ବୌଦ୍ଧର ପ୍ରସିଦ୍ଧ ଦେବୀ ମା ଭୈରବୀଙ୍କ ପୀଠରେ ଆରମ୍ଭ ହେଲା ଷୋହଳ ପୂଜା

ଆରମ୍ଭ ହୋଇଛି ପାର୍ବଣ ଋତୁ, ଯାହା ପାଇଁ ଗାଁ ଠାରୁ ସହର ସବୁଠୁ ଚାଲିଛି ପୂଜା ପାଇଁ ପ୍ରସ୍ତୁତି। ସେଥିପାଇଁ ସଂସ୍କୃତି ଓ ପରମ୍ପରା ଭରି ରହିଥିବା ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା
ଭୈରବୀଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଶାରଦୀୟ ଷୋଡ଼ଶ ପୂଜା। କିମ୍ବଦନ୍ତୀ କହେ ଦକ୍ଷ ପ୍ରଜାପତିଙ୍କ ଦ୍ୱାରା ଅନୁଷ୍ଠିତ ଯଜ୍ଞରେ ନିମନ୍ତ୍ରିତ ନ ହୋଇ ଅପମାନିତ ହୋଇଥିବା ଭଗବାନ ଶିବଙ୍କ ପ୍ରତି ଏପରି ବ୍ଯବହାରକୁ ମା ସତୀ ସହ୍ଯ କରି ନପାରି ଯଜ୍ଞ କୁଣ୍ଡରେ ଝାସ ଦେବା ପରେ ତାଙ୍କର ଶରୀରକୁ ଶିବ ଧରି ବିଶ୍ୱ ବ୍ରହ୍ମାଣ୍ଡ ବୁଲିବା ଆରମ୍ଭ କରିଥିଲେ । ତେଣୁ ବିଷ୍ଣୁ ଭଗବାନ ସତୀଙ୍କ ଶରୀରକୁ ସୁଦର୍ଶନ ଚକ୍ରରେ ଖଣ୍ଡ ବିଖଣ୍ଡିତ କରି ଦେଇଥିଲେ। ସତୀଙ୍କ ଶରରୀର ଅଙ୍ଗ ସବୁ ବିଭିନ୍ନ ସ୍ଥାନରେ ପଡ଼ିଥିଲା। ତାଙ୍କର ଏକ ଅଂଶ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ପଡିଥିଲା ବୋଲି କୁହାଯାଏ। ସେହି ଦିନ ଠାରୁ ଏଠାରେ ଭୈରବୀଙ୍କ ରୂପରେ ପୁଜା ପାଇ ଆସୁଛନ୍ତି ମାଆ’ ସତୀ।
ପଶ୍ଚିମ ଓଡିଶାରେ ପାଳିତ ହୋଇଆସୁଥିବା ପୁଅ ଜିଉଁତିଆ ପୂଜା ଓ ଖଣ୍ଡା ବସା ଯାତ୍ରା ଦିନ ଠାରୁ ଏଠାରେ ଷୋହଳ ଦିନ ଧରି ମା’ଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ମନ୍ଦିରର ଦେହୁରୀ ଘରୁ ମା’ଙ୍କର ପାଟଖଣ୍ଡା ଅଣାଯାଇଥାଏ । ନିଶାଣ ସହିତ ଘଣ୍ଟ ଘଣ୍ଟାର ତାଳେ ତାଳେ ଭକ୍ତମାନେ ଛତ୍ର ଧରି ବସ୍ତି ପରିକ୍ରମା କରିଥଶନ୍ତି । ଏହା ପରେ ମନ୍ଦିରକୁ ଆସି ବିଭିନ୍ନ ପ୍ରକାର ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥଏ ।
ତେବେ ମା’ଙ୍କର ଏହି ଷୋହଳ ଦିନର ପୂଜା ଅତ୍ୟନ୍ତ ଗୁପ୍ତ ଭାବେ କରାଯାଇଥାଏ । ଏହି ସମୟରେ ମନ୍ଦିର ଦ୍ୱାର ବନ୍ଦ ରହେ । କୁହାଯାଏ କି ତାଳପତ୍ର ପୋଥି ଅନୁସାରେ ଅର୍ଦ୍ଧରାତ୍ରୀରେ ମା’ଙ୍କର ଏହି ସ୍ୱତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୁଏ । ଯାହାକୁ ଅନ୍ଧାରୀ ପୂଜା କୁହାଯାଏ । ପୂଜାର୍ଚ୍ଚନା ପରେ ଭୋଗ ଲାଗି ହୋଇଥାଏ । ଏହି ଷୋଅଳ ଦିନ ବ୍ଯାପି ସାଧାରଣ ଭକ୍ତଙ୍କୁ ମା’ଙ୍କ ଦର୍ଶନ ମନା। ଏହାପରେ ନବମୀ ଦିନ ମା’ଙ୍କ ଠାରେ ନବାନ୍ନ ଲାଗି ହେବା ପରେ ଦଶହରା ଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଭା ଭୈରବୀଙ୍କୁ ଶ୍ରଦ୍ଧାଳୁମାନେ ଏତେ ମାନନ୍ତି ଯେ ଦୀର୍ଘ ଷୋହଳ ଦିନ ଧରି ଅପେକ୍ଷ କରି ରହିଥାନ୍ତି ମା’ଙ୍କ ଦର୍ଶନ ପାଇଁ । ସମସ୍ତେ ଅନାଇ ରହିଥାନ୍ତି ମା‘ଙ୍କର ପହଡ ଖୋଲିବା ସମୟକୁ । ଆଉ ଦଶହରା ଦିନ ଖୋଲିଥାଏ ମା’ ଭୈରବୀଙ୍କ ମନ୍ଦିର ଦ୍ୱାର । ବିଭିନ୍ନ ସ୍ଥାନରୁ ଏଠାକୁ ଭକ୍ତ ଛୁଟି ଆସନ୍ତି ମାଙ୍କ ଦର୍ଶନ ପାଇଁ। ଆଉ ମାନସିକ କରନ୍ତି ମା’ଙ୍କ ପାଖରେ।