ପୁଣି ଉଦୟପୁର ଭଳି ମାମଲା! ମୋବାଇଲରେ ନୁପୂର ଶର୍ମାଙ୍କ ଭିଡିଓ ଦେଖୁଥିଲେ ଯୁବକ; ଛୁରୀ ଭୁସି ମରଣାନ୍ତକ ଆକ୍ରମଣ କଲେ ୫ ଯୁବକ

ରାଜସ୍ଥାନର ଉଦୟପୁର ଭଳି ମାମଲା ଏବେ ବିହାରର ସୀତାମଢ଼ିରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନୁପୂର ଶର୍ମାଙ୍କ ଭିଡିଓ ଦେଖିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଇଛି। ବର୍ତ୍ତମାନ ସେ ଡିଏମ୍‌ସିଏଚ୍‌ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଅଛନ୍ତି।

ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଫେରାର ଅଛନ୍ତି। ତେବେ ପୋଲିସ ଏହାକୁ ପାରସ୍ପରିକ ବିବାଦ ଘଟଣା ବୋଲି କହିଛି, ଯାହାକୁ ନେଇ ପୋଲିସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ଆହତ ଯୁବକଙ୍କ ନାଁ ଅଙ୍କିତ ଝା, ସେ ସ୍ଥାନୀୟ ନାନପୁରର ବହେରା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଏ ବିଷୟରେ ଅଙ୍କିତଙ୍କ ବାପା ମନୋଜ ଝାଙ୍କ କହିବା ମୁତାବକ, ତାଙ୍କ ପୁଅ ଦୋକାନକୁ ପାନ ଖାଇବାକୁ ଯାଇଥିଲା। ଏହି ସମୟରେ ସେ ନିଜ ମୋବାଇଲ ଫୋନରେ ନୁପୂର ଶର୍ମାଙ୍କ ଭିଡିଓ ଦେଖୁଥିଲା। ସେତେବେଳେ ମହମ୍ମଦ ବିଲାଲ୍‌ ନାମକ ଯୁବକ ନିଜର ୩ ସାଥୀଙ୍କ ସହ ସେଠାରେ ପହଞ୍ଚିଥିଲେ। ସେମାନେ ନୁପୂରଙ୍କ ଭିଡିଓ ଦେଖୁ ଥିବାରୁ ଅଙ୍କିତଙ୍କ ଉପରେ ରାଗି ଯାଇଥିଲେ।

ଅଭିଯୁକ୍ତମାନେ ଅଙ୍କିତଙ୍କ ମୁହଁରେ ସିଗାରେଟ୍‌ ଧୂଅାଁ ଉଡ଼ାଇବା ସହ ଗାଳି ଗୁଲଜ କରିଥିଲେ। ଅଙ୍କିତ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କ ଡାହାଣ ପାର୍ଶ୍ୱ ଅଣ୍ଟା ପାଖକୁ ଛୁରୀରେ ଆକ୍ରମଣ କରିଥିଲେ। ଅଙ୍କିତଙ୍କ ଶରୀରରେ ୬ ଥର ଛୁରୀରେ ଆଘାତ କରାଯାଇଛି।

ତେବେ ପୋଲିସ ଏତଲାରେ ନୁପୂର ଶର୍ମାଙ୍କ ନାମ ହଟାଇ ଦେଇଛି। ଅଙ୍କିତଙ୍କ ବାପା ସମସ୍ତ ଆକ୍ରମଣକାରୀଙ୍କ ଗିରଫ ସାଙ୍ଗକୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.