଇବାକୁ ଚାହୁଁଥିଲେ ଏହି କ୍ୟାନ୍ସର ପୀଡିତ ଅପରାଧୀ, କିନ୍ତୁ ସୁପ୍ରିମକୋର୍ଟ ଦେଲେ ଏଭଳି ରାୟ

ନୂଆଦିଲ୍ଲୀ : କ୍ୟାନ୍ସର ଏକ ଏଭଳି ରୋଗ ଯାହାର ନାମ ଶୁଣିବା ମାତ୍ରେ ମନରେ ଭୟ ଚାଲିଆସେ । ଏଥିରୁ ନିସ୍ତାର ମିଳିବା ଏତେ ସହଜ  ନୁହେଁ। କିନ୍ତୁ ଏହା ଯେବେ ଶେଷ ସ୍ତରରେ ପହଞ୍ଚିଯାଏ ସେତେବେଳେ ପୀଡିତ ବ୍ୟକ୍ତି କେବଳ ଶେଷ ସମୟରେ ଟିକେ ଶାନ୍ତିରେ ଆଖି ବୁଜିବାକୁ ଚାହେଁ । ଥରେ ଭାବିଲେ ଯଦି କୌଣସି ବ୍ୟକ୍ତି ଏହି ଶେଷ ସମୟରେ ମନର ଅଭିଳାଷକୁ ଜଳାଞ୍ଜଳୀ ଦେଇ ଦୁଃଖ ମନରେ ଜୀବନର ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଅପେକ୍ଷା କରିଥିବ ସେହି ସମୟରେ ତାର ଅବସ୍ଥା କଣ ହେଉଥିବ। ଏମିତି ଜଣେ କ୍ୟାନ୍ସର ରୋଗୀଙ୍କ ଘଟଣା ସାମ୍ନାକୁ ଆସିଛି । ରୋଗୀ ଜଣକ ପୂର୍ବରୁ ଜାଲ ନୋଟ କାରବାର ପାଇଁ ଜେଲରେ ସଜା କାଟୁଛନ୍ତି। ଗତ ୬ ଜୁନରେ ରୋଗୀ ଜଣଙ୍କ ଜୀବନର ଶେଷ ନିଶ୍ୱାସ ମା’ କୋଳରେ ତ୍ୟାଗ କରିବାକୁ ନେଇ ସୁପ୍ରିମ କୋର୍ଟରେ ଅପିଲ କରିଥିଲେ। କିନ୍ତୁ ସଜା କାଟୁଥିବା ରୋଗୀଙ୍କ ଅପିଲକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

କଣ ମାମଲା ଥିଲା ଏହି ରୋଗୀଙ୍କର

୪୨ ବର୍ଷିୟ ଆଶୁ ଜୈଫ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଗତବର୍ଷ ୨୩ ଲକ୍ଷ ଟଙ୍କାର ଜାଲ୍ ନୋଟ ଜବତ ହୋଇ ଜୟପୁରରେ ତାଙ୍କ ବିରୋଧରେ କେସ୍‌ ରୁଜୁ ହୋଇଥିଲା । ଆଶୁ ବିଗତ ୮ ମାସ ହେବ ମୁଖ ଗହ୍ଵର କ୍ୟାନସର ରୋଗରେ ପୀଡିତ ହୋଇ ଜୟପୁରର ସବାଇ ମାନସିଂହ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଶୁ ଜୈଫ କ୍ୟାନସରର ଉତ୍ତମ ଚିକିତ୍ସା ପାଇଁ ରାଜସ୍ଥାନ ହାଇକୋର୍ଟରେ ଜାମୀନ୍‌ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ ଆଶୁ ଜୈଫ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଆବେଦନରେ କଣ ଲେଖାହୋଇଥିଲା

ଆବେଦନରେ ଲେଖାଯାଇ ଥିଲା ତଳ କୋର୍ଟରେ ଶୁଣାଣୀ କରିବାକୁ ଅଧିକ ସମୟ ଲାଗିବ। ସେହି ସମୟ ମଧ୍ୟରେ ଆଶୁ ଜୈଫଙ୍କ ମୃତ୍ୟୁ ହୋଇ ସାରିଥିବ। ଶୁଣାଣୀର ଆଗେଇବା ବେଳକୁ ହୋଇପାରେ ସେ ନିଜର ମାନସିକ ଭାରସାମ୍ୟ ହରାଇ ପାରନ୍ତି। ଏମିତିରେ କ୍ୟାନ୍ସର ରୋଗୀ ମାନେ ସବୁବେଳେ ନିଜର ଜିଇବାର ଇଚ୍ଛାକୁ ହରାଇ ବସିଥାନ୍ତି। ଏହା ମଧ୍ୟ ଜୈଫ ନିଜ ଆବେଦନରେ ଲେଖିଥିଲେ, ସେ ଜିଇବାର ଆଶା ଛାଡି ଦେଇଛନ୍ତି ଓ ସେ ଜୀବନର ଶେଷ ନିଦ ନିଜ ମା’ କୋଳରେ ଶୋଇବାକୁ ଚାହୁଁଛନ୍ତି।

