ସୁଇସାଇଡ୍‌ ବମ୍ବର ହେବାକୁ ଦେଉଥିଲେ ତାଲିମ୍‌, ତାଲିବାନ ବନାଇଦେଲା ମନ୍ତ୍ରୀ

ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ିବାର ଘୋଷଣା କରି ଦେଇଛି। ଏହି ସରକାରରେ କିଛି ମନ୍ତ୍ରୀ ନିଜର ଅତି ବିବାଦୀୟ ପ୍ରୋଫାଇଲ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି କିଛି ନେତା ଅଛନ୍ତି, ଯାହାଙ୍କ ଉପରେ କୋଟି କୋଟି ଟଙ୍କାର ପୁରସ୍କାର ରହିଛି। ତ ସେପଟେ କିଛି ବିଶ୍ୱ ସ୍ତରର ଆତଙ୍କବାଦୀ ଚିହ୍ନଟ ହୋଇସାରିଛନ୍ତି। ତାଲିବାନ କ୍ୟାବିନେଟ୍‌ରେ ଏମିତି ହିଁ ଜଣେ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି, ଯିଏକି ସୁଇସାଇଡ୍‌ ବମ୍ବର ଅର୍ଥାତ୍‌ ଆତ୍ମଘାତୀ ବିସ୍ଫୋରକଙ୍କୁ ପ୍ରସ୍ତୁତ କରିବା ପାଇଁ ଏକ ଟ୍ରେନିଂ ସେଣ୍ଟର ଚଲାଉଥିଲେ।

ଏହି ବ୍ୟକ୍ତିଙ୍କ ନାମ ତାଜ ମୀର ଜବାଦ। ତାଲିବାନ ମିଲିଟାରୀ ସେଟ୍‌ଅପର ଜଣେ ପ୍ରମୁଖ ସଦସ୍ୟ ତାଜ ମୀରଙ୍କୁ ହିଁ କୁହାଯାଇଥାଏ। ତାଙ୍କୁ ଡେପୁଟୀ ଇଣ୍ଟେଲିଜେନ୍ସର ମୁଖ୍ୟ ରୂପେ ନିଯୁକ୍ତ କରାଯାଇଛି। ସେ ଇଣ୍ଟେଲିଜେନ୍ସ ମୁଖ୍ୟ ଅବଦୁଲ୍‌ ହକଙ୍କ ସହ ମିଶି କାମ କରିବେ। ତାଜ ମୀରଙ୍କୁ ନେଇ କିଛି ସୁରକ୍ଷା ଅଧିକାରୀ ଦାବି କରିଛନ୍ତି କି, ସେ ବିଗତ କିଛି ବର୍ଷରେ ଅନେକ ଡେଡ୍‌ଲୀ ସୁଇସାଇଡ୍‌ ଆଟାକ୍‌ କରେଇଛନ୍ତି।

୨୦୧୮ରେ ଆଫଗାନିସ୍ତାନର ଇଣ୍ଟେଲିଜେନ୍ସ ଏଜେନ୍ସିର ମୁଖ୍ୟ ରହମତୁଲ୍ଲାହ ନବୀଲ ଦାବି କରିଥିଲେ ଯେ ତାଜ ମୀର ଅଲ୍‌-ହମଜା ବିଗ୍ରେଡ୍‌ ନାମକ ଟ୍ରେନିଂ ସେଣ୍ଟର ସଞ୍ଚାଳନ କରୁଛନ୍ତି, ଯାହାକି ଆତ୍ମଘାତୀ ବିସ୍ଫୋରକଙ୍କୁ ତାଲିମ ପ୍ରଦାନ କରିଥାଏ। ନବୀଲ ଆହୁରି କହିଥିଲେ କି, ତାଲିବାନ ବିରୋଧରେ ସହିଦ ହୋଇଥିବା ଆଫ୍‌ଗାନର ପୋଲିସ ଚିଫ୍‌ ଜେନେରାଲ ଅବଦୁଲ ରାଜିକଙ୍କୁ ଯେଉଁ ସୁଇସାଇଡ୍‌ ବମ୍ବର ମାରିଥିଲା, ତାକୁ ତାଜ ମୀରଙ୍କ ଟ୍ରେନିଂ ସେଣ୍ଟରରୁ ହିଁ ତାଲିମ ମିଳିଥିଲା।

