କରୋନା ଛୁଟିରେ ପିଲାଙ୍କ ମୁଡ୍‌ ଏଭଳି ବଦଳାନ୍ତୁ, ଟାଇମ୍‌ ପାସ ହେବା ସହ ଶିଖିବେ ନୂଆ କଥା

ବର୍ତ୍ତମାନ କରୋନା ଭାଇରସ୍‌ ଯୋଗୁ ଓଡ଼ିଶାରେ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କିଛି ପିଲାଙ୍କ ପରୀକ୍ଷା ସରିଯାଇଥିବା ବେଳେ ଆଉ କିଛି ପିଲାଙ୍କର ଅଳ୍ପ କେତୋଟି ବିଷୟର ପରୀକ୍ଷା ବାକି ରହିଛି। ତେବେ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍କୁଲ ବନ୍ଦ ଥିବାରୁ ଘରେ ଛୋଟ ଛୁଆଙ୍କ ଦୁଷ୍ଟାମି ବଢ଼ିଯାଇଛି, ଯାହା ମା’ବାପାଙ୍କ ଚିନ୍ତା ବଢ଼ାଇଦେଇଛି। ଆଉ ଯଦି ଘରେ ଏକା ବୟସର ଦୁଇ ତିନିଟି ଛୁଆ ଥିବେ ତେବେ ସବୁବେଳେ ମାଡ଼ପିଟ, ଝଗଡ଼ାରେ ହିଁ ଘର ଉଠୁଥିବା ଆଉ ପଡ଼ୁଥିବା। ଆପଣଙ୍କ ଘରେ ବି ଯଦି ସମାନ ମାହୋଲ ରହିଛି ତେବେ ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ଛୁଆଙ୍କୁ ନିଜ ଆୟତ୍ତରେ ରଖିପାରିବେ। ଖାଲି ସମୟରେ ପିଲାଙ୍କୁ ବ୍ୟସ୍ତ ରଖିବାର ଏହି ଉପାୟ ଆପଣଙ୍କୁ ସାହାଯ୍ୟ କରିବା ସହ ପିଲାଙ୍କ ଜ୍ଞାନ ମଧ୍ୟ ବୃଦ୍ଧି କରିବ। ଆସନ୍ତୁ ଜାଣିବା ଖାଲି ସମୟରେ ପିଲାଙ୍କୁ କେମିତି ବ୍ୟସ୍ତ ରଖିବେ…

sport

ବର୍ତ୍ତମାନ କରୋନା ଭାଇରସ୍‌ର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ସାମ୍ନା କରିବା ପାଇଁ ପିଲାଙ୍କୁ ଘରେ ରହି ଏକ୍ସରସାଇଜ୍‌ କରିବା ଶିଖାନ୍ତୁ। ଘରେ ହିଁ ପିଲାଙ୍କୁ ଯୋଗ, ପ୍ରାଣାୟାମ କରିବା ଶିଖାନ୍ତୁ। ଏହା ଦ୍ୱାରା ଛୁଆ ନିଜେ ସୁସ୍ଥ ରହିବା ସହ ଏହା ଏକ ଭଲ ଅଭ୍ୟାସରେ ମଧ୍ୟ ପରିଣତ ହେବ, ଯାହା ଭବିଷ୍ୟତ ପାଇଁ ଖୁବ୍‌ ଭଲ।

game

ପିଲାଙ୍କୁ ଏବେ ଘରେ ରହି ଲୁଡ଼ୁ, ତାସ୍‌, ଚେସ୍‌, କ୍ୟାରମ୍‌ ଭଳି ଇନ୍‌ଡୋର୍‌ ଗେମ୍‌ ଶିଖାନ୍ତୁ। ଏହା ଦ୍ୱାରା ତାଙ୍କ ଟାଇମ୍‌ ପାସ୍‌ ହୋଇଯିବ।

ଘରେ ଖାଲି ସମୟରେ ପିଲା ଟିଭି କିମ୍ବା ମୋବାଇଲ ଦେଖି ଦେଖି ବିରକ୍ତ ହୋଇଯାଇଥିବେଣି। ଏଣୁ ତାଙ୍କୁ ଟିଭି ସାମ୍ନାରୁ ଉଠାଇବାକୁ କିଛି ଛୋଟ ଛୋଟ ପୌରାଣିକ କାହାଣୀ କୁହନ୍ତୁ। ଯାହା ସେ ମନେ ରଖିପାରିବ। ଏହା ଦ୍ୱାରା ଛୁଆର ପୁରାଣ ଉପରେ ମଧ୍ୟ ଜ୍ଞାନ ବଢ଼ିବ।

