ଦୁଇଟି ଡୋଜ୍‌ ନେଇସାରିଥିବା ଲୋକଙ୍କର ବି ଜୀବନ ନେଉଛି ଡେଲ୍‌ଟା ଭାରିଏଣ୍ଟ, ଏହି ବୟସର ଲୋକେ ରୁହନ୍ତୁ ଅଧିକ ସାବଧାନ

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ ଡେଲ୍‌ଟା ଭାଇରସ୍‌ ଆତଙ୍କରେ ଏବେ ସାରା ବିଶ୍ୱବାସୀ ଆତଙ୍କିତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏବେକାର ସବୁଠୁ ସଂକ୍ରାମକ ଭାରିଏଣ୍ଟ ଭାବେ ଏହାକୁ ‘ଭାରିଏଣ୍ଟ ଅଫ୍‌ କନ୍‌ସର୍ଣ୍ଣ’ ତାଲିକା ଭୁକ୍ତ କରିଛି। ଏବେ ଏହି ଭାଇରସ୍‌ ସମ୍ପର୍କରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ଡେଲ୍‌ଟା ଭାରିଏଣ୍ଟ ସମ୍ପୂର୍ଣ୍ଣ ଭାବେ ଭ୍ୟାକ୍ସିନେଟ୍‌ ହୋଇଥିବା ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛି।

ପବ୍ଲିକ୍‌ ହେଲଥ ଇଂଲଣ୍ଡ ତରଫରୁ ଜାରି ସୂଚନା ମୁତାବକ, ବ୍ରିଟେନ୍‌ରେ ଡେଲ୍‌ଟା ଭାରିଏଣ୍ଟରେ ଏବେ ଯାଏଁ ପ୍ରାୟ ୧୧୭ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫୦ ବର୍ଷରୁ ବଡ଼ ବୟସର ୧୦୯ ଜଣ ଲୋକ ଅଛନ୍ତି। ଏମାନଙ୍କ ମଧ୍ୟରୁ ୫୦ ଜଣ ଏମିତି ବି ଅଛନ୍ତି ଯେଉଁମାନେ ଭ୍ୟାକ୍‌ସିନ୍‌ର ଉଭୟ ଡୋଜ୍‌ ନେଇସାରିଛନ୍ତି। ସେହିପରି ୫୦ରୁ କମ୍‌ ବୟସର ୮ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବୟସ ବର୍ଗରେ ସିଙ୍ଗଲ ଡୋଜ୍‌ ନେଇଥିବା ମାତ୍ର ୨ ଜଣଙ୍କ ମୃତ୍ୟୁ ହୋଇଛି।

ଏଭଳି ସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଭ୍ୟାକ୍‌ସିନ୍‌ର ଡୋଜ୍‌ କରୋନାର ଡେଲ୍‌ଟା ଭାରିଏଣ୍ଟ ଉପରେ ପ୍ରଭାବଶାଳୀ କି ନାହିଁ। ବ୍ରିଟେନ୍‌ର ଲୋକଙ୍କୁ ଇତିମଧ୍ୟରେ ଆଷ୍ଟ୍ରେଜେନେକା ଓ ଫାଇଜର ଟିକା ଦିଆଯାଇଛି। ତଥାପି ଡେଲ୍‌ଟା ଭାରିଏଣ୍ଟ ଉପରେ ଏହା ପ୍ରଭାବଶାଳୀ ହୋଇନଥିବା ଜଣାଯାଇଛି। ଅନ୍ୟପଟେ ବିଶେଷଜ୍ଞ କହିଛନ୍ତି, ବ୍ୟକ୍ତିଙ୍କ ବୟସ ଯେତେ ଅଧିକ ହେବ ଇନ୍‌ଫେକସନ୍‌ରେ ମୃତ୍ୟୁର ଆଶଙ୍କା ମଧ୍ୟ ସେତେ ଅଧିକ ରହିବ। ଏଣୁ ୫୦ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଅଧିକ ସତର୍କ ରହିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.