ପିମ୍ପୁଡ଼ି ଖାଇଲେ ବଢେ ଆୟୁଷ ! ପିମ୍ପୁଡ଼ି ଖାଦ୍ୟରେ ଏମିତି କଣ ଅଛି ଯେ କିଛି ଲୋକ ତା ଉପରେ ବିଶ୍ୱାସ କରନ୍ତି

କିଛି ଲୋକଙ୍କ ମତରେ କୁଆଡ଼େ ପିମ୍ପୁଡ଼ି ଖାଇଲେ ଆୟୁଷ ବଢେ । ଦୁନିଆର ଅନେକ ସ୍ଥାନରେ ଖିଆ ଯାଉଛି ପିମ୍ପୁଡ଼ି ଓ ଜନ୍ଦାରେ ତିଆରି ଖାଦ୍ୟ । ଆଜି ଆସନ୍ତୁ ଜାଣିବା ଏହି ପିମ୍ପୁଡ଼ି ଖାଦ୍ୟକୁ ନେଇ କିଛି ରହସ୍ୟର କଥା।

ଆୟୁଷ ବଢାଇବା ପାଇଁ ଅନେକ ଲୋକ ବହୁତ କିଛି କରିଥାନ୍ତି । ସେ ଔଷଧ ଜରିଆରେ ହେଉ କି ତନ୍ତ୍ରମନ୍ତ୍ର ଦ୍ୱାରା । ତେବେ ଆପଣ ଏ ବିଷୟରେ କେବେ ଭାବିଛନ୍ତି କି ? ଯଦି ବି ଭାବିଥିବେ ତେବେ ଡକ୍ତର ସେଥିପାଇଁ ଆପଣଙ୍କୁ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦେବାକୁ ତ ନିଶ୍ଚିତ କହିଥିବେ । କାରଣ ଆମେ ଯେପରି ଖାଦ୍ୟ ଖାଇଥାଉ ତାର ପ୍ରଭାବ ଆମ ଶରୀର ଉପରେ ହିଁ ପଡିଥାଏ । ସେଥିପାଇଁ ଡକ୍ତର କହିଥାନ୍ତି ପୁଷ୍ଟିକର ଖାଦ୍ୟ ଖାଇବାକୁ । କିନ୍ତୁ ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ନିଜର ଆୟୁଷ ବଢାଇବା ପାଇଁ ଲୋକ ଖାଉଛନ୍ତି ପିମ୍ପୁଡି ଆଉ ନାଲି ଜନ୍ଦାରେ ତିଆରି ଖାଦ୍ୟ । ତାଙ୍କର ବିଶ୍ୱାସ ରହିଛି ଯଦି ସେମାନେ ସବୁ ଦିନ ପିମ୍ପୁଡି ଖାଇବେ ତେବେ ତାଙ୍କୁ କୌଣସି ରୋଗ ହେବନି । ଏମିତିକି ସେମାନେ କରୋନା ଭଳି ମହାମାରୀ ଠାରୁ ବଂଚିବା ପାଇଁ ମଧ୍ୟ ଖାଇଥାନ୍ତି ପିମ୍ପୁଡି ଚଟଣି ।

ଦୁନିଆର ଅନେକ ସ୍ଥାନରେ ପିମ୍ପୁଡ଼ିକୁ ଖାଦ୍ୟ ଭାବରେ ଖିଆଯାଏ । ଏମିତିକି ନିକଟରେ ଛତିଶଗଡର ବସ୍ତର ଜିଲ୍ଲାର ଜଣେ ୨୩ ବର୍ଷୀୟ ଯୁବକ ରାତାରାତି ଲୋକଲୋଚନକୁ ଆସିଗଲେ ଏହି ପିମ୍ପୁଡି ପାଇଁ । କାରଣ ତାଙ୍କ ଢାବାରେ ସେ ପିମ୍ପୁଡ଼ି ଚଟଣି କରି ବିକ୍ରି କରୁଛନ୍ତି । ଛତିଶଗଡରେ ପିମ୍ପୁଡ଼ି ଖାଇବା ନୂଆ କଥା ନୁହେଁ । କାହିଁ କେଉଁ କାଳରୁ ଏଠାରେ ପିମ୍ପୁଡ଼ିର ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ, ଯାହାକୁ ଭାରି ଖୁସିରେ ଖାଆନ୍ତି ଏଠିକାର ଲୋକ । ଅନେକ ସ୍ଥାନରେ ପିମ୍ପୁଡ଼ି ବିଭିନ୍ନ ଉପାୟରେ ଖିଆଯାଏ ।

କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ମଧ୍ୟ କୁହାଯାଏ । ଏମିତିକି ଗତ ବର୍ଷ କୋଭିଡ-୧ ୯ ର ଦ୍ୱିତୀୟ ଲହରୀ ସମୟରେ ନାଲି ପିମ୍ପୁଡ଼ି ଚଟଣି ଉପରେ ବହୁତ ଆଲୋଚନା କରାଯାଇଥିଲା ।କାରଣ ସୋସିଆଲ ମିଡିଆରେ ଏହା ବହୁତ ସେୟାର ମଧ୍ୟ କରାଯାଇଥିଲା । ଆମ ରାଜ୍ୟର ମୟୁରଭଞ୍ଜ ଜିଲ୍ଲାରେ ଏହି ପିମ୍ପୁଡ଼ି ଖାଦ୍ୟ ଖିଆଯାଏ । ଯାହା ଶରୀରରୁ ଥଣ୍ଡାର ପ୍ରଭାବ କାଟେ ବୋଲି ଲୋକେ କୁହନ୍ତି । କୁହାଯାଇଥିଲା ଯେ କରୋନାର ଚିକିତ୍ସାରେ ଏହି ଚଟଣୀ ଖୁବ ପ୍ରଭାବଶାଳୀ । ସେଥିଲାଗି ଗୋଟିଏ ଗୋଷ୍ଠୀ ତରଫରୁ ଏହାକୁ ଔଷଧ ରୂପେ ବ୍ୟବହାର କରିବା ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ଆବେଦନ କରାଯାଇଥିଲା । ପରେ ଅବଶ୍ୟ ଏହାକୁ କେନ୍ଦ୍ର ସଂସ୍ଥା ଗ୍ରହଣ କରିବାକୁ ମନା କରି ଦେଇଥିଲେ । ତେବେ ପରମ୍ପରା ଓ ଅତୀତର ବିଶ୍ୱାସ ଅନୁସାରେ ଛତିଶଗଡର ଆଦିବାସୀ ଅଞ୍ଚଳରେ ପିମ୍ପୁଡ଼ିକୁ ଚଟଣୀ ଭାବରେ ବ୍ୟବହାର କରାଯାଏ ।

କେବଳ ଛତିଶଗଡ କି ଓଡ଼ିଶା ନୁହେଁ,ଏହି ନାଲି ପିମ୍ପୁଡିକୁ ଅନେକ ସ୍ଥାନରେ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଦକ୍ଷିଣ ଆମେରିକାର କଲମ୍ବିଆରେ ଲୋକମାନେ ପିମ୍ପୁଡ଼ି ଶିକାର କରନ୍ତି । କଲମ୍ବିଆର ଉତ୍ତର କେନ୍ଦ୍ରୀୟ ସାଣ୍ଟାଣ୍ଡର ଅଞ୍ଚଳରେ ହର୍ମିଗାସ୍ କୁଲୋନସ୍ ପ୍ରଜାତିର ପିମ୍ପୁଡ଼ି ବା ବିଗ୍ ବଟ୍ ଶିକାର କରାଯାଏ। ଯେତେବେଳେ ଏହି ପ୍ରଜାତିର ପିମ୍ପୁଡ଼ିଙ୍କର ପିଲା ଜନ୍ମ କରିବା ସମୟ ଆସେ ସେତେବେଳେ କେବଳ ରାଣୀ ପିମ୍ପୁଡ଼ି ଧରାଯାଏ। ପରେ ଏହି ରାଣୀ ପିମ୍ପୁଡ଼ିରୁ ବିଭିନ୍ନ ପ୍ରକରର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରାଯାଏ।