mom_kid_reading

ବର୍ତ୍ତମାନ ଛୁଆଙ୍କ ହାତରେ ୨୪ ଘଣ୍ଟା ସମୟ ଥିବ। ଏହି ସମୟ ହିଁ ତାଙ୍କୁ ଆମ ସଂସ୍କୃତି ପରମ୍ପରା ବିଷୟରେ କହିବାର ପ୍ରକୃତ ସମୟ। ପିଲାଙ୍କୁ ଆମ ଓଡ଼ିଆ ସଂସ୍କୃତି ପରମ୍ପରା ବିଷୟରେ କୁହନ୍ତୁ। ଓଡ଼ିଶାର ପାରମ୍ପରିକ ରୀତି ନୀତି, ପୂଜା ବ୍ରତ ଆଦି ବିଷୟରେ ଧାରଣା ଦିଅନ୍ତୁ। କେଉଁ ମାସରେ କେଉଁ ପୂଜା ବ୍ରତ ପଡ଼େ ତାହା କୁହନ୍ତୁ। ଫଳରେ ସେ ଆମ ସଂସ୍କୃତି ପରମ୍ପରାକୁ ଆଉ ଟିକେ ଭଲ ଭାବେ ଜାଣିପାରିବ।

namaste

ଆଜିକାଲିର ପିଲାମାନେ ମୋବାଇଲ, ଟିଭି, ଟେକ୍ନୋଲୋଜି ଭିତରେ ବୁଡ଼ି ରହୁଥିବାରୁ ବଡ଼ ସାନଙ୍କୁ କିଭଳି ବ୍ୟବହାର କରିବେ ସେ ନେଇ ଜାଣିପାରୁନାହାନ୍ତି। ଏଣୁ ବର୍ତ୍ତମାନ ଛୁଟି ଥିବାରୁ ସେମାନଙ୍କୁ ବଡ଼ମାନଙ୍କୁ କିଭଳି ସମ୍ମାନ ଦେବେ ତାହା ଶିଖାନ୍ତୁ। ବଡ଼ମାନଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରିବା, ସାନଙ୍କୁ ସ୍ନେହ କରିବା ଆଦି ବିଷୟରେ ଛୁଆଙ୍କୁ ପରାମର୍ଶ ଦିଅନ୍ତୁ।

boy

ଟିଭି ଦେଖାରୁ କିଛି ସମୟ ବାହାର କରି ପିଲାଙ୍କୁ ଏକ୍ସଟ୍ରାକାରିକୁଲାର ଆକ୍ଟିଭିଟି ଯଥା: ପେଣ୍ଟିଂ, ଆର୍ଟ ଆଦି କରିବା ଶିଖାନ୍ତୁ। ଏହା ଦ୍ୱାରା ଛୁଆର କଳା ଦିଗରେ ମନ ଲାଗି ରହିବ।

painting

ପିଲାଙ୍କୁ ମୋବାଇଲ ଛାଡ଼ି କମ୍ପ୍ୟୁଟର ଶିଖାନ୍ତୁ। ଅଧିକ ନ ହେଲେ ବି ଛୋଟ ଛୋଟ କଥା ଶିଖାନ୍ତୁ। ଫଳରେ କମ୍ପ୍ୟୁଟର ଉପରେ ତାର ସାଧାରଣ ଜ୍ଞାନ ରହିବ।

teaching-computer-skills

ଏହା ବ୍ୟତୀତ ଛୁଆଙ୍କୁ ରୋଷେଇ ବିଷୟରେ ମଧ୍ୟ କୁହନ୍ତୁ। ବଡ଼ କାମ ନ ହେଲେ ବି ଛୁଆଙ୍କୁ ପାଣି ଗରମ କରିବା, ନୁଡଲ୍ସ ତିଆରି କରିବା, ଅଣ୍ଡା ସିଝାଇବା ଆଦି ଛୋଟ ଛୋଟ କଥା ଶିଖାନ୍ତୁ। ଏହା ଦ୍ୱାରା ଛୁଆଙ୍କର ରୋଷେଇ ଉପରେ ଆଗ୍ରହ ଆସିବ।

Cooking

ଶେଷରେ ବର୍ତ୍ତମାନ କରୋନା ପରିସ୍ଥିତିରେ ନିଜର କେମିତି ଯତ୍ନ ନେବେ ତାହା ବୁଝାନ୍ତୁ। ଖେଳିବା ପରେ ହାତ ଧୁଅନ୍ତୁ, ଖାଇବା ପୂର୍ବରୁ ଓ ପରେ ପରିଷ୍କାର କରି ସାବୁନ୍‌ରେ ହାତ ଧୋଇବା ଶିଖାନ୍ତୁ। କୌଣସି ଅଜଣା ଜିନିଷକୁ ଛୁଇଁବାକୁ ମନା କରନ୍ତୁ। କାଶିବା କିମ୍ବା ଛିଙ୍କିବା ବେଳେ ମୁହଁରେ ହାତ ଦେଇ ଛିଙ୍କିବା ଆଦି ଶିଖାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.