ପ୍ରଚାରପ୍ରସାର ନ କରି ଚୁପ୍‌ଚାପ ଭୋକିଲାଙ୍କ ଅନ୍ନଦାତା ସାଜିଛନ୍ତି ଏହି ସର୍ଦ୍ଦାର ଜୀ, ଲୋକେ କହିଲେ- ‘ପ୍ରକୃତ ହିରୋ’

ବର୍ତ୍ତମାନ କରୋନାର କଠିନ ସମୟ ଚାଲିଛି। ଲୋକମାନେ ରୋଗ ସହ ରୋଜଗାର ଚାଲିଯିବା ଭୟରେ ମରି ମରି ବଞ୍ଚୁଛନ୍ତି। କିଛି ଲୋକ ତ ଲକ୍‌ଡାଉନ୍‌ ଯୋଗୁ ଦିନକୁ ଦୁଇ ମୁଠା ଖାଇବାକୁ ବି ପାଉନାହାନ୍ତି। ସେଭଳି ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜଣେ ବ୍ୟକ୍ତି, ଯିଏ ବିନା ପ୍ରଚାର ପ୍ରସାରରେ ଭୋକିଲା ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ନା’ ତାଙ୍କର ଅଛି ବାଃ ବାଃ ପାଇବା ଲୋଭ ନା ଫଟୋ ଉଠାଇବା ଲାଳସା। ଭୋକିଲାର ପେଟ ପୂରିଯାଉ, ଏତିକି ହିଁ ତାଙ୍କ ଲକ୍ଷ୍ୟ।

ଅନ୍ନ ସେବା ଯୋଗାଉଥିବା ଏହି ସର୍ଦ୍ଦାରଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସେ ନିଜ ଆଡ଼ୁ ନିଜ ପ୍ରଚାର କରିନାହାନ୍ତି। ତଥାପି ଲୋକମାନେ ତାଙ୍କ ଉଚ୍ଚ ଚିନ୍ତାଧାରାକୁ ଚିହ୍ନି ପାରିଛନ୍ତି। ଲୋକମାନେ ତାଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ତାଙ୍କୁ ହିରୋ ବନାଇ ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ଚୁପ୍‌ଚାପ ସ୍କୁଟର ନେଇ ଘରୁ ବାହାରି ଆସନ୍ତି ଓ ଭୋକିଲା ଲୋକଙ୍କୁ ଖୁଆଇ ଦେଇ ଘରକୁ ଫେରିଯାଆନ୍ତି।

ଟ୍ଵିଟର ୟୁଜର ଡାକ୍ତର ସଞ୍ଜୟ ଆରୋରା ନିଜ ଆକାଉଣ୍ଟରେ ଏହି ଦେବଦୂତଙ୍କ ଫଟୋ ସେୟାର କରିବା ପରେ ଏବେ ଲୋକମାନେ ତାଙ୍କୁ ସାଲ୍ୟୁଟ୍‌ କରୁଥିବା ଦେଖାଯାଇଛି। ଫଟୋ ସେୟାର କରି ସେ ଲେଖିଛନ୍ତି, ସେ ଥରେ ଚାଲିବାକୁ ଯିବା ବେଳେ ସର୍ଦ୍ଦାର ଜୀ ଚୁପ୍‌ଚାପ ଅସହାୟଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ପାଇଥିଲେ। ଥରେ ତାଙ୍କୁୁ ମୁଁ ଫଟୋ ଉଠାଇବାକୁ କହିଲି। ପ୍ରଥମେ ସେ ସଙ୍କୋଚ କଲେ। କିନ୍ତୁ ପରେ ରାଜି ହୋଇଥିଲେ। ସର୍ଦ୍ଦାରଙ୍କ ଫଟୋ ସେୟାର ହେବା ପରେ ଲୋକମାନେ ତାକୁ ଦେବଦୂତ ବୋଲି ସମ୍ବୋଧିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.