ଯଦି ଜଣେ ମହାକାଶଚାରୀ ସ୍ପେସରେ ମରିଗଲେ ତାହେଲେ ତାଙ୍କ ମୃତଦେହ କଣ ହେବ? ଜାଣନ୍ତୁ କଣ ରହିଛି ନାସାର ପ୍ରୋଟୋକଲ୍

୬୦ ବର୍ଷ ତଳୁ ଆରମ୍ଭ ହୋଇଛି ମଣିଷର ମହାକାଶ ଯାତ୍ରା। ମାନବ ମହାକାଶ ଅନୁସନ୍ଧାନ ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨୦ ଜଣ ମହାକାଶଚାରୀଙ୍କର ମୃତ୍ୟୁ ହେଲାଣି।

ମହାକାଶଚାରୀ ଜଣେ ଯଦି ଅନ୍ତରୀକ୍ଷରେ ମରିଯାନ୍ତି ତାହେଲେ ତାଙ୍କ ମୃତଦେହ କଣ ହୋଇଥାଏ । ଏହି ପ୍ରଶ୍ନରେ ଆମେରିକୀ ଅନ୍ତରୀକ୍ଷ ଏଜେନ୍ସୀ ନାସାର ଏକ ପ୍ରୋଟୋକୋଲ ସ୍ପଷ୍ଟ ହୋଇଛି। ଏବେ ସୁଦ୍ଧା ଅନ୍ତରୀକ୍ଷରେ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ତରୀକ୍ଷ ଯାତ୍ରା ଦୁଇ-ତିନି ଦଶକ ଭିତରେ ସାଧାରଣ ଲୋକଙ୍କ ପାଇଁ ଏକ ରୋଚକ ବିଷୟ ସାଜିଛି ।

ମଣିଷର ମହାକାଶ ଯାତ୍ରା ଅତ୍ୟନ୍ତ କଷ୍ଟସାଧ୍ୟ ଓ ବିପଦପୂର୍ଣ୍ଣ। ଅନ୍ତରୀକ୍ଷରେ ମହାକାଶଚାରୀଙ୍କ ସମ୍ମୁଖରେ ଥାଏ ଅନେକ ଚ୍ୟାଲେଞ୍ଜ୍। ୬୦ ବର୍ଷ ତଳୁ ଆରମ୍ଭ ହୋଇଛି ମଣିଷର ମହାକାଶ ଯାତ୍ରା। ମାନବ ମହାକାଶ ଅନୁସନ୍ଧାନ ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨୦ ଜଣ ମହାକାଶଚାରୀଙ୍କର ମୃତ୍ୟୁ ହେଲାଣି। ୧୯୮୬ ଓ ୨୦୦୩ରେ ନାସା ସ୍ପେସ୍ ସଟଲ୍ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ୧୪ ଜଣ ମହାକାଶଚାରୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୧୯୭୧ରେ ସୋୟୁଜ୍-୧୧ ମିଶନ୍ ସମୟରେ ୩ ଜଣ ମହାକାଶଚାରୀ ଓ ୧୯୬୭ରେ ଆପୋଲୋ ୧ ଲଞ୍ଚ ପ୍ୟାଡ୍ରେ ଅଗ୍ନିକାଣ୍ଡ ଘଟି ୩ ଜଣ ମହାକାଶଚାରୀ ପ୍ରାଣ ହରାଇଥିଲେ।

ଏଥିରୁ ଜଣା ପଡ଼ୁଛି ମହାକାଶଯାତ୍ରା କେତେ ବିପଦପୂର୍ଣ୍ଣ। ଏହା ସତ୍ତ୍ବେ ୨୦୨୫ ମସିହା ସୁଦ୍ଧା ଚନ୍ଦ୍ରକୁ ଏବଂ ଆଗାମୀ ଦଶନ୍ଧିରେ ମଙ୍ଗଳକୁ ମଣିଷ ପଠାଇବାକୁ ଯୋଜନା କରିଛି ନାସା। ଭାରତ ମଧ୍ୟ ଏହି ଦୌଡ଼ରେ ସାମିଲ ହେବାକୁ ଯାଉଛି। ଭାରତ ତାର ‘ଗଗନାୟନ’ ମିଶନ ଆରମ୍ଭ କରିଛି। ଅନେକ ଦେଶ ଏବେ ବାଣିଜ୍ୟିକ ସ୍ପେସ୍ ଫ୍ଲାଇଟ୍ ବା ମହାକାଶ ପର୍ଯ୍ୟଟନ ଆରମ୍ଭ କରିବାକୁ ଯାଉଛନ୍ତି। ଆଗାମୀ ଦିନରେ ମହାକାଶ ଭ୍ରମଣ ସାଧାରଣ ଘଟଣା ହେବାକୁ ଯାଉଛି। ତେଣୁ ସେହି ଅନୁସାରେ ବିପଦ ମଧ୍ୟ ଅଧିକ ରହିବ।

ତେବେ ମହାକାଶରେ ମୃତ୍ୟୁ ହେଲେ କ’ଣ ହୁଏ?

