ମହିଳାଙ୍କୁ ତଳେ ପକାଇ ବିଧା, ଗୋଇଠା ମାରି ଚାଲିଲେ ସ୍ୱାମୀ ଓ ଶ୍ୱଶୁର, ପୁଣି ଚୁଟି ଧରି ଘୋଷାଡ଼ି ନେଲେ! ଭିଡିଓ ଭାଇରାଲ ପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ରାଜସ୍ଥାନର ବାଡମେରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ମହିଳା ନିଜ ସ୍ୱାମୀ ଓ ଶ୍ୱଶୁରଙ୍କଠାରୁ ଅତି ଦୟନୀୟ ଭାବେ ମାଡ଼ ଖାଉଛନ୍ତି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସୀମାନ୍ତବର୍ତ୍ତୀ ଜିଲ୍ଲା ବାଡମେରରେ ମହିଳାଙ୍କ ଉପରେ ଏଭଳି ଅତ୍ୟାଚାର ମାମଲା ଥମିବାର ନାଁ ନେଉନାହିଁ। ଏମିତି ହିଁ ଏକ ମାମଲା ଧୋରୀମନା ଥାନା ଅନ୍ତର୍ଗତ ବାଞ୍ଛଡାଉ ଗାଁରୁ ଆସିଛି, ଯେଉଁଠାରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଅତି ନିର୍ମମ ଭାବରେ ପିଟି ଚାଲିଛନ୍ତି। ବିଧା, ଗୋଇଠା ମାରି ଚାଲିଛନ୍ତି।

ମହିଳା ଜଣକ ତାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କଠାରୁ ମାଡ଼ ଖାଉଥିବାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଏହି ମାମଲାକୁ ଗମ୍ଭୀରତାର ସହ ନେଇ ପୋଲିସ ଅଧୀକ୍ଷକ ଦୀପକ ଭାର୍ଗବ ତୁରନ୍ତ ମହିଳାଙ୍କୁ ଡକାଇ ମାମଲା ରୁଜୁ କରିବାକୁ ଧୋରୀମନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୀଡ଼ିତା ମହିଳା ଜଣକ ଥାନାରେ ପହଞ୍ଚି ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଅଧିକ ଯୌତୁକ ଦାବିରେ ତାଙ୍କୁ ଦୟନୀୟ ଭାବେ ମାରପିଟ କରିବା ସହ ଅମାନବୀୟ ବ୍ୟବହାର କରି ଆସୁଥିଲେ। ୨୬ ଡିସେମ୍ବର ଅପରାହ୍ନ ୧ରେ ସ୍ୱାମୀ କେସାରାମ ଓ ଶ୍ୱଶୁର ରୁଖମଣାରାମ ତାଙ୍କୁ ମରଣାନ୍ତକ ଭାବରେ ଆକ୍ରମଣ କରିଥିଲେ, ଯଦ୍ଦ୍ଵାରା ତାଙ୍କ ପେଟ ଭିତରେ ଗଭୀର ଆଘାତ ଲାଗିଛି।

ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କେସାରାମଙ୍କ ସ୍ତ୍ରୀ ଓମି ଦେବୀ କହିଛନ୍ତି ଯେ ‘ମୁଁ ପିହର ଯାଇଥିଲି ଏବଂ ଫେରିବା ପରେ ମୋ ସ୍ୱାମୀ ଓ ଶ୍ୱଶୁର ମୋତେ ଖୁବ୍‌ ମାଡ଼ ମାରିଥିଲେ। ଏଥି ସହିତ ଯୌତୁକ ଆଣିବାକୁ ଦାବି ମଧ୍ୟ କରିଥିଲେ’। ବିବାହିତ ମହିଳା ଧୋରୀମନା ଥାନାରେ ଏକ ଏତଲା ଦେଇ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେପଟେ ଏହି ପୂରା ଘଟଣାକୁ ନେଇ ବାଡମେର ପୋଲିସ ଅଧୀକ୍ଷକ ଦୀପକ ଭାର୍ଗବଙ୍କ କହିବା ହେଲା, ଭିଡିଓ ସାମ୍ନାକୁ ଆସିବା ପରେ ଅଲଗା ଅଲଗା ଟିମ୍‌ ଗଠନ କରାଯାଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପଠାଯାଇଛି। ଏହି ଘଟଣାରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

video courtesy: twitter.com/ZeeNewsCrime