ଧାରା ୩୭୦ ଉଚ୍ଛେଦ ବୈଧ…କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ‘ସୁପ୍ରିମ୍‌’ ମୋହର

ଜମ୍ମୁ-କାଶ୍ମୀରରୁ ‘ଧାରା ୩୭୦’ର ଉଚ୍ଛେଦ ସାମ୍ବିଧାନିକ ରୂପେ ବୈଧ। କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍‌ ଥିଲା। ଏହିପରି ଭାବେ ଆଜି ସୁପ୍ରିମ୍‌କୋର୍ଟ ଜମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ହଟାଇବାର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

ଜମ୍ମୁ-କାଶ୍ମୀରରୁ ‘ଧାରା ୩୭୦’ର ଉଚ୍ଛେଦ ସାମ୍ବିଧାନିକ ରୂପେ ବୈଧ। କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍‌ ଥିଲା। ଏହିପରି ଭାବେ ଆଜି ସୁପ୍ରିମ୍‌କୋର୍ଟ ଜମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ହଟାଇବାର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି, ‘ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହାର କୌଣସି ଆଭ୍ୟନ୍ତରୀଣ ସାର୍ବଭୌମତ୍ୱ ନାହିଁ’।

୨୦୧୯ ଅଗଷ୍ଟ ୫ରେ ମୋଦି ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ର ପ୍ରଭାବକୁ ରଦ୍ଦ କରି ଦେଇଥିଲେ। ଏହାସହ ରାଜ୍ୟକୁ ଦୁଇଟି ଭାଗରେ ବିଭକ୍ତ କରି ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ରଶାସିତ ରାଜ୍ୟ କରିଥିଲେ। କେନ୍ଦ୍ରର ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌କୋର୍ଟରେ ୨୩ଟି ଆଦେବନ କରାଯାଇଥିଲା। ସେ ସବୁକୁ ଶୁଣିବା ପରେ ସେପ୍ଟେମ୍ବରରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

୩୭୦ ଉଚ୍ଛେଦର ୪ ବର୍ଷ, ୪ ମାସ ଏବଂ ୬ ଦିନ ପରେ ଆଜି ସୁପ୍ରିମ୍‌କୋର୍ଟରେ ୫ ଜଣ ଜଜ୍‌ ଜଷ୍ଟିସ୍‌ ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ସଞ୍ଜୟ କିଶନ କୌଲ, ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ବିଆର୍‌ ଗଭଇ ଓ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ବେଞ୍ଚ୍‌ ନିଜର ନିଷ୍ପତ୍ତି ଶୁଣାଇଛନ୍ତି।

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବା ଉପରେ ସୁପ୍ରିମ୍‌କୋର୍ଟଙ୍କର ମୋହର ବାଜିଛି। କୋର୍ଟ ମଧ୍ୟ ସ୍ୱୀକାର କରିଛନ୍ତି ଯେ ରାଷ୍ଟ୍ରପତିଙ୍କର ନିଷ୍ପତ୍ତି ସାମ୍ବିଧାନିକ ରୂପେ ବୈଧ ଥିଲା। ଧାରା ୩୭୦ ଅସ୍ଥାୟୀ ଥିଲା। ସମ୍ବିଧାନର ସମସ୍ତ ବ୍ୟବସ୍ଥା ଜମ୍ମୁ-କାଶ୍ମୀର ଉପରେ ଲାଗୁ ହେବ। କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଧାରା ୩୭୦ ଉପରେ ରାଷ୍ଟ୍ରପତିଙ୍କର ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ଅଛି। ତାଙ୍କ ପାଖରେ ସାମ୍ବିଧାନିକ ଶକ୍ତି ରହିଛି।

କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦ର ବ୍ୟବସ୍ଥାଗୁଡ଼ିକୁ ରଦ୍ଦ କରିବାକୁ ୨୦୧୯ରେ ନିଷ୍ପତ୍ତି ନେଇଥିଲେ। କେନ୍ଦ୍ରର ଏହି ନିଷ୍ପତ୍ତି ପରେ ଜମ୍ମୁରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଛଡ଼ାଇ ନିଆଯାଇଥିଲା ଏବଂ ଏହା କେନ୍ଦ୍ରର ଅଧୀନକୁ ଆସିଥିଲା। ତେବେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ କେନ୍ଦ୍ରର ନିଷ୍ପତ୍ତି ସାମ୍ବିଧାନିକ ରୂପେ ବୈଧ ଥିଲା। କେନ୍ଦ୍ର ସରକାରଙ୍କ କହିବା ହେଉଛି, ଉଚିତ୍‌ ସମୟ ଆସିଲେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦିଆଯିବ।