ସାନକୁ ଦେଖାଇ ବଡ଼ ଭାଇ ସହ କଲେ ବାହାଘର, ତା’ପରେ ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଚାପ ପକାଉଥିଲେ ଶାଶୁ

ପ୍ରଥମେ ସାନ ପୁଅକୁ ଦେଖାଇ ବଡ଼ ପୁଅ ସହ ବିବାହ କରାଇଲେ ଓ ତା’ପରେ ଅନ୍ୟ ୩ ପୁଅ ସହ ସମ୍ପର୍କ ରଖିବାକୁ ବାଧ୍ୟ କଲେ। ଏଭଳି ଏକ ସାଂଘାତିକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ। ପୀଡ଼ିତା ଅଭିଯୋଗ କରିବା ପରେ ସବୁ ସତ ସାମ୍ନାକୁ ଆସିଛି। ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ କରାଯିବା ପରେ ପୋଲିସ ୪ ଅଭିଯୁକ୍ତଙ୍କ ସମେତ ଶାଶୁ ଓ ଜଣେ ସମ୍ପର୍କୀୟଙ୍କୁ ଅଟକ ରଖିଛି।

୧୯ ବର୍ଷୀୟା ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ତାଙ୍କ ସୋସାଇଟିରେ କାମ କରୁଥିବା ଜଣେ ଗାର୍ଡ ମୁରାଦାବାଦରୁ ଏକ ପ୍ରସ୍ତାବ ଆଣିଥିଲେ। ତାଙ୍କ ମା’ଙ୍କୁ ମଧ୍ୟ ପୁଅ ପସନ୍ଦ ଆସିଥିଲା। ମାତ୍ର ୨୧ ଫେବ୍ରୁଆରୀ ୨୦୨୦ରେ ବରଯାତ୍ରୀ ଆସିବା ବେଳକୁ ବର ଜାଗାରେ ବରର ବଡ଼ ଭାଇ ବସିଥିଲେ। ସେ ଏହାକୁ ବିରୋଧ କରିଥିଲେ। କିନ୍ତୁ ବର ଘର ଲୋକ ଓ ମଧ୍ୟସ୍ଥି କହିଥିଲେ, ଏଭଳି ବର ଫେରିଯିବା ଭଲ କଥା ନୁହେଁ। ଇଏ ବରର ବଡ଼ ଭାଇ ଓ ଭଲ ରୋଜଗାର ବି କରୁଛି। ତା’ପରେ ପରିବାର ଲୋକ ରାଜି ହେବାରୁ ସେ ମଧ୍ୟ ଏହି ବିବାହ କରିବାକୁ ରାଜି ହୋଇଥିଲେ।

ମାତ୍ର ଶାଶୁ ଘରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଥିଲେ ଯେ ଯାହାକୁ ସେ ବିବାହ କରିଛନ୍ତି ସେ ଜଣେ ନିଶାଖୋର। ବିବାହର ପ୍ରଥମ ରାତିରେ ହିଁ ସେ ନିଶା ଇଞ୍ଜେକସନ୍‌ ନେଇ ଶୋଇ ଯାଇଥିଲେ। ପୀଡ଼ିତାଙ୍କ ମୁତାବକ, ତାଙ୍କ ସ୍ୱାମୀଙ୍କର ଦୁଇ ଜଣ ବଡ଼ ଭାଇ ଓ ଜଣେ ସାନ ଭାଇ ଅଛନ୍ତି। ସେ ଅଭିଯୋଗ କରିଛନ୍ତି, ବିବାହ ପରଦିନଠାରୁ ଶାଶୁ କେବେ ବଡ଼ ପୁଅକୁ ତ ଆଉ କେବେ ସାନ ପୁଅକୁ ତାଙ୍କ ରୁମ୍‌କୁ ପଠାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ମାତ୍ର ସେ ପ୍ରତିଦିନ ବିରୋଧ କରି ବାହାରକୁ ଚାଲିଆସୁଥିଲେ।

ଗୋଟିଏ ଦିନ ତାଙ୍କ ଶାଶୁ, ଦେଢ଼ଶୁର ଓ ସ୍ୱାମୀ ତାଙ୍କୁ ପ୍ରବଳ ମାରପିଟ୍‌ କରିଥିଲେ। ଏଥିସହ ବାଇକ୍‌ ଓ ଟ୍ରକ୍‌ କିଣିବାକୁ ତାଙ୍କୁ ଘରୁ ୩ ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରିଥିଲେ। ଏହା ପରେ ସେ କୌଣସି ମତେ ସେଠାରୁ ଖସି ବାପଘରକୁ ଚାଲିଆସିଥିଲେ ଓ ଏବେ ପୋଲିସରେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.