ଏ କେମିତିକା ଘର, ଯେଉଁଠି ବିଗତ ୫୦୦ ବର୍ଷ ହେବ ବଢ଼ିନି ଭଡ଼ା, ବର୍ଷକୁ ଦେବାକୁ ପଡ଼ିଥାଏ ମାତ୍ର ୭୦ ଟଙ୍କା
ଆଜିର ମହଙ୍ଗା ଯୁଗରେ ଘର ଖଣ୍ଡେ ତିଆରି କରିବା କିମ୍ବା ଭଡ଼ା ଘରେ ରହିବା କୌଣସି ଯୁଦ୍ଧ ଜିତିବାଠାରୁ କମ୍ ନୁହେଁ। କାରଣ, ଘର ତିଆରି ପରେ ଯେଉଁ ଲୋନ୍ ସୁଝିବାକୁ ପଡ଼େ ଏବଂ ମାସକୁ ମାସ ଯେଉଁଭଳି ଚଢ଼ା ଦରରେ ଘର ଭଡ଼ା ଦେବାକୁ ପଡ଼େ, ତାହା ଆଜିକାଲି ଅତ୍ୟନ୍ତ କାଠିକାର ପାଠ ହୋଇଗଲାଣି। ଏଭଳି ସ୍ଥିତିରେ ଆମେ ଯଦି ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ କହିବୁ, ଯେଉଁଠି ବିଗତ ୫୦୦ ବର୍ଷ ହେବ ଘର ଭଡ଼ା ବଢ଼ିନାହିଁ, ତା’ହେଲେ ଏହା ଶୁଣି ଆପଣ ହସିପାରନ୍ତି। କିନ୍ତୁ ଆମେ କହିରଖୁଛୁ, କଥାଟି ଏକଦମ୍ ସତ। ଦୁନିଆରେ ଏମିତି ହିଁ ଏକ ଜାଗା ଜର୍ମାନୀରେ ରହିଛି।
ଜର୍ମାନୀରେ ଥିବା ଏହି ହାଉସିଂ କମ୍ପ୍ଲେକ୍ସର ନାଁ ହେଉଛି ‘ଫୁଗେରେଇ’। ଏହାକୁ ଜଣେ ବ୍ୟବସାୟୀ ଜ୍ୟାକବ ଫଗର ୧୫୧୪ ମସିହାରେ ତିଆରି କରିଥିଲେ। ଏଠାରେ ବିଗତ ୫୦୦ ବର୍ଷ ହେବ ଘର ଭଡ଼ା ବଢ଼ିନାହିଁ। ଏହି କମ୍ପ୍ଲେକ୍ସର ବାର୍ଷିକ ଭଡ଼ା ୧ ଡଲାର ଅର୍ଥାତ୍ ପାଖାପାଖି ୭୦ ଟଙ୍କା ଅଟେ। ଏହି ସୋସାଇଟିକୁ ସେହି ସମୟରେ ଖାସ୍ କରି ଗରିବ ଲୋକଙ୍କ ପାଇଁ ତିଆରି କରାଯାଇଥିଲା। ୧୪ଶ ଶତାବ୍ଦୀରେ ଏକ ପରିବାର କପଡ଼ା ବ୍ୟବସାୟ କରିବାକୁ ଜର୍ମାନୀ ଆସିଥିଲେ। ସେମାନେ ଆଗସ୍ବର୍ଗର ସବୁଠାରୁ ଧନୀ ପରିବାର ଥିଲେ। ଏହି ଜାଗାକୁ ଦେଖିବା ପାଇଁ ଅନେକ ଲୋକେ ସେଠାକୁ ଆସିଥାଆନ୍ତି, ଯାହାଙ୍କଠାରୁ ପ୍ରବେଶ ଶୁଳ୍କ ବାବଦରେ ୩୦୦ ଟଙ୍କା ନିଆଯାଇଥାଏ।
ଏହାସହ ପଢ଼ନ୍ତୁ: ବିଶ୍ୱାସ ନ ହେଲେ ବି ସତ: ଅନ୍ଧାର ରାତିରେ ଦେବୀ ମା’ଙ୍କ ମନ୍ଦିରରୁ ଶୁଭେ ହସିବା ଶବ୍ଦ, କଥା ହୁଅନ୍ତି ମୂର୍ତ୍ତି, କେହି…
ଉକ୍ତ ବ୍ୟବସାୟୀ ପରିବାରର ସ୍ୱପ୍ନ ଥିଲା, ଏଠାରେ ଲୋକଙ୍କୁ ଶସ୍ତାରେ ଘର ମିଳିଯାଉ, ଯେଉଁଥିପାଇଁ ସେମାନେ ଏପରି କାମ କରିଥିଲେ। ସୋସାଇଟିରେ ବିଗତ ୫୦୦ ବର୍ଷ ହେବ କିଛି ନିୟମ କାନୁନ୍ ଚାଲିଛି, ଯାହାକୁ ପାଳନ କରି ଲୋକେ ଏଠାରେ ରହୁଛନ୍ତି। ପ୍ରଥମତଃ ସୋସାଇଟିରେ ରହିବା ପାଇଁ ବ୍ୟକ୍ତିଙ୍କୁ କ୍ୟାଥୋଲିକ୍ ହେବା ଜରୁରୀ। କମ୍ପ୍ଲେକ୍ସରେ ରାତି ୧୦ ପରେ ସମସ୍ତ କବାଟ ବନ୍ଦ ହୋଇଯାଇଥାଏ। ତେବେ ଡେରିରେ ଆସିଲେ, ପାଖାପାଖି ୩୯ ଟଙ୍କା ଫାଇନ୍ ସହିତ ଏଣ୍ଟ୍ରି କରିବାକୁ ପଡ଼ିଥାଏ। କେବଳ ଏତିକି ନୁହେଁ, ଦିନରେ ୩ ଥର ଚର୍ଚ୍ଚ ଯାଇ ପ୍ରାର୍ଥନା କରିବାକୁ ପଡ଼େ। ଏଠାରେ ଚର୍ଚ୍ଚର ମେଣ୍ଟେନାନ୍ସ ପାଇଁ ୧ ଡଲାର ନିଆଯାଇଥାଏ।