ରୁଷ୍‌କୁ ‘ଆତଙ୍କବାଦୀ ଦେଶ’ ଘୋଷଣା କରାଯାଉ : ଜେଲେନ୍‌ସ୍କି

ରୁଷକୁ ଆତଙ୍କବାଦୀ ଦେଶ ବୋଲି ଘୋଷଣା କରିବାକୁ ଦାବି କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି। ମଙ୍ଗଳବାର ଦିନ ଜେଲେନ୍‌ସ୍କି ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିବା ରୁଷକୁ ଆତଙ୍କବାଦୀ ରାଷ୍ଟ୍ର ବୋଲି ଘୋଷଣା କରିବାକୁ ବ୍ରିଟେନ୍‌କୁ ଦାବି କରିଛନ୍ତି। ଏଥିସହ ରୁଷ ଉପରେ ଅଧିକ ପ୍ରତିବନ୍ଧକ ଲଗାଇବାକୁ ସେ କହିଛନ୍ତି। ଫଳରେ ଦେଶର ବିମାନବନ୍ଦର ସୁରକ୍ଷିତ ରହିପାରିବ।

ୟୁକ୍ରେନ୍‌ର ୪୪ ବର୍ଷୀୟ ନେତା ଜେଲେନ୍‌ସ୍କି ଭିଡିଓ ଲିଙ୍କ୍‌ ମାଧ୍ୟମରେ ‘ହାଉସ୍‌ ଅଫ୍‌ କମନ୍ସ’ କୁ ସମ୍ବୋଧିତ କରିବା ଅବସରରେ ଐତିହାସିକ ଭାଷଣ ଦେଇଛନ୍ତି। ବ୍ରିଟେନ୍‌ର ସାଂସଦମାନେ ଠିଆ ହୋଇ ଜେଲେନ୍‌ସ୍କିଙ୍କୁ ଅଭିବାଦନ ଜଣାଇଛନ୍ତି। ଜେଲେନ୍‌ସ୍କି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ସମ୍ବୋଧିତ କରି କହିଛନ୍ତି- ଆମେ ପଶ୍ଚିମ ଦେଶର ସହାୟତା ପାଇଁ ଆପଣଙ୍କ ସାହାଯ୍ୟ ଚାହୁଁଛୁ। ଆମେ ଏହି ସାହାଯ୍ୟ ପାଇଁ କୃତଜ୍ଞ, ମୁଁ ଆପଣଙ୍କ ଠାରେ କୃତଜ୍ଞ ବୋରିସ୍‌।

ଏ ଅବସରରେ ୟୁକ୍ରେନ୍‌ର ରାଷ୍ଟ୍ରପତି କହିଛନ୍ତି- ଦୟାକରି ରୁଷ ବିରୋଧରେ ପ୍ରତିବନ୍ଧକ ବଢ଼ାନ୍ତୁ ଓ ଏହି ଦେଶକୁ ଆତଙ୍କବାଦୀ ବୋଲି ଘୋଷିତ କରନ୍ତୁ। ଦୟାକରି ଆମ ଆକାଶପଥକୁ ସୁରକ୍ଷିତ କରନ୍ତୁ। ଆମେ ରୁଷ୍‌ ବିରୋଧରେ ଶେଷ ନିଃଶ୍ୱାସ ଯାଏଁ ଲଢ଼ିବାକୁ ଚାହିଁବୁ। ଆମେ ହାର୍‌ ମାନିବୁ ନାହିଁ କି ହାରିବୁ ନାହିଁ ବୋଲି କହିଛନ୍ତି ଜେଲେନ୍‌ସ୍କି।

ସୂଚନାଯୋଗ୍ୟ ଯେ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଗତ ୧୩ ଦିନ ହେଲାଣି ୟୁକ୍ରେନ୍‌ ଉପରେ ଅବିରତ ଆକ୍ରମଣ କରି ଚାଲିଛି ରୁଷ। ସ୍ଥିତି ଏମିତି ହୋଇଛି ଯେ ୟୁକ୍ରେନ୍‌ ଏବେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି। ରୁଷର ଏଭଳି ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବିଶ୍ୱର ସବୁ ଦେଶ ବିରୋଧ କରି କଡ଼ା ନିନ୍ଦା କରିଛନ୍ତି।

Also Read: ବନ୍ଦ ହେବ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ! ନାଟୋରେ ମିଶିବାକୁ ଆଉ ଇଚ୍ଛା ନାହିଁ ବୋଲି କହିଲେ ଜେଲେନ୍‌ସ୍କି