କଂକ୍ରିଟ ଜଙ୍ଗଲରେ ନାହିଁ ସେହି ମାଟିର ବାସ୍ନା, ନାହିଁ ରଜ ଦୋଳି… ପାଶ୍ଚାତ୍ୟ ଜୀବନଶୈଳୀରେ ସବୁକିଛି ପରିବର୍ତ୍ତିତ

‘ବନସ୍ତେ ଡାକିଲା ଗଜ, ବରଷକ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ’…ରଜ ଆସିଲେ ଏହି ଗୀତରେ ଉଛୁଳି ପଡ଼େ ଗାଁ ଦାଣ୍ଡ। କୁଆଁରୀ ଝିଅମାନେ ରଜ ଗୀତ ଗାଇ ଖେଳି ଥାଆନ୍ତି ଦୋଳି। ଗାଁ ବରଗଛରେ ଝୁଲୁଥାଏ ଏକରୁ ଅଧିକ ରଜ ଦୋଳି। ରଜ ପାନ, ପୋଡ଼ପିଠା ଖାଇ ଆବାଳବୃଦ୍ଧବନିତା ହସଖୁସିରେ ମସଗୁଲ ହୁଅନ୍ତି। ଗାଁ ମଝିରେ ତାସ ମାଡ଼ ସାଙ୍ଗକୁ ବେଶ ଜମିଥାଏ ଲୁଡୁ ଖେଳ ଓ କବାଡି।

ହେଲେ ସମୟର ଗତିରେ ଆଜି ସବୁ କିଛି ହଜି ଯାଇଛି। ଆଉ ଶୁଭୁନି ସେହି ରଜ ଦୋଳି ଗୀତ କି ଦେଖିବାକୁ ମିଳୁନି ଲୁଡୁ କି କବାଡି ଖେଳ। ଆଧୁନିକ ଜୀବନଶୈଳୀରେ ଲିପ୍ତ ହୋଇ ମଣିଷ ପାଶ୍ଚାତ୍ୟକୁ ବେଶି ଆଦରି ନେଇଛି।

ଯଦିଓ ଗାଁ ଗହଳିରେ ରଜର ପରମ୍ପରା କିଛିଟା ବଞ୍ଚି ରହିଛି, ହେଲେ ସହରର କଂକ୍ରିଟ ଜଙ୍ଗଲରେ ନା ଦେଖିବାକୁ ମିଳୁଛି ରଜ ଦୋଳି, ନା ଶୁଭୁଛି ରଜ ଗୀତ। ଲୋକେ ଅନଲାଇନରୁ ମଗାଇ ପିଠା ଖାଉଛନ୍ତି ତ ଅନଲାଇନରୁ ମଗାଇ ନୂଆ ଡ୍ରେସ ପିନ୍ଧୁଛନ୍ତି। ସେଥିରେ ପୁଣି ଘରେ ଭଙ୍ଗା ଯାଉନି ରଜ ପାନ, ଗୋଟିଏ କ୍ଲିକରେ ଏହା ବି ମିଳିଯାଉଛି ଅନଲାଇନରୁ।

ଆଜିକାଲି ମୋବାଇଲ ସବୁକିଛିକୁ ସହଜ କରି ଦେଇଛି। ରଜରେ ଦୋଳିର ମଜା ନ ନେଇ ଝିଅମାନେ ନିଜର ସେଲ୍ଫି ଉଠାଇ ଷ୍ଟେଟସ ଭର୍ତ୍ତି କରିବାରେ ଲାଗି ପଡୁଛନ୍ତି। ଏଥିପାଇଁ ଚାଲୁଛି ଏକ ପ୍ରକାର ପ୍ରତିଯୋଗିତା। ସେହିପରି ମୁଣ୍ଡରେ ଟିପିଟିପି ଚନ୍ଦନ ନାହିଁ କି କେଶରେ ନାହିଁ ବାସ୍ନା ତେଲ। ପାଦରେ ଅଳତା ନାହିଁ କି ନାହିଁ ଗୁଆ ଖୋଳର ଚପଲ।

ପାଶ୍ଚାତ୍ୟ ଧାରାରେ ପଡ଼ି ଯାଇଛି ଯୁବପିଢ଼ି। ଜିନ୍ସ, ଟି ଶାର୍ଟ ପିନ୍ଧି ଝିଅମାନେ ପାଳୁଛନ୍ତି ରଜ। ଓଡ଼ିଆ ନାରୀ ପିନ୍ଧୁନି ଶଙ୍ଖା କି ସିନ୍ଦୁର। ରଜ ପୋଡ଼ପିଠା ବଦଳରେ ଘରେ ତିଆରି ହେଉଛି ଇଡଲି, ଦୋସା। କହିବାକୁ ଗଲେ ବର୍ତ୍ତମାନର ରଜ ଏକଦମ ଲାଗୁଛି ଫିକା ଫିକା। ନାହିଁ ସେହି ମାଟିର ବାସ୍ନା, ସତେ ଯେମିତି ବଦଳି ଯାଇଛି ଆମ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.