Below header

ପତ୍ନୀଙ୍କ ସହ ଝଗଡ଼ା କରିବା ଦୁବାଇ ଶାସକଙ୍କୁ ପଡ଼ିଲା ମହଙ୍ଗା, ଏବେ ଗଣିବେ ୫୫୫୦ କୋଟି

ଦୁବାଇ ଶାସକ ଶେଖ ମହମ୍ମଦ ବିନ୍‌ ରାଶିଦ ଅଲ-ମକତୁମ୍‌ଙ୍କୁ ବଡ଼ ଝଟ୍‌କା। ସ୍ତ୍ରୀ ଓ ପିଲାଙ୍କ ଭରଣ ପୋଷଣ ପାଇଁ ଏବେ ଦୁବାଇ ଶାସକଙ୍କୁ ଦେବାକୁ ପଡ଼ିବ ୫୫୫୦ କୋଟି ଟଙ୍କା। ନିକଟରେ ଦୁବାଇ ଶାସକଙ୍କୁ ଏଭଳି ଆଦେଶ ଦେଇଛନ୍ତି ଲଣ୍ଡନ୍‌ ହାଇକୋର୍ଟ। ଜଜ୍‌ କହିଛନ୍ତି, ଜାର୍ଡେନ୍‌ର ରାଜା ଅବଦ୍ଦୁଲ୍ଲାଙ୍କ ସାବତ ଭଉଣୀ ରାଜକୁମାରୀ ହୟା ବିନ୍ତ ଅଲ ହୁସେନ୍‌ ଓ ତାଙ୍କ ଦୁଇ ପିଲାଙ୍କୁ ଦିଆଯିବାକୁ ଥିବା ଟଙ୍କାର ମୁଖ୍ୟ ଉଦ୍ଦେଶ୍ୟ ସେମାନଙ୍କ ଆଜୀବନ ସୁରକ୍ଷାକୁ ସୁନିଶ୍ଚିତ କରିବା।

ଜଜ୍‌ କହିଛନ୍ତି, ସେମାନେ ସୁରକ୍ଷା ବ୍ୟତୀତ ଆଉ କିଛି ଚାହୁଁ ନାହାନ୍ତି। ଜଜ୍‌ ଶେଖଙ୍କୁ ୩ ମାସ ଭିତରେ ହୟାଙ୍କୁ ତାଙ୍କ ବ୍ରିଟିଶ୍‌ ପ୍ରାସାଦର ରକ୍ଷଣାବେକ୍ଷଣ ପାଇଁ ୨୫୨୫ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ସେ ଥରକରେ ହିଁ ଦେବାକୁ ନିର୍ଦ୍ଦେଶ ରହିଛି।


ସଂଯୁକ୍ତ ଅରବ ଅମିରାତର ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶେଖଙ୍କୁ ନିଜ ସନ୍ତାନ ୧୪ ବର୍ଷର ଜଲିଲା ଓ ୯ ବର୍ଷର ଜାୟଦଙ୍କ ଶିକ୍ଷା ପାଇଁ ୩୦ କୋଟି ଟଙ୍କା ଏବଂ ୯୬ କୋଟିର ବକେୟା ରାଶି ପ୍ରଦାନ କରିବାକୁ କୁହାଯାଇଛି। ଏଥିସହ ପିଲାଙ୍କ ଭରଣ ପୋଷଣ ଓ ବୟସ୍କ ହେବା ପରେ ତାଙ୍କ ସୁରକ୍ଷା ପାଇଁ ୧୧୨ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ହୟାଙ୍କୁ ମାରିବାକୁ ଚାହୁଁଥିଲେ ଶେଖ୍‌?

ପାଖାପାଖି ୭ ଘଣ୍ଟାର ସାକ୍ଷ୍ୟ ଗ୍ରହଣ ବେଳେ ୪୭ ବର୍ଷୀୟା ହୟା କହିଥିଲେ, ମୁଁ ସ୍ୱାଧୀନ ହେବାକୁ ଚାହୁଁଛି। ମୋ ପିଲା ମାନେ ବି ଏସବୁଥିରୁ ସ୍ୱାଧୀନ ରୁହନ୍ତୁ ବୋଲି ମୁଁ ଚାହୁଁଛି। ମୁଁ କେବଳ ପିଲାଙ୍କ ସୁରକ୍ଷା ଚାହୁଁଛି ଆଉ କିଛି ନୁହେଁ। ମୋତେ ଶାନ୍ତିରେ ବଞ୍ଚିବାକୁ ଦିଆଯାଉ ବୋଲି କୋର୍ଟଙ୍କୁ ହୟା କହିଥିଲେ।

ପ୍ରକାଶ ଯେ ଶେଖ୍‌ ଓ ହୟାଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାରୁ ସେ ୨୦୧୯ ଏପ୍ରିଲରେ ବ୍ରିଟେନ୍‌ ଚାଲିଆସିଥିଲେ। ବ୍ରିଟେନ୍‌ ପହଞ୍ଚିବାର ମାସେ ପରେ ହୟା ଶେଖ୍‌ଙ୍କୁ ଛାଡ଼ପତ୍ର ଦେବାକୁ କହିଥିଲେ। ସେ ସେତେବେଳେ ଅଭିଯୋଗ କରିଥିଲେ ଯେ ଶେଖ୍‌ ତାଙ୍କୁ ମାରିବାକୁ ଚାହୁଁଛନ୍ତି। ଏହା ପରେ ଲଣ୍ଡନର କୋର୍ଟ ଆଦେଶ ଦେଇ କହିଥିଲେ, ଶେଖ ହୟାଙ୍କୁ ଡରାଇବା ସହ ଧମକାଉ ବି ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.