ବାବା ବର୍ଫାନୀଙ୍କ ଭକ୍ତିରେ ଡୁବିଲେ ଦୁଇ ଆମେରିକୀୟ, ସ୍ୱାମୀ ବିବେକାନନ୍ଦଙ୍କଠୁ ପ୍ରେରଣା ପାଇ ଅମରନାଥ ଯାତ୍ରାରେ ଆସିଲେ ବିଦେଶୀ

ଜମ୍ମୁ-କାଶ୍ମୀରରେ ଅମରନାଥ ଯାତ୍ରା ପାଇଁ ଯାଉଥିବା ହଜାର ହଜାର ତୀର୍ଥଯାତ୍ରୀଙ୍କ ସହ ଦୁଇ ଆମେରିକୀୟ ନାଗରିକଙ୍କୁ ଦେଖିବାକୁ ମିଳିଛି।

ବାବା ବର୍ଫାନୀଙ୍କ ପ୍ରତି ଭକ୍ତିଭାବ କେବଳ ଭାରତୀୟଙ୍କଠାରେ ନୁହେଁ, ବିଦେଶୀମାନଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଜମ୍ମୁ-କାଶ୍ମୀରରେ ଅମରନାଥ ଯାତ୍ରା ପାଇଁ ଯାଉଥିବା ହଜାର ହଜାର ତୀର୍ଥଯାତ୍ରୀଙ୍କ ସହ ଦୁଇ ଆମେରିକୀୟ ନାଗରିକଙ୍କୁ ଦେଖିବାକୁ ମିଳିଥିଲା।

ଦୁହେଁ କାଲିଫର୍ଣ୍ଣିଆର। ସେମାନେ ଯାତ୍ରା ସମୟରେ ଗେରୁଆ ବସ୍ତ୍ର ପିନ୍ଧିଥିଲେ। ବିଦେଶୀ ନାଗରିକଦ୍ୱୟ କହିଛନ୍ତି ଯେ ଅମରନାଥ ଯାତ୍ରା ସେମାନଙ୍କ ପାଇଁ ଏକ ସ୍ୱପ୍ନ ସତ ହେଲା ପରି। ସେମାନେ ଅନେକ ଦିନରୁ ଏହି ଯାତ୍ରାକୁ ଅପେକ୍ଷା କରିଥିଲେ। ଏହି ଯାତ୍ରା ସମ୍ପର୍କରେ ସେମାନେ ୟୁଟ୍ୟୁବ୍‌ରେ ଭିଡିଓ ଦେଖିଥିଲେ ଏବଂ ବହୁ ବର୍ଷ ଆଗରୁ ବାବାଙ୍କ ପାଖକୁ ଆସିବାକୁ ଯୋଜନା କରିଥିଲେ।

ଯେତେବେଳେ ଆମେରିକୀୟ ତୀର୍ଥଯାତ୍ରୀଙ୍କୁ ଅମରନାଥ ଯାତ୍ରା ବିଷୟରେ ପଚରା ଯାଇଥିଲା, ସେମାନେ କହିଥିଲେ, ଏଠାକୁ ଆସିବା ପରେ ଆମର ଭାବନାକୁ ବର୍ଣ୍ଣନା କରିବା ଅସମ୍ଭବ। ଭୋଳାନାଥଙ୍କ କୃପାରୁ ଏହା ସମ୍ଭବ ହୋଇଛି। ସେମାନେ ସମସ୍ତ ବ୍ୟବସ୍ଥା ପାଇଁ ମନ୍ଦିର ବୋର୍ଡକୁ ପ୍ରଶଂସା କରିଥିଲେ।

ତେବେ କାହାଠାରୁ ପ୍ରେରଣା ପାଇ ସେମାନେ ଅମରନାଥ ଯାତ୍ରାରେ ଆସିଛନ୍ତି ବୋଲି ପଚାରିବାରୁ ଜଣେ ବିଦେଶୀ ନାଗରିକ କହିଥିଲେ, ରାମକୃଷ୍ଣ ପରମହଂସଙ୍କ ଭକ୍ତ ସ୍ୱାମୀ ବିବେକାନନ୍ଦ ଅମରନାଥ ଆସିଥିଲେ। ତାଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ ଅନୁଭବ ମିଳିଥିଲା। ମୁଁ ଏହି କାହାଣୀକୁ ୪୦ ବର୍ଷ ଧରି ଜାଣିଛି। ସ୍ୱାମୀ ବିବେକାନନ୍ଦ ଭଗବାନ ଶିବଙ୍କୁ ଦର୍ଶନ କରିଥିଲେ ଏବଂ ସେ ଏହାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ।

ସୂଚନାଥାଉ କି, ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହୋଇଛି, ଯାହା ୬୨ ଦିନ ଧରି ଚାଲିବ। ଦକ୍ଷିଣ କାଶ୍ମୀର ହିମାଳୟରେ ୩,୮୮୮ ମିଟର ଉଚ୍ଚରେ ଅବସ୍ଥିତ ଅମରନାଥ ଗୁମ୍ଫା ମନ୍ଦିର ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନେ ଦୁର୍ଗମ ପାହାଡ଼ ଦେଇ ସେଠାରେ ପହଞ୍ଚନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.