ଭାଇରାଲ ଭିଡିଓ ଦେଖି ମାଇକ୍ରୋୱେଭରେ ଅଣ୍ଡା ପ୍ରସ୍ତୁତ କରିବା ମହିଳାଙ୍କୁ ପଡ଼ିଲା ମହଙ୍ଗା

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖାଦ୍ୟ ପ୍ରଣାଳୀର ଭିଡିଓକୁ ଅନୁସରଣ କରି ଖାଦ୍ୟ ପ୍ରସ୍ତୁତ କରିବା ଅନେକ ସମୟରେ ବିପଦର କାରଣ ହୋଇଥାଏ । ସମାନ ଭାବେ ଏଭଳି ଏକ ଭୟଙ୍କର ଘଟଣା ଜଣେ ମହିଳାଙ୍କ ସହ ଘଟିଯାଇଛି ।

(କେନ୍ୟୁଜ ବ୍ୟୁରୋ): ରୋଷେଇ କରିବା ଅନେକ ଲୋକଙ୍କ ମନ ପସନ୍ଦର କାମ । କିଛି ଲୋକ ମୋବାଇଲର ଭିଡିଓ ଦେଖି ରୋଷେଇ କରିବାକୁ ଭଲ ପାଇଥାନ୍ତି । ଭିନ୍ନ ଭିନ୍ନ ଶୈଳୀରେ ଖାଦ୍ୟ ପ୍ରସ୍ତୁତ କରି ପରିବାର ଲୋକଙ୍କୁ ପରଷିବା ଲୋକଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖାଦ୍ୟ ପ୍ରଣାଳୀର ଭିଡିଓକୁ ଅନୁସରଣ କରି ଖାଦ୍ୟ ପ୍ରସ୍ତୁତ କରିବା ଅନେକ ସମୟରେ ବିପଦର କାରଣ ହୋଇଥାଏ । ସମାନ ଭାବେ ଏଭଳି ଏକ ଭୟଙ୍କର ଘଟଣା ଜଣେ ମହିଳାଙ୍କ ସହ ଘଟିଯାଇଛି । ଟିକ୍‌ଟକ୍‌ ରେ ଭାଇରାଲ ହୋଇଥିବା ଏକ ଭିଡିଓରୁ ଅଣ୍ଡାର ଏକ ଖାଦ୍ୟ ପ୍ରସ୍ତୁତ କରିବା ମହିଳାଙ୍କ ପାଇଁ ଦୁର୍ଘଟଣାର କାରଣ ହୋଇଥିଲା । ବର୍ତ୍ତମାନ ମହିଳା ଜଣଙ୍କ ଅନ୍ୟମାନଙ୍କୁ ଏହି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବାରଣ କରିଛନ୍ତି ।

ଏଭଳି ଅଭାବନୀୟ ଘଟଣା ବ୍ରିଟେନରୁ ସାମ୍ନାକୁ ଆସିଛି । ଶାଫିୟା ବଶୀର ନାମକ ଜଣେ ମହିଳା ଟିକ୍‌ଟକ୍‌ ରେ ଭାଇରାଲ ହୋଇଥିବା ଏକ ଅଣ୍ଡା ପ୍ରସ୍ତୁତ ଖାଦ୍ୟ ଦେଖି ଏହାକୁ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପର ମୂହୁର୍ତ୍ତରେ ଯାହା ହୋଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ମହିଳା ଅଣ୍ଡା ପୋଚ ପ୍ରସ୍ତୁତ କରିବା ପାଇଁ ଏକ ଭିନ୍ନ ଉପାୟ ଅନୁସରଣ କରିଥିଲେ । ୩୭ ବର୍ଷିୟ ଶାଫିୟା ବଶୀର କଞ୍ଚା ଅଣ୍ଡାକୁ ହିଁ ମାଇକ୍ରୋୱେଭରେ ରଖି ରାନ୍ଧିବା ଆରମ୍ଭ କରିଥିଲେ । ଅଣ୍ଡା ପ୍ରସ୍ତୁତ ହେବା ପରେ ଚାମଚରେ ଏହାକୁ ବାହାର କରିବା ଆରମ୍ଭ କରିଥିଲେ । ଏହି ଗରମ ଅଣ୍ଡା ଫାଟି ଯାଇ ତାଙ୍କ ମୁହଁରେ ପଡ଼ିଥିଲା ଫଳରେ ତାଙ୍କ ମୁହଁ ଅଧା ପୋଡ଼ି ଯାଇଥିଲା । ଆଣ୍ଡାର ଭିତର ଅଂଶ କଞ୍ଚା ଥିବାରୁ ଅଣ୍ଡା ଚୋପା ଫଟେଇବା ଦ୍ୱାରା ଏହା ବଶୀରଙ୍କ ମୁହଁରେ ପଡ଼ିଥିଲା । ସେ ପାଣିରେ ମୁହଁ ଧୋଇଥିଲେ ମଧ୍ୟ କିଛି ବି ସୁଫଳ ମିଳି ନଥିଲା ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ।

ବଶୀର ସୁସ୍ଥ ହେବା ପରେ ୱେବସାଇଟରେ କହିଥିଲେ ଯେ ଏହି ହ୍ୟାକ ଦ୍ୱାରା ତାଙ୍କର ଏପରି ଅବସ୍ଥା ହୋଇଛି । ଏହା ତାଙ୍କ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ଅନୁଭବ ଥିଲା । ସେ ଅନ୍ୟ ମୋବାଇଲ ବ୍ୟବହାରକାରୀଙ୍କୁ ଏଭଳି ହ୍ୟାକ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.