ପ୍ରଭୁ ବଜରଙ୍ଗବଲୀ ବିବାହିତ, ତେଲେଙ୍ଗାନାରେ ଥିବା ଏହି ମନ୍ଦିର ହେଉଛି ଏହାର ମୁକସାକ୍ଷୀ
ଭଗବାନ ବଜରଙ୍ଗବଲୀ ବ୍ରହ୍ମଚାରୀ ବୋଲି ଆମେ ଜାଣିଛେ । କିନ୍ତୁ ଭାରତର ତେଲେଙ୍ଗାନାରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ବଜରଙ୍ଗବଲି ବିବାହିତ ଭାବେ ନିଜ ସାଥିଙ୍କ ସହ ପୂଜା ପାଉଛନ୍ତି। ଏହି ମନ୍ଦିର ହୁନମାନ ବିବାହିତ ହେବାର ପ୍ରମାଣ ଦିଏ। ତେଲେଙ୍ଗାନାରେ ପ୍ରଚଳିତ ମାନ୍ୟତା ଅନୁଯାୟୀ ହନୁମାନଙ୍କ ପତ୍ନୀଙ୍କ ନାମ ସୁଓ୍ଵର୍ଚଲା। ସୁଓ୍ଵର୍ଚଲା ସୁର୍ଯ୍ୟଦେବଙ୍କ ପୁତ୍ରୀ। ତେଲେଙ୍ଗାନାରେ ହନୁମାନ ଏବଂ ସୁଓ୍ଵର୍ଚଲାଙ୍କର ଏକ ପ୍ରାଚୀନ ମନ୍ଦିର ରହିଛି। ଏହାବ୍ୟତୀତ ପରାଶର ସଂହିତାରେ ମଧ୍ୟ ଭଗବାନ ବଜରଙ୍ଗବଲୀ ଏବଂ ସୁଓ୍ଵର୍ଚଲାଙ୍କ ବିବାହ କଥା ବର୍ଣ୍ଣନା କରାଯାଇଛି।
ଏହି ପ୍ରାଚୀନ ମନ୍ଦିର ତେଲେଙ୍ଗାନାର ଖମ୍ମମ ଜିଲ୍ଳାରେ ଅବସ୍ଥିତ। ଏଠାରେ ହନୁମାନ ଏବଂ ତାଙ୍କ ପତ୍ନୀ ସୁଓ୍ଵର୍ଚଲାଙ୍କର ପ୍ରତିମା ବିରାଜମାନ ରହିଛି। ମାନ୍ୟତା ରହିଛି ଏଠାରେ ହନୁମାନ ଏବଂ ତାଙ୍କ ପତ୍ନୀ ସୁଓ୍ଵର୍ଚଲାଙ୍କୁ ଏକାଠି ଦର୍ଶନ କରିବା ଦ୍ୱାରା ଭକ୍ତର ବୈବାହିକ ଜୀବନର ସମସ୍ତ ସମସ୍ୟା ଦୂର ହେବା ସହ ପତୀ-ପତ୍ନୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ।
ପୌରାଣିକ କଥା:
ତେଲେଙ୍ଗାନାର ଖମ୍ମମ ଜିଲ୍ଲାରେ ପ୍ରଚଳିତ ମାନ୍ୟତା ଅନୁଯାୟୀ ପରାଶର ସଂହିତା ଉଲ୍ଲେଖ କରାଯାଇଛି। ପରାଶର ସଂହିତାରେ ଉଲ୍ଲେଖ ରହିଛି ଭଗବାନ ବଜରଙ୍ଗବଲୀ ଅବିବାହିତ ନୁହଁନ୍ତି ବିବାହିତ। ସୂର୍ଯ୍ୟଦେବଙ୍କ ପୁତ୍ରୀଙ୍କ ସହ ତାଙ୍କର ବିବାହ ହୋଇଛି। ସଂହିତା ଅନୁଯାୟୀ ହନୁମାନ ସୂର୍ଯ୍ୟଦେବଙ୍କୁ ନିଜର ଗୁରୁ କରିଥିଲେ। ସୂର୍ଯ୍ୟଦେବଙ୍କ ନିକଟରେ ୯ଟି ଦିବ୍ୟ ଜ୍ଞାନ ରହିଥିଲା। ଏହି ସମସ୍ତ ଦିବ୍ୟ ଜ୍ଞାନକୁ ବଜରଙ୍ଗବଲୀ ପ୍ରାପ୍ତ କରିବାକୁ ଚାହୁଁଥିଲେ।
