ଟେଷ୍ଟରେ ଋଷଭ ପନ୍ତ ଖେଳିଲେ ଦିନିକିଆ ଷ୍ଟାଇଲରେ, ୯୭ ବଲ୍ରେ ୯୬ ରନ୍

ମୋହାଲି : ଦମଦାର ଫର୍ମରେ ଥିବା ଓ୍ଵିକେଟ୍କିପର ଋଷଭ ପନ୍ତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଛନ୍ତି । ହେଲେ ପନ୍ତ ମାତ୍ର ୪ ରନ୍ ପାଇଁ ଶତକ କରି ପାରି ନାହାନ୍ତି । ତେବେ ବ୍ୟାଟରଙ୍କ ଭଲ ପ୍ରଦର୍ଶନ ଯୋଗୁଁ ପ୍ରଥମ ଟେଷ୍ଟର ଆଜି ପ୍ରଥମ ଦିବସରେ ଭାରତୀୟ ଦଳ ୬ ଓ୍ଵିକେଟ୍ରେ ୩୫୭ ରନ୍ ସ୍କୋର କରିଛି ।
ଅଧିନାୟକ ଭାବେ ନିଜର ପ୍ରଥମ ଟେଷ୍ଟରେ ଟସ୍ ଜିତିବାପରେ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନେଇଥିଲେ । ମୟଙ୍କ ଅଗ୍ରଓ୍ଵାଲଙ୍କ ସହ ସେ ନିଜେ ପାଳି ଆରମ୍ଭ କରି ୨୯ ରନ୍ରେ ଆଉଟ୍ ହୋଇଥିଲେ । ପରେ ଅଗ୍ରଓ୍ଵାଲ ୩୩, ହନୁମା ବିହାରୀ ୫୮, ବିରାଟ କୋହଲି ୪୫ ରନ୍ କରି ପାଭିଲିଅନ ଫେରିଥିଲେ । ତେବେ ପନ୍ତ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୯୭ ବଲ୍ରେ ଧୂଆଁଧାର ୯୬ ରନ୍ କରିଥିଲେ । ଯାହାଫଳରେ ଭାରତ ଦ୍ରୁତ ଗତିରେ ତିନି ଶହ ରନ୍ ପାର କରିଗଲା । ଏଥିରେ ୯ଟି ଚୌକା ଓ ୪ଟି ଛକା ସାମିଲ ଅଛି ।
ଶ୍ରେୟଶ ଆୟର ୨୭ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ୪୫ ଏବଂ ଅଶ୍ୱିନ୍ ୧୦ ରନ୍ କରି ଅପରାଜିତ ଅଛନ୍ତି ।