ପ୍ରଶ୍ନ ଉଠେ, ଯଦି ମହାକାଶରେ କାହାର ମୃତ୍ୟୁ ହୁଏ, ତାଙ୍କର ମରଶରୀର କ’ଣ ହୁଏ? ଯଦି ଚନ୍ଦ୍ର କିମ୍ବା ମଙ୍ଗଳଗ୍ରହରେ କୌଣସି ମହାକାଶଚାରୀଙ୍କ ମୃତ୍ୟୁ ହୋଇଯାଏ, ସେମାନଙ୍କ ମରଶରୀର ସହିତ କ’ଣ କରାଯାଏ? ଏନେଇ କ’ଣ ରହିଛି ନାସାର ପ୍ରୋଟକଲ୍। ଏସବୁ କିଛି ଆମେ ଆପଣଙ୍କୁ ଜଣାଇବୁ ।

ନାସାର ଜଣେ ସ୍ପେସ୍ ଡାକ୍ତର କହିଛନ୍ତି, ମହାକାଶଚାରୀମାନେ କିଭଳି ସୁସ୍ଥ ରହିବେ ଓ ସୁରକ୍ଷିତ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ ସେନେଇ ତାଙ୍କ ଟିମ୍ ଦିନରାତି କାମ କରୁଛନ୍ତି । କିନ୍ତୁ ଯଦି ପୃଥିବୀ କକ୍ଷ ପଥ (ଲୋ-ଆର୍ଥ-ଅରବିଟ୍ ମିଶନ)ରେ କାହାର ମୃତ୍ୟୁ ହୁଏ, ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ କାର୍ଯ୍ୟ କରୁଥିବା କ୍ରୁ ସଦସ୍ୟମାନେ କିଛି ଘଣ୍ଟା ମଧ୍ୟରେ ମୃତବ୍ୟକ୍ତିଙ୍କ ଶରୀରକୁ ଏକ ସ୍ବତନ୍ତ୍ର କ୍ୟାପସୁଲରେ ପୃଥିବୀକୁ ପଠାଇ ଦେବେ। ଯଦି ଚନ୍ଦ୍ରପୃଷ୍ଠରେ କେହି ମହାକାଶଚାରୀ ପ୍ରାଣ ହରାନ୍ତି, ଅନ୍ୟ ମହାକାଶଚାରୀମାନେ ମୃତଦେହକୁ ସାଙ୍ଗରେ ଧରି କମ୍ ଦିନରେ ପୃଥିବୀକୁ ଫେରିଆସିବେ। ଏଥିପାଇଁ ପୂର୍ବରୁ ବିସ୍ତୃତ ପ୍ରୋଟକଲ୍ ସ୍ଥିର କରିଛି ନାସା। ଶୀଘ୍ର ପ୍ରତ୍ୟାବର୍ତ୍ତନ ସମୟରେ ମୃତଦେହ ସଂରକ୍ଷଣ ଅପେକ୍ଷା, ଜୀବିତ ମହାକାଶଚାରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଅଧିକ ପ୍ରାଥମିକତା ଦେଇଥାଏ ନାସା।

ମଙ୍ଗଳ ଗ୍ରହରେ ମୃତ୍ୟୁ ହେଲେ କ’ଣ ହୁଏ?

ମଙ୍ଗଳ ଗ୍ରହକୁ ଯିବାକୁ ହେଲେ ୩୦୦ ନିୟୁତ ମାଇଲ୍ ଯାତ୍ରା କରିବାକୁ ପଡ଼ିବ। ଦୀର୍ଘ ପଥ ଯାତ୍ରାରେ ଯଦି ଜଣେ ମହାକାଶଚାରୀଙ୍କ ମୃତ୍ୟୁ ହୋଇଯାଏ, ସେକ୍ଷେତ୍ରରେ ନିୟମ ଟିକେ ଅଲଗା ରହିଛି। କ୍ରୁ ସଦସ୍ୟମାନେ ମୃତଦେହକୁ ଧରି ବୁଲି ବୁଲି ପୃଥିବୀକୁ ଫେରିବାକୁ ସମର୍ଥ ହେବେ ନାହିଁ। ଏହା ପରିବର୍ତ୍ତେ, ମିଶନ ଶେଷରେ କ୍ରୁ ସଦସ୍ୟଙ୍କ ସହିତ ମରଶରୀର ପୃଥିବୀକୁ ଫେରିବ। ଯାହାକି କିଛି ବର୍ଷ ମଧ୍ୟ ଲାଗି ଯାଇପାରେ। କ୍ରୁ ସଦସ୍ୟମାନେ ମରଶରୀରକୁ ଏକ ଅଲଗା ଚ୍ୟାମ୍ବର କିମ୍ବା ସ୍ବତନ୍ତ୍ର ବ୍ୟାଗ୍ରେ ସଂରକ୍ଷିତ କରି ରଖିବେ। ମହାକାଶ ଯାନ ଭିତରେ ନିୟନ୍ତ୍ରିତ ତାପମାତ୍ରା ଓ ଆର୍ଦ୍ରତାରେ ଶବ ଅନେକ ଦିନ ଯାଏ ସଂରକ୍ଷିତ ରହିପାରିବ।

ଯଦି କେହି ମହାକାଶଚାରୀ ବିନା ସ୍ପେସସୁଟ୍ରେ ମହାକାଶରେ ପାଦ ଦେଲେ ତାହେଲେ କଣ ହେବ ?