ଏମିତିକି କଲମ୍ବିଆରେ ମାର୍ଚ୍ଚ-ଏପ୍ରିଲରେ ପ୍ରବଳ ବର୍ଷା ପରେ, ଅନେକ ପିମ୍ପୁଡ଼ି ଅଣ୍ଡା ଦେବା ବେଳେ ଲୋକମାନେ ରାଣୀ ପିମ୍ପୁଡ଼ିକୁ ଧରିବା ପାଇଁ ଅଧିକରୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି। ପରେ ଏହାକୁ ଲୁଣରେ ମିଶାଇ ଭଜା କରି ଖାଆନ୍ତି । ଏହାର ସ୍ୱାଦ ଭଜା ବାଦାମ ଓ ପପକର୍ଣ୍ଣ ପରି ଲାଗିଥାଏ। ଏଠାରେ ପିମ୍ପୁଡ଼ି ଚଟଣୀର ମୂଲ୍ୟ କଲମ୍ବିଆର କଫିଠାରୁ ମଧ୍ୟ ଅଧିକ ହୋଇଥାଏ ଏବଂ ସ୍ଥାନୀୟ ଲୋକ ପିମ୍ପୁଡିରେ ଅନେକ ପ୍ରକାରର ଖାଦ୍ୟ ତିଆରି କରି ଏହାକୁ ବିକି ଭଲ ଅର୍ଥ ରୋଜଗାର କରନ୍ତି।

କେବଳ କଲମ୍ବିଆରେ ନୁହେଁ ଏହା ଛଡା ମେକ୍ସିକୋ,ଆଫ୍ରିକା, ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ,ଦକ୍ଷିଣ ପୂର୍ବ ଏସିଆ ବିଶେଷକରି ଲାଓସ୍ ଏବଂ ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ପିମ୍ପୁଡ଼ିର ଅଣ୍ଡା ଖିଆଯାଏ । ମେକ୍ସିକୋରେ ଖସକାରୀ ଉଡା ପିମ୍ପୁଡ଼ିକୁ ଭଜା କରି ଖିଆଯାଏ । ଅନେକ ଲୋକ ଏହି ପିମ୍ପୁଡ଼ିକୁ ପିଜା କିମ୍ବା ଟପ୍ପିଙ୍ଗ୍ ପାଇଁ ସସ ଭାବରେ ବ୍ୟବହାର କରନ୍ତି । ପୁଣି ଏହାକୁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଭାବରେ ମଧ୍ୟ ଲୋକ ଖାଇଥାନ୍ତି ।

ଏହା ବର୍ତ୍ତମାନ ବ୍ରାଜିଲର ପାରମ୍ପରିକ ଖାଦ୍ୟ ଭାବରେ ଖିଆ ଯାଉଛି। ପୂର୍ବ ଏସିଆ ଏବଂ ଦକ୍ଷିଣ ଆମେରିକାର ଏହା ପ୍ରମୁଖ ଖାଦ୍ୟ ସେଥିପାଇଁ ଅନେକ ସ୍ଥାନରେ ପିମ୍ପୁଡ଼ି ଖାଉଥିବା ଲୋକମାନେ ମଧ୍ୟ ଦୀର୍ଘ ଜୀବନ ବଞ୍ଚିଥାନ୍ତି ବୋଲି କୁହାଯାଏ । କିଛି ରିସର୍ଚ୍ଚରୁ ଜଣା ପଡିଛି ଯେ କେତେକ ପ୍ରଜାତିର ପିମ୍ପୁଡ଼ି କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ ଏବଂ କର୍କଟ ଭଳି ରୋଗରୁ ମଧ୍ୟ ରକ୍ଷା କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.