ଶେଷରେ ସତ ମାନିଲେ ରାଷ୍ଟ୍ରପତି ଜିନପିଙ୍ଗ, ଦେଶରେ ଭଲ ନାହିଁ କୋଭିଡ଼ ସ୍ଥିତି

ବେଜିଂ : ଚୀନକୁ ଗିଳି ସାରିଲାଣି କରୋନା। ଶେଷରେ ସତ ମାନିଲେ ରାଷ୍ଟ୍ରପତି ଜିନପିଙ୍ଗ। ଦେଶରେ ସ୍ଥିତି ଭଲ ନଥିବା କହିଛନ୍ତି। ଆସନ୍ତା ମାସରେ ସ୍ଥିତି ଆହୁରି ବିଗିଡ଼ିବ । ନିଜର ନୂଆବର୍ଷ ପାଳିବ ଚୀନ। ସେତେବେଳେ ଗାଁରେ ବିଞ୍ଚି ହୋଇଯିବ ଭାଇରସ। ଦିନକୁ ୨୫ ହଜାର ଲୋକଙ୍କ ମୃତ୍ୟୁ ହେବ। ଏଭଳି ସ୍ଥିତିରେ ନିୟମିତ ଓ ସଠିକ ତଥ୍ୟ ଦେବାକୁ ଚୀନକୁ ତାଗିଦ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ବିଦେଶୀ ଗଣମାଧ୍ୟମମରେ ଚୀନ୍ର କୋଭିଡି ସ୍ଥିତି ନେଇ ତୁହାକୁ ତୁହା ରିପୋର୍ଟ ପରେ ପ୍ରଥମ ଥର ପାଇଁ ସତ ସ୍ୱୀକାର କରିଛନ୍ତି ଜିନପିଙ୍ଗ। ନୂଆବର୍ଷରେ ଦେଶବାସୀଙ୍କୁ ସମ୍ବୋଧନ ବେଳେ ମାନିଛନ୍ତି ଯେ, ଚୀନରେ ସ୍ଥିତି ଖରାପ ରହିଛି। ନିୟନ୍ତ୍ରଣ ପ୍ରକ୍ରିୟା ନୂଆ ପର୍ଯ୍ୟାୟରେ ପ୍ରବେଶ କରିଥିବା କହିଛନ୍ତି ଜିନିପିଙ୍ଗ୍ । ରାଷ୍ଟ୍ରପତି ମାନିଲେ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ନାହିଁ । ଶୁକ୍ରବାର ଚୀନରେ ମାତ୍ର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ହଜାର ୫୦୦ ଲୋକ ସଂକ୍ରମିତ ହୋଇଥିବା ରିପୋର୍ଟ କରିଛି ଚୀନର ନେସନାଲ ହେଲଥ କମିଶନ।

ଚୀନ ସଠିକ ତଥ୍ୟ ଦେଉନଥିବାରୁ ଉଦବେଗ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଚୀନ ନେସନାଲ ହେଲଥ କମିଶନ ଓ ନେସନାଲ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରଭେନସନ ଅଡମିନିଷ୍ଟ୍ରେସନ୍ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି WHO ଅଧିକାରୀ। ଚୀନକୁ ନିୟମିତ ଓ ପ୍ରକୃତ ତଥ୍ୟ ଦେବାକୁ କୁହାଯାଇଛି। ବିଶେଷ କରି ଅଧିକ ଜିନୋମ ସିକୁଏନସିଂ ତଥ୍ୟ ଦେବାକୁ କୁହାଯାଇଛି। ଏହା ସହ କେତେଜଣ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଏବଂ କେତେଜଣ ଆଇସିୟୁରେ ଅଛନ୍ତି ତାର ତଥ୍ୟ ମାଗିଛି WHO । ଟିକାକରଣ ତଥ୍ୟ ମଧ୍ୟ ମଗାଯାଇଛି।

ଚୀନର ସଠିକ ତଥ୍ୟ ବିଶ୍ୱକୁ ବିପଦମୁକ୍ତ କରିବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-

ବ୍ରିଟେନ୍ ସଂସ୍ଥାର ଏକ ରିପୋର୍ଟ ମୁତାବକ ଏବେ ଅତି ଭୟଙ୍କର ସଂକ୍ରମଣ ଦେଖୁଛି ଚୀନ। ପ୍ରତିଦିନ ୯ ହଜାର ଲୋକଙ୍କ ଜୀବନ ଯାଉଛି। ଆସନ୍ତା ମାସରେ ଏହି ସଂଖ୍ୟା ୨୫ ହଜାର ହେବ । ଚୀନ୍ରେ ସ୍ଥିତି ଏତେ ଗମ୍ଭୀ ଥିବା ସତ୍ତ୍ୱେ ନୂଆ ବର୍ଷ ପାଳିଛନ୍ତି ଲୋକ। ବିଭିନ୍ନ ସହରରେ ହଜାର ହଜାର ଲୋକ ଏକାଠି ହୋଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ।

କେନ୍ଦ୍ରୀୟ ଉହାନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ମଧ୍ୟରାତ୍ରିରେ ଉଡ଼ାଇଥିଲେ ବେଲୁନ। ଓଲ୍ଡ କ୍ଳକ୍ ଟାଓ୍ଵାର ପାଖରେ ପ୍ରବଳ ଗହଳି ହୋଇଥିଲା। ଗହଳି ନକରିବା ପାଇଁ ପୋଲିସର ନିବେଦନକୁ ଗ୍ରହଣ କରି ନଥିଲେ ଲୋକ। ଦୁଇ ବର୍ଷର କଠୋର ଲକଡାଉନ୍ରୁ ମୁକ୍ତି ମିଳିଥିବାରୁ ଖୁଲମଖୁଲା ବୁଲିଥିଲେ ଲୋକ । ନୂଆବର୍ଷର ଏହି ସେଲିବ୍ରେସନ୍ ଭାଇରସ୍କୁ ଆହୁରି ବିଞ୍ଚିବ।

ଚୀନ୍ ପାଇଁ ଆଗକୁ ଆହୁରି ଖରାପ ସମୟ ଆସୁଛି । ଜାନୁଆରୀ ଶେଷ ଆଡ଼କୁ ଚୀନ ପାଳିବ ନିଜର ନୂଆବର୍ଷ। ଏହି ସମୟରେ ଛୁଟି କାଟିଥାନ୍ତି ଲୋକ। ପରିବାର ସହ ଏକାଠି ହେବାକୁ ସହରରୁ ଗାଁ ମୁହାଁ ହୋଇଥାନ୍ତି। ତେଣୁ ଜାନୁଆରୀ ଶେଷ ଆଡ଼କୁ ନୂଆ ଲହର ଆସିବ । ଲୋକଙ୍କ ସହ ସହରରୁ ଗାଁକୁ ଯିବ ଭାଇରସ । ଫଳରେ ସ୍ଥିତି ଆହୁରି ଜଟିଳ ହେବା ଆଶଂକା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.