ଏହି ପ୍ରଶ୍ନରେ ନାଶା ଉତ୍ତରରେ କହିଛି ଯେ ବିନା ସ୍ପେସସୁଟରେ ମହାକାଶରେ ପାଦ ଦେଲେ ମହାକାଶଚାରୀଙ୍କର ତତ୍କ୍ଷଣାତ ମୃତ୍ୟୁ ହେବ। ଶୂନ୍ୟ ଚାପ ଓ ସେହି ସ୍ଥାନରେ ବାୟୁ ନଥିବାରୁ ନିଶ୍ବାସ ନେବା ସମ୍ଭବ ହୋଇନଥାଏ। ରକ୍ତ ଓ ଶରୀରରେ ଥିବା ଅନ୍ୟ ତରଳ ପଦାର୍ଥ ଗରମ ହୋଇ ଫୁଟିବାକୁ ଲାଗିବ। ଏବଂ କିଛି କ୍ଷଣ ମଧ୍ୟରେ ଜୀବନ ଚାଲିଯିବ।

ବିନା ସ୍ପେସସୁଟ୍ରେ ଚନ୍ଦ୍ର କିମ୍ବା ମଙ୍ଗଳରେ ପାଦ ଦେଲେ କ’ଣ ହେବ?

ଚନ୍ଦ୍ରରେ କୌଣସି ବାୟୁମଣ୍ଡଳ ନାହିଁ କହିଲେ ଚଳେ। ମଙ୍ଗଳ ଗ୍ରହରେ ବି ବହୁତ ପତଳା ବାତାବରଣ ଅଛି। ଅମ୍ଲଜାନ ବିଲକୁଲ ନାହିଁ। ତେଣୁ ଏହାର ଫଳାଫଳ ସ୍ପେସ ଏକ୍ସପୋଜର ସହିତ ପ୍ରାୟ ସମାନ। ଶ୍ବାସକ୍ରିୟା ବନ୍ଦ ହୋଇଯିବା ସହିତ ରକ୍ତ ଗରମ ହୋଇ ଫୁଟିବାକୁ ଲାଗିବ। ତେଣୁ ଏଠି ମଧ୍ୟ ମୃତ୍ୟୁ ନିଶ୍ଚିତ।

ମଙ୍ଗଳ ପୃଷ୍ଠରେ ଶବ ସଂସ୍କାର କରାଯାଇ ପାରିବ କି ?

ଧରାଯାଉ ମଙ୍ଗଳ ଗ୍ରହରେ ଅବତରଣ କରିବା ପରେ ଜଣେ ମହାକାଶଚାରୀଙ୍କର ମୃତ୍ୟୁ ହୋଇଗଲା। ସେଠାରେ କ’ଣ ତାଙ୍କର ଶବ ସତ୍କାର କରାଯାଇ ପାରିବ କି? ମଙ୍ଗଳ ପୃଷ୍ଠ ଶବଦାହ ପାଇଁ ଉପଯୁକ୍ତ ହେବ କି? ମହାକାଶ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ମଙ୍ଗଳଗ୍ରହ ଶବଦାହ ପାଇଁ ଯୋଗ୍ୟ ନୁହେଁ। କାରଣ ଏଥିପାଇଁ ଅତ୍ୟଧିକ ଶକ୍ତି ଆବଶ୍ୟକ। ଯାହା ବଞ୍ଚିଥିବା ଅନ୍ୟ କ୍ରୁ ସଦସ୍ୟଙ୍କ ପକ୍ଷେ ସମ୍ଭବ ନୁହେଁ।

ସମାଧି ଦେବା ମଧ୍ୟ ଭଲ ବିଚାର ନୁହେଁ। କାରଣ ମଣିଷ ଶରୀରରେ ଥିବା ଜୀବାଣୁ ଓ ଅନ୍ୟାନ୍ୟ ପଦାର୍ଥ ମଙ୍ଗଳ ପୃଷ୍ଠକୁ ଦୂଷିତ କରିବାର ଆଶଙ୍କା ରହିଛି। ଏପରି କରିବା ପରିବର୍ତ୍ତେ, କ୍ରୁ ସଦସ୍ୟ ମାନେ ମରଶରୀରକୁ ଏକ ସ୍ବତନ୍ତ୍ର ବ୍ୟାଗରେ ସଂରକ୍ଷିତ କରି ରଖିଥାନ୍ତି ଯେପର୍ଯ୍ୟନ୍ତ ଏହା ପୃଥିବୀକୁ ଫେରି ନଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.