ଅକ୍ସିଜେନ୍ ନେବା ଆଣିବା ପାଇଁ ୨୪ କଣ୍ଟେନର ଆମଦାନୀ କରିବ ଟାଟା ଗ୍ରୁପ୍, Oxygen ଅଭାବ ଦୂର କରିବାରେ ମିଳିବ ସହାୟତା
ଟାଟା ଗ୍ରୁପ୍ ଲିକ୍ୱିଡ୍ ଅକ୍ସିଜେନକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ଆଣିବା କରିବା ପାଇଁ ୨୪ କ୍ରାଇଓଗେନିକ୍ କଣ୍ଟେନର୍ସ ଆମଦାନୀ କରିବ। ଏହି କଣ୍ଟେନର୍ସ ଜରିଆରେ ଟାଟା ଗ୍ରୁପ୍ ଦେଶରେ ଅକ୍ସିଜେନ୍ ସପ୍ଲାଏ କରିବ। ଏଥିରୁ ସାରା ଦେଶରେ ଅକ୍ସିଜେନ୍ ଅଭାବକୁ ଦୂର କରିବାରେ ସହାୟତା ମିଳିପାରିବ। ସୂଚନାଥାଉ କି, ଦେଶରେ ବଢ଼ିଚାଲିଥିବା କୋଭିଡ୍ ମାମଲା ଭିତରେ ଅକ୍ସିଜେନ୍ର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଟାଟା ଗ୍ରୁପ୍ ଏ ନେଇ ସୂଚନା ଦେଇଛି।
କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନକୁ ପ୍ରଶଂସା କରିଛି ଟାଟା ଗ୍ରୁପ୍। ଏହା କହିଛି କି, କମ୍ପାନୀ କୋଭିଡ୍-୧୯ ସହ ଯଥାସମ୍ଭବ ମୁକାବିଲା କରିବାକୁ ପ୍ରତିବଦ୍ଧ ରହିଛି। ଗ୍ରୁପ୍ ଆହୁରି କହିଛି, ଅକ୍ସିଜେନ୍ ଅଭାବକୁ ଦୂର କରିବା ପାଇଁ ଚାର୍ଟର୍ଡ ବିମାନ ଦ୍ୱାରା କ୍ରାଇଓଗେନିକ୍ କଣ୍ଟେନର୍ସର ଆମଦାନୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜଭୁତ କରିବା ଦିଗରେ ଏକ ପ୍ରୟାସ। ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ନିଜ ସମ୍ବୋଧନରେ ଫାର୍ମାସ୍ୟୁଟିକାଲ କମ୍ପାନୀ ସମେତ ସମସ୍ତ ଷ୍ଟେକ୍ହୋଲ୍ଡରଙ୍କୁ ଅକ୍ସିଜେନ୍ ସିଲିଣ୍ଡର ଅଭାବ ଭଳି ତତ୍କାଳୀନ ଚ୍ୟାଲେଞ୍ଜକୁ ଏକ ସାଥୀରେ ମିଶି ଦୂର କରିବାକୁ ଆହ୍ଵାନ କରିଥିଲେ।
ଗତବର୍ଷ ଯେତେବେଳେ କରୋନା ମହାମାରୀର ପ୍ରଥମ ଲହରୀ ଭାରତକୁ ପ୍ରବେଶ କରିଥିଲା, ତ ଟାଟା ଗ୍ରୁପ୍ ଦକ୍ଷିଣ କୋରିଆ, ଆମେରିକା ଓ ଚୀନ ଭଳି ଦେଶରୁ ବୃହତ୍ ପରିମାଣରେ ଭେଣ୍ଟିଲେଟର୍ସ, ପିପିଇ କିଟ୍ସ, ମାସ୍କ ଓ ଗ୍ଲୋଭ୍ସ ଆମଦାନୀ କରିଥିଲା। କମ୍ପାନୀ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ୧,୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦେଇଥିଲା।