ଜ୍ୟୋତିଷ ବାଛିଥିଲେ ଭାରତୀୟ ଫୁଟବଲ ଟିମ, ଖେଳାଳିଙ୍କ ଜନ୍ମତିଥି ଦେଖି ଟିମରେ କରାଯାଉଥିଲା ଚୟନ

ଭାରତୀୟ ଫୁଟବଲ ଟିମ ଚୟନକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଭାରତୀୟ ଟିମ ଚୟନ କରିବା ପାଇଁ କୋଚ୍‌ ଜ୍ୟୋତିଷଙ୍କ ଉପରେ ନିର୍ଭର କରୁଥିଲେ । ଖେଳାଳିଙ୍କ ଜନ୍ମତିଥି ଦେଖି ଟିମରେ ଚୟନ କରାଯାଉଥିଲା ବୋଲି AIFF ର ପୂର୍ବତନ ସଂପାଦକ କହିଛନ୍ତି ।

ଏସିଆନ ଗେମ୍ସ ୨୦୨୩ ର କ୍ୱାଲିଫାୟର ମ୍ୟାଚରେ ଭାଗ ନେବାକୁ ପ୍ରସ୍ତୁତି କରୁଥିବା ଭାରତୀୟ ଫୁଟବଲ ଟିମକୁ ନେଇ ବଡ ଖୁଲାସା ହୋଇଛି । ଭାରତୀୟ ଫୁଟବଲ କୋଚ ଆଇଗର ଷ୍ଟିମାକ ଟିମର ଚୟନ ପାଇଁ ଜ୍ୟୋତିଷଙ୍କ ଉପରେ ନିର୍ଭର କରିଥିଲେ । ଖେଳାଳିଙ୍କ ଜନ୍ମତିଥି ଦେଖି ଟିମରେ ଚୟନ କରାଯାଉଥିଲା ବୋଲି AIFF ର ପୂର୍ବତନ ସଂପାଦକ କହିଛନ୍ତି । ଷ୍ଟିମେକ ଜ୍ୟୋତିଷ ଭୂପେଶ ଶର୍ମାଙ୍କୁ ଦୁଇ ମାସ ମଧ୍ୟରେ ଏଥିପାଇଁ ୧୨-୧୫ ଲକ୍ଷ ଟଙ୍କା ଦେଇଥିବା ଅନୁମାନ କରାଯାଉଛି ।

ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ପୂର୍ବତନ ସମ୍ପାଦକ କୁଶାଲ ଦାସ ଏହି ରିପୋର୍ଟକୁ ସ୍ବୀକାର କରିଛନ୍ତି। କୁଶାଲ କହିଛନ୍ତି, ମୁଁ ହିଁ ଭୂପେଶ ଶର୍ମା ଏବଂ ଆଇଗରଙ୍କୁ ଭେଟାଭେଟି କରିଦେଇଥିଲି । ୨୦୨୨ ମସିହାର ମେ-ଜୁନ୍ ମାସ ମଧ୍ୟରେ ହୋଇଥିବା ଏହି ପରାମର୍ଶ ପାଇଁ ଭୂପେଶଙ୍କୁ ୧୨ରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ମଧ୍ୟ କୁଶାଲ ପ୍ରକାଶ କରିଛନ୍ତି।

ଏହି ସମୟରେ ଏମାନଙ୍କ ଭିତରେ ପାଖାପାଖି ୧୦୦ରୁ ଅଧିକ ମେସେଜ କରାଯାଇଥିଲା । ଭାରତୀୟ ଟିମ ଏହି ସମୟରେ କମ୍ବୋଡିଆ, ଆଫଗାନିସ୍ତାନ, ହଂକଂ ଏବଂ ଜୋର୍ଡାନ ବିରୋଧରେ ୪ଟି ମ୍ୟାଚ ଖେଳିଥିଲା । ପ୍ରତିଟି ମ୍ୟାଚ୍ ପୂର୍ବରୁ ଷ୍ଟିମାକ ଭୂପେଶଙ୍କ ପରାମର୍ଶ ନେଉଥିଲେ। ସେହି ବର୍ଷ ଜୁନ୍ ୮ ଓ ୧୪ ତାରିଖରେ କୋଲକାତାରେ ଭାରତ ଏସିଆନ୍ କପ୍ ଯୋଗ୍ୟତା ପର୍ଯ୍ୟାୟ ଖେଳିବା ସମୟରେ ମଧ୍ୟ ଉଭୟ ପରସ୍ପରକୁ ଭେଟିଥିଲେ।

୨୦୨୨ ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ଏଏଫସି କପ୍ ମ୍ୟାଚ୍ ଖେଳିଥିଲା। ଏଥି ପାଇଁ ଦଳ ଚୟନ ପୂର୍ବରୁ ଷ୍ଟିମାକ ଏଭଳି ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ। ଏପରିକି ଚୂଡାନ୍ତ ଏକାଦଶ କିଭଳି ରହିବ ତାହା ମଧ୍ୟ ଜ୍ୟୋତିଷ ଭୂପେଶ ନିର୍ଦ୍ଧାରଣ କରିଥିଲେ। ୨୦୨୨ ଜୁନ୍ ୧୧ ତାରିଖରେ ମ୍ୟାଚ୍ ଖେଳାଯାଇଥିବା ବେଳେ ଏହାର ଦୁଇ ଦିନ ପୂର୍ବରୁ ଜୁନ୍ ୯ ତାରିଖରେ ଖେଳାଳି ତାଲିକା ଜାରି ହୋଇଥିଲା। ପ୍ରତି ଖେଳାଳିଙ୍କ ପାଇଁ ଭୂପେଶ ନିଜ ଟିପ୍ପଣୀ ଦେବା ପରେ ଷ୍ଟିମାକ ଦଳ ଚୟନ କରିଥିଲେ।

ଜନ୍ମ ତିଥି ହିସାବରେ ହେଉଥିଲା ଚୟନ :

ଭାରତୀୟ ଫୁଟବଲ କୋଚ ଷ୍ଟିମାକ ୪ ଜଣ ଖେଳାଳିଙ୍କ ଜନ୍ମ ତାରିଖ, ସ୍ଥାନ ଏବଂ ସମୟ କହୁଥିଲେ । ଏହାପରେ ଜ୍ୟୋତିଷ ଜଣକ ସମ୍ଭାବିତ ୧୧ ଜଣଙ୍କୁ ଚୟନ କରି ମେସେଜ ପଠାଉଥିଲ ।

ତେବେ ଏହି ବିବାଦ ସମ୍ପର୍କରେ କିନ୍ତୁ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି ଏଆଇଏଫଏଫ୍ ସଭାପତି କଲ୍ୟାଣ ଚୌବେ ଏବଂ ସମ୍ପାଦକ ସାଜି ପ୍ରଭାକରନ। ସାମାଜିକ ଗଣମାଧ୍ୟମରେ କିନ୍ତୁ ଫୁଟବଲ୍ ପ୍ରଶଂସକମାନେ ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.