କରୋନା ମୁକାବିଲା କରିବାକୁ ସାହାଯ୍ୟର ହାତ ବଢ଼ାଇଲା ହକି ଇଣ୍ଡିଆ, ପୁଣିଥରେ ଦେଲା ୭୫ ଲକ୍ଷ

କରୋନା ଭାଇରସ ସହ ମୁକାବିଲା କରିବାକୁ ବିଭିନ୍ନ ଆଡୁ ସରକାରଙ୍କୁ ସହାୟତା ମିଳୁଛି। ଏହି ତାଲିକାରେ ଏବେ ହକି ଇଣ୍ଡିଆ ମଧ୍ୟ ସାମିଲ ହୋଇଛି। ଶନିବାର ଦିନ ହକି ଇଣ୍ଡିଆ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଆଉ ୭୫ ଲକ୍ଷ ଟଙ୍କା ଦାନ କରିଛି। ଏହି ଟଙ୍କାକୁ ମିଶାଇ ହକି ଇଣ୍ଡିଆ ମୋଟ ୧ କୋଟି ଟଙ୍କା ଦାନ କରିଛି। ପୂର୍ବରୁ ଏପ୍ରିଲ ୧ ତାରିଖରେ ହକି ଇଣ୍ଡିଆ ତରଫରୁ ୨୫ ଲକ୍ଷ ଟଙ୍କା ଦିଆଯାଇଥିଲା। ହକି ଇଣ୍ଡିଆର କାର୍ଯ୍ୟକାରୀ ବୋର୍ଡ ଅତିରିକ୍ତ ୭୫ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିଲା।

ହକି ଇଣ୍ଡିଆର ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି ଯେ ଏହି ସଙ୍କଟ ସମୟରେ ଭାରତ ସରକାରଙ୍କ ସହ ରହିବା ନିହାତି ଆବଶ୍ୟକ। ଆମେ ଏକାଠି ହେଲେ ହିଁ କୋଭିଡ-୧୯କୁ ହରାଇପାରିବା। ସେ କହିଛନ୍ତି ଯେ ଏତେ ବର୍ଷ ହେଲା ଆମକୁ ଦେଶବାସୀଙ୍କ ସମର୍ଥନ ମିଳିଚାଲିଛି। ଏହି ସମର୍ଥନ ଯୋଗୁ ହିଁ ଆମେ ବିଭିନ୍ନ ଚ୍ୟାଲେଞ୍ଜକୁ ସାମ୍ନା କରିପାରୁଛୁ। ଏବେ ଆମେ ନିଜ ସାମର୍ଥ୍ୟ ଅନୁସାରେ ଭାରତବାସୀଙ୍କୁ ସାହାଯ୍ୟ କରିବୁ।

ସୂଚନାଯୋଗ୍ୟ ଯେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଯାଏଁ ଏହି ଭାଇରସ ଯୋଗୁ ୭୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏଣୁ ଲୋକଙ୍କୁ ବଞ୍ଚାଇବା ପାଇଁ ବିଭିନ୍ନ ସ୍ତରର ଲୋକମାନେ ନିଜ ସାମର୍ଥ୍ୟ ଅନୁସାରେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.