Below header

ଗାଡ଼ି ଚଲାଇବା ବେଳେ ପାନଛେପ ଥୁକିଲେ ଲାଗିବ ୧୦୦୦ ଟଙ୍କା ଜରିମାନା, ଯୋଗୀ ସରକାର ଲାଗୁ କରିବେ ନୂଆ ନିୟମ, ଜାଣନ୍ତୁ କେଉଁ ପ୍ରକାର ଅପରିଷ୍କାର ପାଇଁ କେତେ ଜରିମାନା

ଉତ୍ତର ପ୍ରଦେଶର ଗାଁ ଏବଂ ସହରକୁ ସ୍ୱଚ୍ଛ ରଖିବା ପାଇଁ ଯୋଗୀ ସରକାର ସିଙ୍ଗାପୁର ମଡେଲ ଲାଗୁ କରିବାକୁ ଯାଉଛନ୍ତି। ସରକାର ଲୋକଙ୍କଠାରେ ସଫା ସୁତରାର ଅଭ୍ୟାସ ପକାଇବା ପାଇଁ ଏଣିକି ଜରିମାନା ଲାଗୁ କରିବେ। ସରକାର କ୍ୟାବିନେଟ୍‌ରେ ଯେଉଁ ବିଲ୍‌ ପାସ୍‌ କରାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ତାହା ଅନୁସାରେ, ଯଦି କେହି ଗାଡ଼ି ଚଲାଇଲା ବେଳେ ପାନଛେପ ଥୁକନ୍ତି କିମ୍ବା କୌଣସି ଜିନିଷ ପକାଇ ରାସ୍ତା ଅପରିଷ୍କାର କରନ୍ତି, ତାଙ୍କୁ ବଡ଼ ସହରରେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ତେବେ ପ୍ରସ୍ତାବିତ ନିୟମାବଳୀରେ ଏହା ସ୍ପଷ୍ଟ କରି ଦିଆଯାଇଛି କି, କେଉଁ ସହରରେ କ’ଣ କଲେ କେତେ ଜରିମାନା ଲାଗିବ।

କେଉଁ ପ୍ରକାର ଅପରିଷ୍କାର ପାଇଁ କେତେ ଜରିମାନା

୧. ଗାଡ଼ି ଚଲାଇଲା ବେଳେ ଥୁକିଲେ କିମ୍ବା ଅଦରକାରୀ ଜିନିଷ ପକାଇ ରାସ୍ତା ଅପରିଷ୍କାର କଲେ ବଡ଼ ନଗର ନିଗମରେ ୧୦୦୦ ଟଙ୍କା, ଛୋଟ ନଗର ନିଗମରେ ୭୫୦, ପୌରପାଳିକା ପରିଷଦରେ ୫୦୦ ଏବଂ ନଗର ପଞ୍ଚାୟତରେ ୩୫୦ ଟଙ୍କା ଜରିମାନା ବ୍ୟବସ୍ଥା ରହିବ।

୨. ସାର୍ବଜନିକ ସ୍ଥାନ କିମ୍ବା ଖୋଲା ସ୍ଥାନରେ ଅଳିଆ ଆବର୍ଜନା ପକାଇଲେ ବଡ଼ ସହରରେ ୫୦୦, ଛୋଟ ସହରରେ ୪୦୦, ପୌରପାଳିକା ପରିଷଦରେ ୩୦୦ ଏବଂ ନଗର ପଞ୍ଚାୟତରେ ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।

୩. ସ୍କୁଲ ଏବଂ ହସ୍ପିଟାଲ ପାଖରେ ଅପରିଷ୍କାର କଲେ ୭୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ।

୪. ଥୁକିବା, ପରିସ୍ରା କରିବା, ଶୌଚ ଯିବା ଏବଂ ଗୃହପାଳିତ ପଶୁଙ୍କୁ ଖେଳାଇବା ପାଇଁ ଜିନିଷ ଏଠିସେଠି ପକାଇଲେ ୨୫୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

୫. ଅଳିଆ ଆବର୍ଜନା ମାଟିରେ ପୋତିଲେ କିମ୍ବା ଜଳାଇଲେ ଏବଂ ଖୋଲା ଆବର୍ଜନା ଗାଡ଼ି ଚଲାଇଲେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ହେବ।

୬. ଖୋଲାରେ ଗୃହପାଳିତ ପଶୁଙ୍କୁ ଶୌଚ କରାଇଲେ ୫୦୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଭରିବାକୁ ହେବ।

୭. ଘରର ଆବର୍ଜନା ବା ଭଗ୍ନାବଶେଷକୁ ରାସ୍ତାରେ ରଖିଲେ ବଡ଼ ସହରରେ ୩୦୦୦, ଛୋଟ ସହରରେ ୨୫୦୦, ପାଳିକା ପରିଷଦରେ ୧୫୦୦ ଏବଂ ନଗର ପଞ୍ଚାୟତରେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।

୮. ଗଛ କାଟି ଏଠିସେଠି ଫିଙ୍ଗିଲେ ୨୦୦ରୁ ୫୦ ଟଙ୍କା ଜରିମାନା ବ୍ୟବସ୍ଥା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.