ସୂର୍ଯ୍ୟଦେବ ଏହି ୯ଟି ଦିବ୍ୟ ଜ୍ଞାନ ମଧ୍ୟରୁ ୫ଟି ବିଦ୍ୟାର ଜ୍ଞାନ ତ ହନୁମାନଙ୍କୁ ଦେଇସାରିଥିଲେ, କିନ୍ତୁ ଶେଷ ୪ଟି ବିଦ୍ୟାପାଇଁ ସୂର୍ଯ୍ୟଙ୍କ ସମ୍ମୁଖରେ ଏକ ସମସ୍ୟା ସୃଷ୍ଟି ହୋଇଥିଲା। କାରଣ ଶେଷ ୪ଟି ବିଦ୍ୟାର ଜ୍ଞାନ କେବଳ ସେହି ଶିଷ୍ୟମାନଙ୍କୁ ଦିଆଯାଇପାରୁଥିଲା ଯେଉଁମାନେ ବିବାହିତ ଥିଲେ। ଭଗବାନ ବଜରଙ୍ଗବଲୀ ବ୍ରହ୍ମଚାରୀ ଥିବାରୁ ସୂର୍ଯ୍ୟଦେବ ତାଙ୍କୁ ଶେଷ ୪ଟି ବିଦ୍ୟାର ଜ୍ଞାନ ଦେବା ପାଇଁ ଅସମର୍ଥ ହୋଇଥିଲେ। ଏହି ସମସ୍ୟାର ନିରାକରଣ ପାଇଁ ସୂର୍ଯ୍ୟଦେବ ହନୁମାନଙ୍କୁ ବିବାହ କରିବା କଥା କହିଥିଲେ। ପ୍ରଥମେତ ହନୁମାନ ବିବାହ କରିବା ପାଇଁ ରାଜି ହୋଇନଥିଲେ, କିନ୍ତୁ ଶେଷ ୪ଟି ବିଦ୍ୟାର ଜ୍ଞାନ ହାସଲ କରିବାକୁ ଥିଲା ଯେଉଁ କାରଣରୁ ସେ ବିବାହ କରିବା ପାଇଁ ହଁ କରିଥିଲେ।
ଭଗବାନ ବଜରଙ୍ଗବଲୀ ଯେତେବେଳେ ବିବାହ କରିବା ପାଇଁ ରାଜି ହୋଇଥିଲେ ସେହି ସମୟରେ ତାଙ୍କ ଯୋଗ୍ୟ ବିବେଚିତ କନ୍ୟା ଖୋଜାଯାଇଥିଲା ଏବଂ ଶେଷରେ ସୂର୍ଯ୍ୟଦେବଙ୍କ ପୁତ୍ରୀ ସୁଓ୍ଵର୍ଚଲାଙ୍କ ନିକଟରେ କନ୍ୟା ପାତ୍ର ଖୋଜିବାର କାର୍ଯ୍ୟ ଶେଷ ହୋଇଥିଲା। ସୂର୍ଯ୍ୟଦେବ ହନୁମାନଙ୍କୁ କହିଥିଲେ ସୁଓ୍ଵର୍ଚଲା ପରମ ତପସ୍ୱୀ ଏବଂ ତେଜସ୍ୱୀ। ତାଙ୍କର ତେଜ କେବଳ ଆପଣ ହିଁ ସହନ କରିପାରିବେ। ଶେଷରେ ସୂର୍ଯ୍ୟଦେବ ଏହା ମଧ୍ୟ କହିଥିଲେ ଆପଣ ବିବାହ କରିବା ପରେ ମଧ୍ୟ ବ୍ରହ୍ମଚାରୀ ହୋଇ ରହିବେ କାରଣ ବିବାହ ପରେ ପୁଣି ଥରେ ସୁଓ୍ଵର୍ଚଲା ତପସ୍ୟାରେ ଲୀନ ହୋଇଯିବେ।
ଏହି ସମସ୍ତ କଥା ଜାଣିବା ପରେ ସୂର୍ଯ୍ୟଦେବ ସୁଓ୍ଵର୍ଚଲାଙ୍କ ସହ ହନୁମାନଙ୍କ ବିବାହ କରାଇଥିଲେ। ବିବାହ ପରେ ପୁଣି ଥରେ ସୁଓ୍ଵର୍ଚଲା ତପସ୍ୟାରେ ଲୀନ ହୋଇଗଲେ ଏବଂ ଭଗବାନ ବଜରଙ୍ଗବଲୀ ଗୁରୁ ସୂର୍ଯ୍ୟଦେବଙ୍କ ନିକଟରୁ ଶେଷ ୪ଟି ବିଦ୍ୟାର ଜ୍ଞାନ ପ୍ରାପ୍ତ କରିପାରିଥିଲେ। ଏହି ପ୍ରକାର ବିବାହ ପରେ ମଧ୍ୟ ଭଗବାନ ବଜରଙ୍ଗବଲୀ ବ୍ରହ୍ମଚାରୀ ହୋଇ ରହିଛନ୍ତି।