ହରଭଜନ ସିଂଙ୍କ ବଡ଼ ଘୋଷଣା! ସବୁଦିନ ପାଇଁ କ୍ରିକେଟକୁ କଲେ ଅଲ୍ବିଦା, ୨୦୧୬ରେ ଖେଳିଥିଲେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍

ଭାରତର କିମ୍ବଦନ୍ତୀ ଅଫ୍ ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ହରଭଜନ ସିଂ ୧୯୯୮ରେ ନିଜର ଡେବ୍ୟୁ କରିଥିଲେ ଏବଂ ବର୍ତ୍ତମାନ ୨୩ ବର୍ଷ ପରେ ସେ କ୍ରିକେଟକୁ ସବୁଦିନ ପାଇଁ ଅଲ୍ବିଦା କହିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ହରଭଜନ ସିଂ ନିଜର କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ, ଆଉ ଆଜି ସେ ୪୧ ବର୍ଷରେ ପହଞ୍ଚିଛନ୍ତି।
ଫ୍ୟାନ୍ସଙ୍କୁ ଦେଲେ ବଡ଼ ଝଟକା
ହରଭଜନ ସିଂ ୧୯୯୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ ସହ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେହି ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ODI ଡେବ୍ୟୁ କରିଥିଲେ। ବର୍ଷ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଟି-୨୦ ଡେବ୍ୟୁ କରିଥିଲେ। ହରଭଜନ ସିଂ ୨୦୧୬ରୁ ହିଁ ଟିମ୍ ଇଣ୍ଡିଆଠୁ ଦୂରେଇ ଚାଲିଥିଲେ। ଖବର ଅନୁସାରେ, ଅବସର ଘୋଷଣା ପରେ ସେ ଆଇପିଏଲ୍ର କୌଣସି ଫ୍ରାଞ୍ଚାଇଜର ସପୋର୍ଟ ଷ୍ଟାଫ୍ କିମ୍ବା କୋଚ୍ ହୋଇ ପାରନ୍ତି। ହରଭଜନ ମେଗା ନିଲାମରେ ମଧ୍ୟ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରନ୍ତି।
୧୬ ବର୍ଷ ଧରି ଭଜି ଦେଖାଇଥିଲେ କମାଲ
ହରଭଜନ ସିଂ ୧୯୯୮ରେ ଡେବ୍ୟୁ କରିଥିଲେ ଏବଂ ବର୍ଷ ୨୦୧୬ରେ ନୀଳ ରଙ୍ଗର ଜର୍ସିରେ ଶେଷ ଥର ପାଇଁ ନଜର ଆସିଥିଲେ। ସେ ପୂରା ୧୬ ବର୍ଷ ଧରି ଦେଶରେ କ୍ରିକେଟ୍ ଖେଳିଥିଲେ ଏବଂ ସେହି ସମୟରେ ବହୁତ ସଫଳ ମଧ୍ୟ ରହିଥିଲେ। ସେ ଭାରତୀୟ ଦଳ ପାଇଁ ୧୦୩ ଟେଷ୍ଟ ମ୍ୟାଚ୍, ୨୩୬ ODI ମ୍ୟାଚ୍ ଏବଂ ୨୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଟେଷ୍ଟ କ୍ରିକେଟରେ ସେ ୪୧୭ ୱିକେଟ୍ ନେଇଥିବା ବେଳେ ODIରେ ତାଙ୍କ ନାମରେ ୨୬୯ ୱିକେଟ୍ ରେକର୍ଡ ରହିଛି। ସେପଟେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସେ ୨୫ ୱିକେଟ୍ ନେବାରେ ସଫଳ ରହିଛନ୍ତି।
୧୯୯୮ରେ ଖେଳିଥିଲେ ପ୍ରଥମ ଟେଷ୍ଟ
ପଞ୍ଜାବରୁ ଆସିଥିବା ହରଭଜନ ସିଂ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୯୯୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ସେ ନିଜର ଶେଷ ଟେଷ୍ଟ ୨୦୧୫ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ସେହିପରି ଭଜି ନିଜର ପ୍ରଥମ ODI ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୯୯୮ରେ ଖେଳିଥିଲେ। ତାଙ୍କର ଶେଷ ODI ମ୍ୟାଚ୍ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଥିଲା।
୪୧୭ ଟେଷ୍ଟ ୱିକେଟ୍ ନେବାରେ ରେକର୍ଡ
ହରଭଜନ ସିଂ ଟିମ୍ ଇଣ୍ଡିଆ ପାଇଁ ୧୦୩ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ନାମରେ ୪୧୭ ୱିକେଟ୍ ରେକର୍ଡ ରହିଛି। ODIରେ ସେ ୨୩୬ ମ୍ୟାଚରେ ୨୬୯ ୱିକେଟ୍ ନେଇଛନ୍ତି। ଟି-୨୦ରେ ଭଜି ଭାରତ ପାଇଁ ୨୮ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ୨୫ ୱିକେଟ୍ ଅକ୍ତିଆର କରିଛନ୍ତି। ୨୦୧୬ରେ ହରଭଜନ ୟୁଏଇ ବିପକ୍ଷ ଏସିଆ କପରେ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ଆଇପିଏଲରେ ହରଭଜନଙ୍କ ନାମରେ ୧୬୩ ମ୍ୟାଚରେ ୧୫୦ ୱିକେଟ୍ ରେକର୍ଡ ରହିଛି। ଆଇପିଏଲରେ ସେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳି ସାରିଛନ୍ତି। ୪୧ ବର୍ଷୀୟ ହରଭଜନ ଏହି ଆଇପିଏଲ ସିଜନରେ କୋଲକାତା ନାଇଟ୍ ରାଇଡର୍ସର ଏକ ଅଂଶ ରହିଥିଲେ। ଯଦିଓ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ମଉକା ମିଳି ନ ଥିଲା। ହରଭଜନ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୬ରେ ଖେଳିଥିଲେ।
All good things come to an end and today as I bid adieu to the game that has given me everything in life, I would like to thank everyone who made this 23-year-long journey beautiful and memorable.
My heartfelt thank you 🙏 Grateful .https://t.co/iD6WHU46MU— Harbhajan Turbanator (@harbhajan_singh) December 24, 2021