ନିଆରା ଅଫର ଦେଲେ ସେଲୁନ ମାଲିକ: ଟିକା ନେଇଥିଲେ କେଶ ଓ ଦାଢ଼ି କାଟି ପାରିବେ ଗ୍ରାହକ

ବିହାର ସ୍ଥିତ ଦରଭଙ୍ଗା ଜିଲ୍ଲାରେ ଜଣେ ସେଲୁନ ମାଲିକ ନିଜ ଗ୍ରହକ ମାନଙ୍କୁ ଏକ ନିଆରା ଅଫର ଦେଇଥିବାର ଜଣାପଡିଛି । ଟିକା ନେଇଥିବା ଗ୍ରାହକଙ୍କର କେଶ ଓ ଦାଢ଼ି ସେ ମାଗଣାରେ କାଟୁଛନ୍ତି । ଦରଭଙ୍ଗା ସହରର ବାଇତା ଛକରେ ଶମ୍ଭୁ କୁମାର ଠାକୁରଙ୍କର ସେଲୁନ୍‌ ରହିଛି । ନିଜ ଜିଲ୍ଲାରେ ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ମାଗଣା ସେବା ଦେଉଛନ୍ତି ବୋଲି ଶମ୍ଭୁ କହିଛନ୍ତି । ଯେଉଁମାନେ ମାଗଣା ସେବା ଚାହୁଁଛନ୍ତି, ସେମାନେ ନିଜର ଟିକାକରଣର ପ୍ରମାଣପତ୍ର କିମ୍ବା ଟିକା ନେବା ସମୟରେ ଉଠାଇଥିବା ଫଟୋ ଦେଖାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

haircut

ତାଙ୍କ କହିବା ଅନୁସାରେ, ଟିକାକରଣ ଅଭିଯାନ ବିଷୟରେ ଲୋକଙ୍କୁ ସୂଚନା ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିଜର ସାମର୍ଥ୍ୟ ଅନୁସାରେ ଆମେ ମଧ୍ୟ ଲୋକଙ୍କୁ ସଚେତନା କରିବାକୁ ନିଷ୍ପତ୍ତି ନେଲୁ । ଏବେ ସୁଦ୍ଧା ଆମେ ୨୦୦ରୁ ଅଧିକ ଗ୍ରାହକଙ୍କୁ ମାଗଣାରେ ଏହି ସେବା ପ୍ରଦାନ କରିସାରିଛୁ । ଆମର ଅଫର୍‌ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ସେଲୁନ୍‌ ବାହାରେ ଆମେ ଏକ ବୋର୍ଡ ମଧ୍ୟ ଲଗାଇଛୁ । ଶମ୍ଭୁଙ୍କର ଏହି ନିଆରା ପ୍ରୟାସକୁ ସ୍ଥାନୀୟ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି । ଟିକା ନେବାକୁ ଚାହୁଁନଥିବା ଲୋକେ ମାଗଣା ଅଫର୍‌ ବିଷୟରେ ଶୁଣି ଟିକା କେନ୍ଦ୍ରରେ ପହଞ୍ଚୁଛନ୍ତି ।

ତେବେ ଏମିତି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ସହ କରୋନାକୁ ହରାଇ ହେବ ବୋଲି ବିଶ୍ୱାସ ରହିଛି ବୋଲି ସେଲୁନ ମାଲିକଙ୍କ ପକ୍ଷରୁ କୁହାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.