ରିପୋର୍ଟ ମୁତାବକ, ତାଜ ମୀର ପାକିସ୍ତାନର ପେଶାଓ୍ଵରରେ ରହି ଜେନେରାଲ ଅବଦୁଲଙ୍କୁ ମାରିବା ପାଇଁ ମୁଲ୍ଲା ଶିରୀନ୍‌ଙ୍କ ସହ ମିଶି ଯୋଜନା ବନାଇଥିଲେ। ତାଜ ମୀର ସେହି ସମୟରେ ବମ୍‌ ସହ ପରୀକ୍ଷଣ ବେଳେ ଏକ ବିସ୍ଫୋରଣରେ ଆହତ ମଧ୍ୟ ହୋଇଥିଲେ। ଏହାପରେ ଆଇଏସ୍‌ଆଇ ତାଜ ମୀରଙ୍କୁ ପାକିସ୍ତାନୀ ପାସପୋର୍ଟ ଉପଲବ୍ଧ କରାଇ ଶ୍ରୀଲଙ୍କା ପଠାଇ ଦେବାକୁ ଚେଷ୍ଟା କରିଥିଲା।

ଯଦିଓ ସେ ସଫଳ ହୋଇପାରି ନ ଥିଲେ, ଯାହା ପରେ ତାଙ୍କୁ କରାଚିରେ ଚିକିତ୍ସା କରାଯାଉଥିଲା। ସୂଚନାଥାଉ କି, ଜିହାଦ୍‌ ସଙ୍ଗଠନକୁ ଟ୍ରାକ୍‌ କରୁଥିବା େଓ୍ଵବ୍‌ସାଇଟ Long War Journal ମୁତାବିକ, ୨୦୧୩ ମସିହା ପର୍ଯ୍ୟନ୍ତ ତାଜ ମୀର ହକ୍କାନୀ ନେଟ୍‌ଓ୍ଵାର୍କରେ ବରିଷ୍ଠ କମାଣ୍ଡର ଥିଲେ। ଏଥି ସହିତ ସେ ଦାଉଦ ନାମକ ବ୍ୟକ୍ତିଙ୍କ ସହିତ ମିଶି କାବୁଲ ଆଟାକ୍‌ ନେଟ୍‌ଓ୍ଵାର୍କ ଚଳାଉଥିଲେ।

ଏହି ନେଟ୍‌ଓ୍ଵାର୍କ ଓ୍ଵାରଦାକ, ଲୋଗାର, ନାଙ୍ଗରହାର, କାପିସା, ପାକତିକା ଭଳି ଅଞ୍ଚଳରେ କେତେକ ହାଇ-ପ୍ରୋଫାଇଲ୍‌ ଆଟାକ୍‌ କରେଇଥିଲା। ଅଲ୍‌-କାୟଦା, ଲଶ୍‌କର-ଏ-ତୈବା, ଇସ୍‌ଲାମିକ ମୁଭ୍‌ମେଣ୍ଟ ଅଫ୍‌ ଉଜ୍‌ବେକିସ୍ତାନ, ହିଜବ-ଏ-ଇସ୍‌ଲାମୀ ଗୁଲବୁଦ୍ଦୀନ ଭଳି ସଙ୍ଗଠନ ମଧ୍ୟ ଏମିତି କିଛି ଅପରେଶନରେ ସାମିଲ ଥିଲେ, ଯାହାକୁ କାବୁଲ ଆଟାକ୍‌ ନେଟ୍‌ଓ୍ଵାର୍କ ସଞ୍ଚାଳନ କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.