ସୁପ୍ରିମ କୋର୍ଟ କାହିଁକି ଦେଲେ ନାହିଁ ଜାମିନ୍‌

ଜଷ୍ଟିସ୍‌ ଇନ୍ଦିରା ବାନାର୍ଜି ଓ ଅଜୟ ରସ୍ତୋଗୀଙ୍କ ମିଳିତ ବିଚାରକ ମଣ୍ଡଳୀ ଏହି ମାମଲାର ଶୁଣାଣୀ କରିଥିଲେ। ବିଚାରକମାନେ ମେଡିକାଲ ରିପୋର୍ଟର ଅନୁସନ୍ଧାନ ପରେ ଜାମିନ୍‌ ଆବେଦନ ଖାରଜ କରିଥିଲେ। ଖାରଜ ରିପୋର୍ଟରେ କୁହାଯାଇଥିଲା ଆଶୁ ଜୈଫଙ୍କୁ ଭଲ ଚିକିତ୍ସା ଦିଆଯାଉଛି। ରାଜସ୍ଥାନର କୋର୍ଟର ସରକାରୀ ଓକିଲ ସନ୍ଦିପ ଝା ମଧ୍ୟ କହିଛନ୍ତି ଆଶୁ ଜୈଫ ଏବେ ଗୁଣାତ୍ମକ ଚିକିତ୍ସା ପାଉଛନ୍ତି ।

ଜୈଫଙ୍କ ବିରୋଧରେ ଆଇପିସିର ଧାରା ୪୮୯-ଏ,ବି,ସି,ଡି ଓ ଧାରା ୫୧୧ ଅଧିନରେ କେସ ରୁଜୁ କରାଯାଇଥିଲା। ଅଦାଲତରେ କୁହାଯାଇଥିଲା ଯେ, ଜେଲରେ ଥିବା ସମୟରେ ଆଶୁ ଜୈଫଙ୍କର ମୁଖ ଗହ୍ଵର କ୍ୟାନସର ରୋଗ ଜଣାପଡିଥିଲା। କିନ୍ତୁ ଠିକ୍‌ ଚିକିତ୍ସା ନମିଳିବାରୁ ରୋଗ ବଢି ୩ୟ ସ୍ତରକୁ ଚାଲି ଆସିଥିଲା। ଜୈଫଙ୍କ ଓକିଲ କହିଛନ୍ତି ତାଙ୍କ ମହକିଲ ଜୈଫଙ୍କୁ ଦୈନନ୍ଦିନ ରେଡିଓ ଥେରାପି ଦେଇ ଗତିକରିବାକୁ ପଡୁଛି । ସେ ସବୁଦିନ ତରଳ ଖାଦ୍ୟ ଖାଉଥିବାରୁ ତାଙ୍କ ଓଜନ କମିବାରେ ଲାଗିଲାଣି।

କୋର୍ଟରେ କାହିଁକି  ଦିଆଗଲା ଦଲିଲ

ଜୈଫଙ୍କ ଓକିଲ ଦଲିଲରେ ଲେଖିଥିଲେ ଜାଲ ନୋଟ ତିଆରି କରୁଥିବା ଅପରାଧୀ ଦୀପକ କୁମାର ମିଣା ଓ ଏହି ଜାଲ ନୋଟକୁ ମାର୍କେଟକୁ ଛାଡୁଥିବା ସୁନିଲ କୁମାର ମିଣାଙ୍କ ପୁର୍ବରୁ ଜାମିନ୍ ମିଳିସାରିଛି। ଏଥିପାଇଁ ତାଙ୍କ ମହକିଲଙ୍କ ଅବେଦନ ଉପରେ ମଧ୍ୟ ବିଚାର କରାଯିବା ଆବଶ୍ୟକତା ରହିଛି। ଜଷ୍ଟିସ୍ ରସ୍ତୋଗୀ କହିଛନ୍ତି ଆଶୁ ଜୈଫଙ୍କ ଅଦାଳତରରେ କରାଯାଇଥିବା ଆବେଦନ ସମ୍ପୂର୍ଣ୍ଣ ଭିନ୍ନ ଅଟେ । କାରଣ ଜୈଫ କେବଳ ଚିକିତ୍ସା ଉଦେଶ୍ୟରେ ଜାମୀନ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟଳୟ ୨୮ ମଇରେ ରାଜସ୍ଥାନ ସରକାରଙ୍କ ଠାରୁ ଜୟପୁରର ସବାଇ ମାନସିଂହ ହସ୍ପିଟାଲର ବିର୍ଲା କ୍ୟାନସର କେନ୍ଦ୍ରରରୁ ବି ଜବାବ ମାଗିଥିଲେ। ଏହା ପରେ କୋର୍ଟ ଏହି ଜାମୀନ ଆବେଦନକୁ ଖାରଜ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.