କ୍ୟାବ୍ ଓ ଅଟୋ ଚାଳକଙ୍କ ମନମାନି ଉପରେ ରୋକ୍! ଏଣିକି ଆଉ ବାତିଲ କରିପାରିବେ ନାହିଁ ଯାତ୍ରା; ଯଦି କରନ୍ତି ୫୦୦ ଗଣିବେ

ଆଜିଠୁ ବଦଳି ଯାଉଛି ଟ୍ରାଫିକ୍ ନିୟମ। ଏଣିକି କ୍ୟାବ୍ ଚାଳକ ରାଇଡ୍ କ୍ୟାନ୍ସଲ କଲେ ୫୦୦ ଟଙ୍କା ତଣ୍ଡ ଗଣିବେ। କହି ରଖୁଛୁ, ତାମିଲନାଡୁରେ ୨୮ ଅକ୍ଟୋବରରୁ ଟ୍ରାଫିକ ନିୟମରେ ପରିବର୍ତ୍ତନ କରାଯାଉଛି। ରାଜ୍ୟରେ କ୍ୟାବ ଏବଂ ଅଟୋ ଚାଳକମାନଙ୍କର ମନମାନି ଉପରେ ଲଗାମ୍ ଲଗାଇବା ପାଇଁ ଏହି ପରିବର୍ତ୍ତନ କରାଯାଇଛି। ଏବେ କ୍ୟାବ କିମ୍ବା ଅଟୋ ଚାଳକମାନେ ଯାତ୍ରୀମାନଙ୍କ ରାଇଡ୍ କ୍ୟାନ୍ସଲ କରିପାରିବେ ନାହିଁ ଏବଂ ଯଦି କେହି ଏପରି କରେ, ତା’ ହେଲେ ତାଙ୍କୁ ୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଭରିବାକୁ ପଡ଼ିପାରେ।
ତାମିଲନାଡୁ ସରକାରଙ୍କ ତରଫରୁ ଟ୍ରାଫିକ ନିୟମରେ କରାଯାଇଥିବା ଏହି ପ୍ରକାର ପରିବର୍ତ୍ତନ ସେହି ଲୋକମାନଙ୍କ ପାଇଁ ବହୁତ ଆଶ୍ୱସ୍ତିକର ହେବାକୁ ଯାଉଛି, ଯେଉଁମାନେ ଅଧିକାଂଶ ସମୟ କ୍ୟାବ କିମ୍ବା ଅଟୋରେ ଯାତାୟାତ କରନ୍ତି। ମିଡିଆ ରିପୋର୍ଟ ମୁତାବକ, ଅନେକ ଦିନରୁ ଏଭଳି ଅଭିଯୋଗ ମାମଲା ସାମ୍ନାକୁ ଆସୁଥିଲା କି, କ୍ୟାବ ଚାଳକମାନେ ବୁକ୍ ହୋଇଥିବା ରାଇଡ୍କୁ ଶେଷ ମୁହୂର୍ତ୍ତରେ କ୍ୟାନ୍ସଲ କରି ଦେଉଛନ୍ତି। ନ ହେଲେ ଯାତ୍ରୀମାନଙ୍କୁ ନେଇଯିବାରେ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏଭଳି ମାମଲାଗୁଡ଼ିକୁ ନଜରରେ ରଖି ତାମିଲନାଡୁ ସରକାର ଏକ ନୂଆ ନିୟମ ଆଣିଛନ୍ତି।
ନିୟମ ଅନୁସାରେ, ଯଦି କ୍ୟାବ କିମ୍ବା ଅଟୋ ଚାଳକ ଯାତ୍ରୀମାନଙ୍କୁ ନେଇଯିବାକୁ ମନା କରୁଛନ୍ତି, ତେବେ ସେମାନଙ୍କ ଉପରେ ୫୦ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଏହାଦ୍ୱାରା ବର୍ତ୍ତମାନ ଯାତ୍ରୀମାନେ ଅଟୋ ଏବଂ କ୍ୟାବରେ ସହଜରେ ଯିବାଆସିବା କରିପାରିବେ।
ଜାଣନ୍ତୁ ନିୟମ
ରିପୋର୍ଟ ଅନୁସାରେ, ବାଇକ୍ ଚଲାଇବା ସମୟରେ ମୋବାଇଲ୍, ଟ୍ୟାବ୍, ମ୍ୟୁଜିକ୍ ପ୍ଲେୟାର ବ୍ୟବହାର କରିବା ଉପରେ ୧୦୦୦ ଟଙ୍କା ଜରିମାନା ଲାଗିଥାଏ। ପ୍ରଥମ ଜରିମାନା ପରେ ଯଦି ପୁଣିଥରେ ଏପରି କାର୍ଯ୍ୟ କରି ଧରାପଡ଼ନ୍ତି, ତା’ ହେଲେ ଜରିମାନା ରାଶି ୧୦ ଗୁଣା ଅର୍ଥାତ୍ ୧୦,୦୦୦ ଟଙ୍କା ହୋଇଯିବ। ଏହା ବ୍ୟତୀତ ବିନା ଲାଇସେନ୍ସରେ ଗାଡି ଚଳାଇ ଧରାପଡ଼ିଲେ ୫,୦୦୦ ଟଙ୍କା ଏବଂ ସିଗ୍ନାଲ ଜମ୍ପିଂ ଉପରେ ୧୦୦୦ ଟଙ୍କା (ପ୍ରଥମ ଥର ପାଇଁ) ଜରିମାନା ରହିଛି। ସେହିପରି ଦ୍ୱିତୀୟ ଥର ପାଇଁ ୧୦,୦୦୦ ଟଙ୍କା ରହିଛି।