ବନ୍ଦ ହେବ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ! ନାଟୋରେ ମିଶିବାକୁ ଆଉ ଇଚ୍ଛା ନାହିଁ ବୋଲି କହିଲେ ଜେଲେନ୍‌ସ୍କି

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ୍‌ ଏବେ ରୁଷର ସର୍ତ୍ତ ମାନିବାକୁ ପ୍ରସ୍ତୁତ ହୋଇଛି। ଫଳରେ ଯୁଦ୍ଧ ବନ୍ଦ ହେବା ଆଶା ବଢ଼ିଛି। ଏବେ ୟୁକ୍ରେନ୍‌ ଆଉ ନାଟୋରେ ସଦସ୍ୟତା ପାଇଁ ଆଗ୍ରହୀ ନଥିବା ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି। କାରଣ ଏହି ସଦସ୍ୟତା ପାଇଁ ଆଶାୟୀ ଥିବା କାରଣରୁ ହିଁ ରୁଷ୍‌ ଏବେ ତାଙ୍କ ଦେଶ ଉପରେ ଆକ୍ରମଣ କରୁଛି। ଫଳରେ ହଜାର ହଜାର ଲୋକଙ୍କ ମୁଣ୍ଡ ଗଡ଼ିଛି। କିନ୍ତୁ ଏଭଳି ସ୍ଥିତିରେ ବି ନାଟୋ କିମ୍ବା ଆମେରିକା ତାଙ୍କୁ ସାହାଯ୍ୟ କରିନାହାନ୍ତି। ଏହି କାରଣରୁ ନାଟୋ ପ୍ରତି ତାଙ୍କର ଆଉ ଆନ୍ତରିକତା ନାହିଁ ଓ ସେ ଆଗକୁ ନାଟୋରେ ମିଶିବେନି ବୋଲି କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି।

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସାକ୍ଷାତ ଦେବା ଅବସରରେ ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି, ଏବେ ତାଙ୍କର ଆଉ ଯୁଦ୍ଧ ପାଇଁ ଇଚ୍ଛା ନାହିଁ। ତାଙ୍କ ଦେଶ ନାଟୋରେ ସଦସ୍ୟତା ଚାହୁଁଥିବାରୁ ରୁଷ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛି। କିନ୍ତୁ ଏଭଳି ସ୍ଥିତିରେ ନାଟୋ କିମ୍ବା ନାଟୋର ସଦସ୍ୟ ଦେଶ ତାଙ୍କୁ କୌଣସି ସହାୟତା ଯୋଗାଇନାହାନ୍ତି। ଏମିତି କି କେହି ତାଙ୍କୁ ସେନା ବି ଦେଲେ ନାହିଁ। ଏହି କାରଣରୁ ଏବେ ନାଟୋ ଉପରେ ଖପ୍ପା ଅଛନ୍ତି ଜେଲେନ୍‌ସ୍କି। ତାଙ୍କର ଆଉ ନାଟୋ ଉପରେ ବିଶ୍ୱାସ ନାହିଁ। ଏଣୁ ସେ ଆଉ ନାଟୋରେ ସଦସ୍ୟତା ପାଇଁ ଆଗ୍ରହ କରୁନଥିବା କହିଛନ୍ତି ଜେଲେନ୍‌ସ୍କି। ଜେଲେନ୍‌ସ୍କିଙ୍କର ଏହି ନରମ ମନୋଭାବ ଯୋଗୁ ଯୁଦ୍ଧ ବନ୍ଦ ହେବା ବାଟ ଫିଟିଛି।

ସୂଚନାଯୋଗ୍ୟ ଯେ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଗତ ୧୩ ଦିନ ହେଲାଣି ୟୁକ୍ରେନ୍‌ ଉପରେ ଅବିରତ ଆକ୍ରମଣ କରି ଚାଲିଛି ରୁଷ। ସ୍ଥିତି ଏମିତି ହୋଇଛି ଯେ ୟୁକ୍ରେନ୍‌ ଏବେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି। ରୁଷର ଏଭଳି ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବିଶ୍ୱର ସବୁ ଦେଶ ବିରୋଧ କରି କଡ଼ା ନିନ୍ଦା କରୁଥିବା ବେଳେ ରୁଷ କିନ୍ତୁ କାହା କଥା ବି ଶୁଣିବାକୁ ନାରାଜ। ରୁଷ ନିଜ ଦେଶର ସୁରକ୍ଷା ପାଇଁ କିଛି ବି କରିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ନିକଟରେ ଏକ ବୟାନ ଜାରି କରି କହିଛନ୍ତି। ସେ କହିଛନ୍ତି ତାଙ୍କ ଯୁଦ୍ଧ ଭିତରେ ଯିଏ ବି ପଶିବ ସେ ତାର ବି ୟୁକ୍ରେନ୍‌ ଭଳି ଅବସ୍ଥା କରିବେ। ତେବେ ୟୁକ୍ରେନ୍‌ ନାଟୋ ସହ ମିଶିବାକୁ ଚେଷ୍ଟା କରୁଥିବାରୁ ରୁଷ ଏହି ଯୁଦ୍ଧ କରୁଛି ବୋଲି କୁହାଯାଉଥିବା ବେଳେ ଏବେ ୟୁକ୍ରେନ୍‌ ନାଟୋରେ ମିଶିବନି ବୋଲି କହିଛି।

Also Read: ସବୁଠୁ ଅଧିକ ପ୍ରତିବନ୍ଧକ ଲାଗିଥିବା ଦେଶ ପାଲଟିଲା ରୁଷ୍‌, ୫୫୩୦ଟି ସଂସ୍ଥା କଲା ବ୍ୟାନ୍‌