Below header

ଦିଲ୍ଲୀରେ କାମ କରୁଥିବା ଆଇଏଏସ ରହିବେ କେଜ୍ରିଓ୍ଵାଲ ସରକାରଙ୍କ ନିୟନ୍ତ୍ରଣରେ, ସୁପ୍ରିମ କୋର୍ଟଙ୍କ ସୁପ୍ରିମ ରାୟ

ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ପ୍ରସଙ୍ଗରେ ଆସିଲା ସୁପ୍ରିମ ରାୟ । ଆଇଏଏସଙ୍କ ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ରହିବ । ପୋଲିସ ଓ ଆଇନଶୃଙ୍ଖଳା ଉପରେ ଉପରେ ନିୟନ୍ତ୍ରଣ କେନ୍ଦ୍ରର ରହିବ । ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଏହା ଦିଲ୍ଲୀବାସୀଙ୍କ ବିଜୟ ।

କେନ୍ୟୁଜ୍‌(ବ୍ୟୁରୋ): ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ପ୍ରସଙ୍ଗରେ ଆସିଲା ସୁପ୍ରିମ ରାୟ । ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଦିଲ୍ଲୀ ସରକାରରେ କାମ କରୁଥିବା ଆଇଏଏସଙ୍କ ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ରହିବ । ପୋଲିସ ଓ ଆଇନଶୃଙ୍ଖଳା ଉପରେ ଉପରେ ନିୟନ୍ତ୍ରଣ କେନ୍ଦ୍ରର ରହିବ । ଦିଲ୍ଲୀର ଜମିଜମା ବ୍ୟବସ୍ଥା ଉପରେ କେନ୍ଦ୍ର ସରକାରଙ୍କର ରହିବ ନିୟନ୍ତ୍ରଣ । ଦିଲ୍ଲୀ ସରକାର କେନ୍ଦ୍ର ଦ୍ୱାରା ପରିଚାଳିତ ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ । ସମ୍ପୂର୍ଣ୍ଣ ପ୍ରଶାସନ ଦିଲ୍ଲୀର ଉପରାଜ୍ୟପାଳଙ୍କ ଦ୍ୱାରା ପରିଚାଳିତ ହେବ ନାହିଁ । କାରଣ ଏହା ହେଲେ ଦିଲ୍ଲୀର ବିଧାନସଭା କାହିଁକି ଅଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ଦିଲ୍ଲୀ ସରକାର ନିଜ ଅଫିସରଙ୍କ ଉପରେ ନିୟନ୍ତ୍ରଣ ରଖିବେ । ଯଦି ଗଣତନ୍ତ୍ରରେ ନିର୍ବାଚିତ ସରକାର ନିଜ ଅଫିସରଙ୍କ ଉପରେ ନିୟନ୍ତ୍ରଣ ନରଖିବେ ତେବେ ସେମାନଙ୍କୁ ଜବାବ ମାଗି ପାରିବେ ନାହିଁ । ତାହାଲେ ସରକାରଙ୍କ ଉତ୍ତରଦାୟିତ୍ୱ ରହିବ ନାହିଁ । ସରକାର ବିଧାନସଭା ଓ ଲୋକଙ୍କ ପାଖରେ କିଭଳି ଉତ୍ତରଦାୟୀ ରହିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଯଦି ଅଫିସରମାନେ ସରକାରଙ୍କ କଥା ଶୁଣିବେ ନାହିଁ ତାହାଲେ ନିର୍ବାଚିତ ସରକାରଙ୍କ କର୍ତ୍ତୃତ୍ୱ କଣ ରହିବ । ଅଫିସରମାନେ କାହା ପାଖରେ ଉତ୍ତରଦାୟୀ ରହିବେ ।

ଏହି ରାୟ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀ ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଏହା ଦିଲ୍ଲୀବାସୀଙ୍କ ବିଜୟ । ଏହା ଦ୍ୱାରା ଦିଲ୍ଲୀରେ ଚାଲିଥିବା ବିକାଶ ଧାରା ଆହୁରି ଆଗକୁ ବଢିବ ବୋଲି କେଜ୍ରିଓ୍ଵାଲ ଟ୍ଵିଟ କରି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.