ଭାରତ-ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ କ୍ରେଜ: ଅହମଦାବାଦରେ ସବୁ ହୋଟେଲ ରୁମ୍ ବୁକ୍, ଗୋଟିଏ ରୁମର ଚାର୍ଜ ୫୦ ହଜାରରୁ ଅଧିକ
ବିଶ୍ୱକପ ୨୦୨୩ରେ ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଆଜିଠାରୁ ସବୁ ରୁମ୍ ବୁକ୍ ହୋଇସାରିଥିବା ବେଳେ ଦାମ୍ ମଧ୍ୟ ୧୦ ଗୁଣା ବୃଦ୍ଧି ପାଇଛି । ହୋଟେଲ ଦାମ୍ ୫୦ ହଜାରରୁ ୧ ଲକ୍ଷ ଟଙ୍କାରେ ପହଞ୍ଚିଛି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ଅହମଦାବାଦରେ ବିଶ୍ବକପ୍ ୨୦୨୩ ମ୍ୟାଚ୍ ଖେଳାଯିବ । ଏହାକୁ ନେଇ ଫ୍ୟାନ୍ସ ଏବେଠାରୁ ଉତ୍ସାହିତ ରହିଛନ୍ତି । ତେବେ ଏହାକୁ ନେଇ ବ୍ୟବସାୟୀ ଏବଂ ହୋଟେଲ ମାଲିକମାନେ ଫାଇଦା ଉଠାଇବା ପାଇଁ ପ୍ଲାନ ଆରମ୍ଭ କରିସାରିଛନ୍ତି । ବର୍ତ୍ତମାନ ଠାରୁ ଅହମ୍ମଦାବାଦର ହୋଟେଲରେ ରୁମ୍ ଚାର୍ଜ ବଢିଯାଇଛି । ହୋଟେଲ ଦାମ୍ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ହୋଟେଲରେ ଗୋଟିଏ ରାତି କାଟିବା ପାଇଁ ଏବେ ଦେବାକୁ ପଡିବ ୫୦ ହଜାର ଟଙ୍କା । ମ୍ୟାଚ୍କୁ ଆଉ ୧୦୦ ଦିନ ବାକି ଥିବା ବେଳେ ଏବେଠାରୁ ହୋଟେଲରେ ରୁମ ବୁକ କରିବା ପାଇଁ ସର୍ବନିମ୍ନ ମୂଲ୍ୟ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।
ବିଶ୍ୱକପ ୨୦୨୩ରେ ପାଖାପାଖି ୫ଟି ମ୍ୟାଚ୍ ଅହମଦାବାଦରେ ଖେଳାଯିବ । ଭାରତ-ପାକିସ୍ତାନ ମ୍ୟାଚ୍ ସହିତ ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯିବ । ଏଥିପାଇଁ ସବୁ ପଞ୍ଚତାରକା ହୋଟେଲର ରୁମ୍ ଦାମ୍ ବଢାଇଦିଆଯାଇଛି । ହୋଟେଲ ଦାମ୍ ପାଖାପାଖି ୧୦ ଗୁଣା ବଢାଇଦିଆଯାଇଛି । ଗୋଟେ ରାତିକୁ ପାଖାପାଖି ୧ ଲକ୍ଷ ଟଙ୍କା ଦେବାକୁ ରାଜି ଅଛନ୍ତି କ୍ରିକେଟ ଫ୍ୟାନ୍ସ । ଏଥିପାଇଁ ସବୁ ରୁମ୍ ମଧ୍ୟ ବୁକ୍ ହୋଇସାରିଛି । ଅହମଦାବାଦରେ ସାଧାରଣତଃ ୫ରୁ ୮ ହଜାର ଭିତରେ ବିଳାସପୂର୍ଣ୍ଣ ରୁମ୍ ମିଳିଯାଏ । କିନ୍ତୁ ଏବେ ଏହାର ଦାମ୍ ୫୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିସାରିଛି ।
ଜୁଲାଇ ୨ ତାରିଖରେ ଯେଉଁ ରୁମର ଦାମ୍ ୫୬୯୯ ଟଙ୍କା ରହିଥିଲା, ତାହାର ଦାମ୍ ୧୫ ଅକ୍ଟୋବରରେ ୭୧,୯୯୯ ଟଙ୍କା ହୋଇଯାରିଛି । ଅନ୍ୟ ଏକ ହୋଟେଲର ରୁମ୍ ଦାମ୍ ୮ ହଜାର ରହିଥିବା ବେଳେ ମ୍ୟାଚ୍ ଦିନ ଏହାର ଦାମ୍ ୯୦,୬୭୯ ଟଙ୍କା ହୋଇଯାଇଛି ।
ଭାରତ-ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ହୋଟେଲ ଗୁଡିକରେ ଅକ୍ଟୋବର ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ରୁମ ବୁକ ହୋଇ ସାରିଛି । ୫ ଅକ୍ଟୋବରରେ ପ୍ରଥମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ତା’ ପରେ ୧୫ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମ୍ୟାଚ, ୪ ନଭେମ୍ବରରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ, ୧୦ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଏବଂ ୧୯ ନଭେମ୍ବରକୁ ଫାଇନାଲ ମ୍ୟାଚ୍ ଖେଳାଯିବ ।