ମା’ ପାଇଁ ଆଣିପାରିଲେନି ଔଷଧ, ରୁଷ୍‌ ସେନାର ବିସ୍ଫୋରଣରେ ମଝି ରାସ୍ତାରେ ପ୍ରାଣ ହରାଇଲା ଝିଅ

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୧୮ ଦିନ ହେଲାଣି। ତଥାପି ନା ରୁଷ୍‌ ଅଟକୁଛି ନା ୟୁକ୍ରେନ୍‌ ହାର୍‌ ମାନୁଛି। ଦୁଇ ଦେଶ ନିଜ ନିଜ ଜିଦ୍ଦିରେ ଅଛନ୍ତି। ଫଳରେ ଯୁଦ୍ଧ ଥମିବାର ନାଁ ଧରୁନି। ଏହି ଯୁଦ୍ଧ ଯୋଗୁ ଏବେ ସାଧାରଣ ଜନତା କଲବଲ ହେଉଛନ୍ତି। କେଉଁଠି କିଏ ଖାଇବାକୁ ପାଉନି ତ ଆଉ କେଉଁଠି ଲାଇନ୍‌ ନଥିବାରୁ ଲୋକ ଅନ୍ଧାରରେ ଶୀତରେ ଥରୁଛନ୍ତି। ଏହି ଯୁଦ୍ଧ ଯୋଗୁ ସହର ଏବେ ଧ୍ୱଂସସ୍ତୁପରେ ପରିଣତ ହୋଇଛି।

ଏହି ଯୁଦ୍ଧ ମଧ୍ୟରେ ଏବେ ଆଉ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି। ରୁଷ୍‌ ଏବେ ୟୁକ୍ରେନ୍‌ ମାଟିରେ ଅବିରତ ଗୁଳି ଓ ବୋମା ବର୍ଷା କରୁଛି। ଏହି ବୋମାମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ୟୁକ୍ରେନ୍‌ର ଏହି ମହିଳା ଜଣକ ନିଜ ରୋଗାଗ୍ରସ୍ତ ମା’ ପାଇଁ ମେଡିସିନ୍‌ ଆଣିବାକୁ ଘରୁ ବାହାରିଥିଲେ। ଏହି ସମୟରେ ରୁଷ ସୈନିକ ବୋମା ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ମହିଳା ଓ ତାଙ୍କ ମା’ଙ୍କ ଜୀବନ ଚାଲିଯାଇଛି।

ରିପୋର୍ଟ ମୁତାବକ, ମୃତା ମହିଳାଙ୍କ ନାଁ ହେଉଛି ବେଲେରିୟା ମକ୍ସେତ୍ସକା। ବେଲେରିୟା ନିଜ ମା’ଙ୍କ ପାଇଁ ଔଷଧ ଆଣିବାକୁ କିଭ୍‌ ସ୍ଥିତ ଘରୁ ବାହାରିଥିଲେ। ବେଲେରିଆ, ତାଙ୍କ ମା’ ଇରୀନା ଓ ଡ୍ରାଇଭର ୟାରେସ୍ଲାଭ କାରରେ ଯାଉଥିବା ବେଳେ ତାଙ୍କ ଉପରକୁ ରୁଷ୍‌ ସେନା ଟ୍ୟାଙ୍କରରେ ବୋମା ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଛି।

ଯୁଦ୍ଧ ଆରମ୍ଭ ବେଳେ ବେଲେରିୟା କିଭ୍‌ରେ ରହି ଲୋକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କ ମା’ଙ୍କ ମେଡିସିନ୍‌ ସରିଯିବା ପରେ ସେ ବାଧ୍ୟ ହୋଇ କିଭ୍‌ରୁ ବାହାରିଥିଲେ। ମା, ଝିଅ ଓ ତାଙ୍କ ଡ୍ରାଇଭର କିଭ୍‌ ପଶ୍ଚିମରେ ଏକ ରାସ୍ତାରେ ରୁଷ ସୈନ୍ୟ ଅତିକ୍ରମ କରିବାକୁ ଅପେକ୍ଷା କରିଥିଲେ। କିନ୍ତୁ ଏହି ସମୟରେ ହଠାତ୍‌ ତାଙ୍କ ଗାଡ଼ି ଉପରେ ବୋମା ମାଡ଼ ହୋଇଥିଲା। ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି।

ଇତି ମଧ୍ୟରେ ରୁଷ୍‌ ସେନା କିଭ୍‌ ସହରକୁ ତିନି ପଟୁ ଘେରି ସାରିଲେଣି। ମାରିୟୁପୋଲ ଓ ବ୍ରୋବରୀ ଉପରେ ରୁଷ୍‌ ସେନା ଲଗାତାର ଆକ୍ରମଣ କରୁଛି। ଏହି ଯୁଦ୍ଧରେ ଉଭୟ ଦେଶର ହଜାର ହଜାର ସୈନ୍ୟ ବାହିନୀଙ୍କ ମୃତ୍ୟୁ ହୋଇସାରିଲାଣି। ତଥାପି ଯୁଦ୍ଧ ଥମୁନି। ତେବେ କୁହାଯାଉଛି ଯେ ଏବେ ଯେ କୌଣସି ମୁହୂର୍ତ୍ତରେ ବି ରୁଷ୍‌ ସେନା କିଭ୍‌କୁ ସମ୍ପୂର୍ଣ୍ଣ ଦଖଲ କରିପାରେ।

Also Read: ବିବାହ ପୂର୍ବରୁ ଏମିତି ଡିମାଣ୍ଡ କରିବାରୁ ସମିତା ସେଟ୍ଟୀଙ୍କ ସହ ସମ୍ପର୍କ କାଟି ଦେଲେ ରାକେଶ ବାପଟ!

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.